ଯେଉଁ ଜ୍ୟୋତିଷଶାସ୍ତ୍ରଦ୍ୱାରା ଗ୍ରହନକ୍ଷତ୍ରାଦିଙ୍କର ସ୍ଥିତି, ସଞ୍ଚାର ଆଦି ଗଣନା କରାଯାଏ, ତାହାକୁ ଗଣିତ-ଜ୍ୟୋତିଷ (ଆଷ୍ଟ୍ରୋନୋମି) କୁହାଯାଏ। ସେହିପରି, ଯେଉଁ ଜ୍ୟୋତିଷଶାସ୍ତ୍ର ଦ୍ୱାରା ମନୁଷ୍ୟ ଜୀବନର ଭବିଷ୍ୟତ ଘଟଣାମାନଙ୍କର ଗଣନା ଓ ପୂର୍ବାନୁମାନ କରାଯାଏ, ତାହାକୁ ଫଳିତ ଜ୍ୟୋତିଷ (ଆଷ୍ଟ୍ରୋଲୋଜି) କୁହାଯାଏ।
ଫଳିତ ଜ୍ୟୋତିଷଶାସ୍ତ୍ରମତେ, ପ୍ରତ୍ୟେକ ବ୍ୟକ୍ତିର ଜନ୍ମରାଶି ଅନୁସାରେ ତାଙ୍କ ପାଇଁ ଅଶୁଭ ବାର, ତିଥି ଆଦି ନିରୂପଣ କରାଯାଇଥାଏ। ପାଞ୍ଜିରେ ପ୍ରତ୍ୟେକ ଦିନ ପାଇଁ ଲେଖା ରହୁଥିବା ଘାତବାର, ଘାତତିଥି, ଘାତମାସ, ଘାତଲଗ୍ନ, ଘାତଚନ୍ଦ୍ର ଓ ଘାତନକ୍ଷତ୍ର ଆଦି ଏହି ଘାତଚକ୍ରର ଅନ୍ତର୍ଗତ। ଏହି ଦିନଗୁଡ଼ିକରେ ସଂପୃକ୍ତ ରାଶିରେ ଜନ୍ମିତ ବ୍ୟକ୍ତି କୌଣସି ଶୁଭକର୍ମ ବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆରମ୍ଭ କରିବାପାଇଁ ବାରଣ ରହିଛି।
ଫଳିତ ଜ୍ୟୋତିଷଶାସ୍ତ୍ରମତେ, ସପ୍ତାହର ସାତଟି ବାର କୌଣସି ନା କୌଣସି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିଙ୍କ ପାଇଁ ଅଶୁଭ ହୋଇଥାଏ। ଅତଏବ ସଂପୃକ୍ତ ବାରଟି ସେହି ରାଶିର ଜନ୍ମିତ ବ୍ୟକ୍ତିଙ୍କ ପାଇଁ ଘାତବାର। ଏହି ନିର୍ଣ୍ଣୟ ଅନୁସାରେ, ରବିବାର ମେଷ ରାଶି ପାଇଁ, ସୋମବାର ମିଥୁନ, ମଙ୍ଗଳବାର ମକର, ବୁଧବାର କର୍କଟ, ଗୁରୁବାର ତୁଳା ଓ କୁମ୍ଭ, ଶୁକ୍ରବାର ବିଛା, ଧନୁ ଓ ମୀନ ଏବଂ ଶନିବାର ବୃଷ, ସିଂହ ଓ କନ୍ୟା ରାଶିପାଇଁ ଘାତବାର ବା ଅଶୁଭ ବାର।
ସେହିପରି, ନିର୍ଦ୍ଦିଷ୍ଟ ରାଶିରେ ଜନ୍ମିତ ବ୍ୟକ୍ତିଙ୍କ ପାଇଁ କେଉଁ କେଉଁ ତିଥି ‘ଘାତତିଥି’, ତାହାର ସୂଚନା ମଧ୍ୟ ପାଞ୍ଜିରେ ଦିଆଯାଇଥାଏ। ମେଷ ଓ ବିଛା ରାଶିପାଇଁ ପ୍ରତିପଦ, ଷଷ୍ଠୀ ଓ ଏକାଦଶୀ(ନନ୍ଦା ତିଥି); କର୍କଟ ଓ ମିଥୁନ ରାଶିପାଇଁ ଦ୍ୱିତୀୟା, ସପ୍ତମୀ ଓ ଦ୍ୱାଦଶୀ(ଭଦ୍ରା ତିଥି); ସିଂହ, ଧନୁ ଓ କୁମ୍ଭ ରାଶିପାଇଁ ତୃତୀୟା, ଅଷ୍ଟମୀ ଓ ତ୍ରୟୋଦଶୀ(ଜୟାତିଥି); ତୁଳା ଓ ମକର ରାଶିପାଇଁ ଚତୁର୍ଥୀ, ନବମୀ ଓ ଚତୁର୍ଦ୍ଦଶୀ(ରିକ୍ତା ତିଥି); ବୃଷ, କନ୍ୟା ଓ ମୀନ ରାଶିପାଇଁ ପଞ୍ଚମୀ, ଦଶମୀ ଏବଂ ପୂର୍ଣ୍ଣିମା ଓ ଅମାବାସ୍ୟା (ପୂର୍ଣ୍ଣାତିଥି) ଘାତତିଥି ବା ଅଶୁଭ ତିଥି ହୋଇଥାଏ।