‘ପାଞ୍ଜି’ କହିଲେ ଆଗେ ଚିତ୍ରଗୁପ୍ତଙ୍କ ପାଞ୍ଜି କଥା ମନକୁ ଆସେ। ମୃତ୍ୟୁ ପରେ ଯମ ଭୁବନ ପହଞ୍ଚିଲା ମାତ୍ରେ ଚିତ୍ରଗୁପ୍ତ ପାଞ୍ଜି ଦେଖି ମୃତକ ପାଇଁ ନିର୍ଦ୍ଧାରିତ ଦଣ୍ଡ ବା ପୁରସ୍କାର ଯମରାଜଙ୍କୁ ଜଣାନ୍ତି। ତେବେ ଘରେ ଘରେ ଆମେ ଯେଉଁ ପାଞ୍ଜି ବ୍ୟବହାର କରୁ, ବା ଗାଆଁରେ ନାହାକ ବା ଜ୍ୟୋତିଷମାନେ ଯେଉଁ ପାଞ୍ଜି ଧରି ଦିନ ବାର ତିଥି ନକ୍ଷତ୍ର ଆଦିର କଥା କହନ୍ତି, ତାହା ସମ୍ପୂର୍ଣ୍ଣ ଅଲଗା। ଏହା ଜ୍ୟୋତିଷ ସିଦ୍ଧାନ୍ତ ଓ ଜ୍ୟୋତିର୍ଗଣିତ ସାହାଯ୍ୟରେ ଗ୍ରହ ନକ୍ଷତ୍ରମାନଙ୍କର ସ୍ଥିତି ଓ ଗତି ନିରୂପଣକରି ପ୍ରସ୍ତୁତ କରାଯାଇଥିବା ଏକ ଗ୍ରନ୍ଥ।
ପୂର୍ବେ ରାଜା ଓ ଜମିଦାରମାନଙ୍କ ନିକଟରେ ପ୍ରତିଦିନ ସକାଳେ ଜ୍ୟୋତିଷ ଆସି ସେଦିନର ପାଞ୍ଜି କହି ଯାଉଥିଲେ। ଶ୍ରୀଜଗନ୍ନାଥ ମନ୍ଦିରରେ ମଧ୍ୟ ଏଥିପାଇଁ ‘ଖୁରିନାହାକ’ ସେବା ରହିଛି। ପ୍ରତିଦିନ ଅବକାଶ ନୀତି ସମୟରେ ଶାଢ଼ିବନ୍ଧା ଜ୍ୟୋତିଷ ସେବକ ପାଞ୍ଜି ନେଇ ସେହି ଦିନର ରାଶି, ନକ୍ଷତ୍ର, ଯାନିଯାତ୍ରା, ପୁଣ୍ୟପର୍ବ ସଂପର୍କରେ ଠାକୁରଙ୍କ ଛାମୁରେ ଜଣାନ୍ତି। ପ୍ରତିବର୍ଷ ଦୋଳ ପୂର୍ଣ୍ଣିମା ଦିନ ଠାକୁରମାନଙ୍କ ନିକଟରେ ନୂଆ ପାଞ୍ଜି ପାଠ କରାଯାଏ। ଏହି ପାଞ୍ଜିରୁ ବିଭିନ୍ନ ଦିନର ଶୁଭ ଅଶୁଭ ବେଳା, ବିବାହ ବ୍ରତ ଆଦି ଶୁଭକାର୍ଯ୍ୟର ଉପଯୁକ୍ତ ସମୟ ତଥା ପର୍ବପର୍ବାଣିର ଦିନ ବାର ଆଦି ଲୋକେ ଜାଣନ୍ତି। ଜ୍ୟୋତିଷମାନେ ଏହାର ଆଧାରରେ ନବଜାତ ପୁତ୍ରକନ୍ୟାଙ୍କର ଜାତକ ପ୍ରସ୍ତୁତ କରିବା ସହିତ ବିବାହ ମେଳକ ଆଦି ନିର୍ଣ୍ଣୟ କରନ୍ତି।
ପାଞ୍ଜିକୁ ‘ପଞ୍ଚାଙ୍ଗ’ ମଧ୍ୟ କୁହାଯାଏ। ପଞ୍ଚ ଅଙ୍ଗ- ଅର୍ଥାତ୍ ଶରୀରର ପାଞ୍ଚ ଅବୟବ ହେଲା- ବାହୁ, ଜାନୁ, ମସ୍ତକ, ବକ୍ଷସ୍ଥଳ ଓ ଚକ୍ଷୁ। ଏହାକୁ ଭୁମିରେ ଲଗାଇ ପ୍ରଣାମ କରାଯାଏ। ପୂଜା ସମୟରେ ଏହି ଅଙ୍ଗଗୁଡ଼ିକର ମନ୍ତ୍ର ଦ୍ବାରା ନ୍ୟାସ ବା ଶୋଧନ କରାଯାଇଥାଏ। ମାତ୍ର ଜ୍ୟୋତିଷ ଶାସ୍ତ୍ରରେ ‘ପଞ୍ଚାଙ୍ଗ’ କହିଲେ- ବାର, ତିଥି, ନକ୍ଷତ୍ର, ଯୋଗ ଓ କରଣ, ଏହି ପାଞ୍ଚ ଅଙ୍ଗକୁ ବୁଝାଏ। ପଞ୍ଚାଙ୍ଗରେ ପ୍ରତ୍ୟେକ ଦିନ ପାଇଁ ଏହି ପାଞ୍ଚଟି ଅଙ୍ଗକୁ ସୂଚାଇ ଦିଆଯାଇଥାଏ ଏବଂ ଏହି ପାଞ୍ଚଟିର ଅନୁକୂଳ ଅବସ୍ଥା ନିରୂପଣ କରି ବିଭିନ୍ନ ଶୁଭକର୍ମ କରାଯାଇଥାଏ।
ପାଞ୍ଜିରେ ବ୍ୟବହୃତ ହେଉଥିବା ସମସ୍ତ ତତ୍ତ୍ବ ଓ ଗଣନା ପଦ୍ଧତି ବୁଝିବା ପାଇଁ ଏ ସବୁ ସଂପର୍କରେ ସବିଶେଷ ଜ୍ଞାନ ଆବଶ୍ୟକ।