ମସ୍ତ ଇନ୍ଦ୍ରିୟଙ୍କୁ ସଂଯମ ରୂପକ ଅଗ୍ନିରେ ଆହୁତି ଦେବା ମଧ୍ୟ ଶ୍ରୀମଦ୍‌ଭଗବଦ୍‌ଗୀତାରେ ବର୍ଣ୍ଣିତ ଏକ ପ୍ରକାରର ଯଜ୍ଞ। କର୍ମେନ୍ଦ୍ରିୟ ହେଉ କି ଜ୍ଞାନେନ୍ଦ୍ରିୟ, ଇନ୍ଦ୍ରିୟମାନେ କ’ଣ ଏହା ସମସ୍ତେ ଜାଣନ୍ତି ଓ ଅନୁଭବ କରନ୍ତି। ଏହି ଯଜ୍ଞରେ ଇନ୍ଦ୍ରିୟମାନେ ହେଉଛନ୍ତି ହବ୍ୟ; ଆଉ ସଂଯମ ହେଉଛି ଯଜ୍ଞାଗ୍ନି। ସଂଯମକୁ ଭଲ ଭାବରେ ବୁଝିଲେ ଏହି ଯଜ୍ଞ ସମାପନ କରିହୁଏ। ସାଧାରଣତଃ ଆମେ ସଂଯମର ଅର୍ଥକୁ ବନ୍ଧନ ବା ନିରୋଧ ଭାବେ ଗ୍ରହଣ କରୁ। ଅର୍ଥାତ୍ ଇନ୍ଦ୍ରିୟମାନଙ୍କୁ ନିଜ ଅକ୍ତିଆରରେ ରଖିବା ବା ସେମାନଙ୍କୁ ସେମାନଙ୍କ ଇଚ୍ଛା ଅନୁଯାୟୀ କାମ କରିବାକୁ ନ ଦେବା ହେଉଛି ସଂଯମ।

Advertisment

ଆଉ ଟିକିଏ ଗଭୀର ଭାବେ ଚିନ୍ତା କଲେ ଜାଣିହୁଏ, ଯେ ‘ସମ୍‌’ ଓ ‘ଯମ୍‌’ ଧାତୁ ମିଳିତ ହୋଇ ସଂଯମ ଶବ୍ଦ ତିଆରି କରିଛନ୍ତି। ‘ସମ୍‌’ ଧାତୁର ଅର୍ଥ ସମାନତା। ଆଉ ‘ଯମ୍‌’ ଧାତୁର ଅର୍ଥ ବିରତ ହେବା, ପରିବେଷଣ କରିବା, ବେଷ୍ଟନ କରିବା, ଦମନ କରିବା, ଦେବା, ଯିବା ଓ ବର୍ଦ୍ଧିତ କରିବା। ପ୍ରତ୍ୟେକ ତତ୍ତ୍ୱ ପାଇଁ ସମାନ ଭାବେ କରାଯାଉଥିବା ‘ଯମ୍‌’ କର୍ମ ହେଉଛି ସଂଯମ। ସମାନ ଭାବରେ ପ୍ରତ୍ୟେକ ଇନ୍ଦ୍ରିୟମାନଙ୍କଠାରୁ ମନକୁ ବିରତ କରିବା ହେଉଛି ସଂଯମ।

ଇନ୍ଦ୍ରିୟମାନଙ୍କ ଚେତନାର ନାଥ ବା ମାଲିକ ମସ୍ତିଷ୍କସ୍ଥ ଚେତନାରେ ବୁଡ଼ି ରହିଲେ ହିଁ ଏହି ପ୍ରକାର ଯଜ୍ଞରେ ଇନ୍ଦ୍ରିୟ ଚେତନା ବିଲୟ ହୁଏ। ଏଥିପାଇଁ ଇନ୍ଦ୍ରିୟମାନଙ୍କର ବିଭାଜିତ ଓ ପ୍ରକାରଭେଦରେ ଥିବା ଚେତନାକୁ ମସ୍ତିଷ୍କସ୍ଥ ମୂଳ ଚେତନା ପାଖରେ ଅର୍ପଣ କରିବାକୁ ପଡ଼େ ବା ପରିବେଷଣ କରିବାକୁ ପଡ଼େ। ମୁଁ କାନଦ୍ୱାରା ଶୁଣିପାରୁଛି, କାରଣ ମସ୍ତିଷ୍କସ୍ଥ ଚେତନା ହିଁ କାନ ମଧ୍ୟରେ କର୍ମ କରୁଛି; ସାଧକଙ୍କୁ ଏହିପ୍ରକାର ଅନୁଭବ ପ୍ରାପ୍ତ ହୁଏ। ଏହାଦ୍ୱାରା ଇନ୍ଦ୍ରିୟମାନଙ୍କ ମଧ୍ୟରେ କ୍ରିୟମାଣ ଚେତନାଗୁଡ଼ିକ ନିଜ ମୂଳଉତ୍ସକୁ ଫେରିଯିବାର ସୁଯୋଗ ପାଆନ୍ତି। ସେମାନେ ପୁନର୍ବାର ମସ୍ତିଷ୍କସ୍ଥ ଚେତନାଦ୍ୱାରା ବେଷ୍ଟିତ ହୁଅନ୍ତି। ସାଧକ ଅନୁଭବ କରନ୍ତି, ଯେ ଶରୀର ବା ପିଣ୍ଡବ୍ରହ୍ମାଣ୍ଡରେ ସର୍ବବ୍ୟାପକ ଭାବେ ପରିବ୍ୟାପ୍ତ ମସ୍ତିଷ୍କସ୍ଥ ଚେତନା ସମସ୍ତ ଇନ୍ଦ୍ରିୟମାନଙ୍କୁ ବେଷ୍ଟନ କରିଛି। ଏହାଦ୍ୱାରା ଇନ୍ଦ୍ରିୟମାନଙ୍କର ପୃଥକ୍ ପୃଥକ୍ ପରିଚୟ ନଷ୍ଟ ହୁଏ, ବିଲୟ ହୁଏ। ପ୍ରତ୍ୟେକ ଇନ୍ଦ୍ରିୟଙ୍କର ପୃଥକ୍ ଚେତନା ପରିବର୍ଦ୍ଧିତ ହୋଇ ପିଣ୍ଡବ୍ରହ୍ମାଣ୍ଡରେ ସର୍ବବ୍ୟାପକ ମସ୍ତିଷ୍କସ୍ଥ ଚେତନାରେ ଏକାକାର ହୋଇଯାଆନ୍ତି। ପିଣ୍ଡବ୍ରହ୍ମାଣ୍ଡ ସିଦ୍ଧମାନଙ୍କ ମତରେ ଏହା ହେଉଛି ଇନ୍ଦ୍ରିୟମାନଙ୍କୁ ସଂଯମରୂପକ ଅଗ୍ନିରେ ଆହୁତି ଦେବାର ଯଜ୍ଞ।