ପ୍ରାବୃଟ ରାସ- ଝୁଲଣ ଯାତ

ଶ୍ରବଣାନକ୍ଷତ୍ରଯୁକ୍ତ ଶ୍ରାବଣ ମାସର ଅଧିପତି ସ୍ୱୟଂ ‘ଶ୍ରୀଧର’ ହେଲେ ମଧ୍ୟ, ଏହି ମାସଟି ସଂପୂର୍ଣ୍ଣ ରୂପେ ଶିବଙ୍କ ନିମିତ୍ତ ସମର୍ପିତ। ଶିବରୂପୀ ଶ୍ରୀବଳଭଦ୍ରଙ୍କର ଏହା ଜନ୍ମମାସ। କିନ୍ତୁ ଏହି ମାସରେ ଶ୍ରୀମନ୍ଦିରରେ ଏବଂ ସମଗ୍ର ଓଡ଼ିଶାର ରାଧାକୃଷ୍ଣ ମନ୍ଦିର ଓ ବୈଷ୍ଣବ ମଠମାନଙ୍କରେ ମହା ସମାରୋହରେ ପାଳିତ ହୁଏ ଝୁଲଣ ଯାତ୍ରା। ଶ୍ରୀମନ୍ଦିରର ଦ୍ୱାଦଶଯାତ୍ରା ମଧ୍ୟରେ ଏହାର ପ୍ରତିଷ୍ଠା ନଥିଲେ ମଧ୍ୟ, ଏହି ପର୍ବ ଶ୍ର୍ରୀମନ୍ଦିର ସମେତ ସମଗ୍ର ଓଡ଼ିଶାରେ ବିଶେଷ ମହତ୍ତ୍ୱ ରଖେ। ତେଣୁ ଲୋକ ମୁଖରେ ପ୍ରଚଳିତ ଏକ ଗୀତିରେ କୁହାଯାଇଛି- ଆଳିର ଝୁଲଣ, ଓଳକଣାର ମେଲଣ, କେନ୍ଦ୍ରାପଡ଼ାର ରାମନବମୀ ଓ ପୁରୀର ଚନ୍ଦନ ଅତ୍ୟନ୍ତ ପ୍ରସିଦ୍ଧ।

ଭଗବାନ ଶ୍ରୀକୃଷ୍ଣ ଗୋପପୁରରେ ଥିବାବେଳେ ଗୋପୀମାନଙ୍କୁ ଆନନ୍ଦ ଦେବାପାଇଁ ବିଭିନ୍ନ ନୃତ୍ୟ ଗୀତର ଆୟୋଜନ କରୁଥିଲେ। ଏହାକୁ କବିମାନେ ‘ରାସ’ ଆଖ୍ୟା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ‘ଭାଗବତ’ ଆଦି ଗ୍ରନ୍ଥରେ ‘ଶରତରାସ’ ଓ ‘ବସନ୍ତରାସ’ ଏହିପରି ଦୁଇଟି ରାସର ବର୍ଣ୍ଣନା ଅଛି। କିନ୍ତୁ କବି ବନମାଳୀ ସାମନ୍ତରାୟ ରାୟଙ୍କ ଲିଖିତ ରାସ ପୁସ୍ତକରେ ବର୍ଷାକାଳୀନ ‘ପ୍ରାବୃଟ ରାସ’ର ବର୍ଣ୍ଣନା ରହିଛି। ଏହି ବର୍ଣ୍ଣନା ଅନୁଯାୟୀ, ବର୍ଷାକାଳରେ ଶ୍ରୀକୃଷ୍ଣ ମଲ୍ଲରାଜା ପତ୍ନୀ ଚନ୍ଦ୍ରାବଳୀ ଓ ଗୋପୀମାନଙ୍କ ସହିତ ଗୋପନରେ ସାତଦିନ ବ୍ୟାପୀ ରାସକ୍ରୀଡ଼ା କରିଥିଲେ। ତାହାକୁ ‘ଚନ୍ଦ୍ରାବଳୀ ରାସ’, ‘ପ୍ରାବୃଟ ରାସ’ ବା ‘ଗୁପ୍ତ ରାସ’ କୁହାଯାଏ। ଏହା କାଳକ୍ରମେ ଲୋକପ୍ରିୟ ହୋଇ ଝୁଲଣଯାତ୍ରାରେ ପରିଣତ ହୋଇଗଲା।

ପ୍ରଥମେ ରାୟ ରାମାନନ୍ଦ ଶ୍ରୀମନ୍ଦିର ମଧ୍ୟରେ ଏହି ଉତ୍ସବ କରାଇଥିଲେ। ପରବର୍ତ୍ତୀ କାଳରେ ଗଜପତି ଦିବ୍ୟସିଂହ ଦେବ (ଦ୍ୱିତୀୟ), ସଂପୂର୍ଣ୍ଣ ରୀତି ନୀତି ଅନୁଯାୟୀ ଶ୍ରୀମନ୍ଦିର ମଧ୍ୟରେ ସ୍ୱତନ୍ତ୍ର ଝୁଲଣ କୁଞ୍ଜ ନିର୍ମାଣ କରି ଝୁଲଣ ଯାତ କରାଇଲେ। ବୈଷ୍ଣବ ସନ୍ନ୍ୟାସୀ ରସିକାନନ୍ଦ ଦେବ ଗୋସ୍ୱାମୀ ସମଗ୍ର ଉତ୍କଳ ପରିଭ୍ରମଣ କରି ରାଧାକୃଷ୍ଣ ଉପାସନାର ପ୍ରଚାର କରିବା ସହିତ ରାସ ଉତ୍ସବକୁ ଲୋକପ୍ରିୟ କରାଇଲେ। ଫଳରେ ମଠ ଓ ମନ୍ଦିର ମାନ ଝୁଲଣ ସାଜସଜ୍ଜାରେ ଝଲସିଲା। ପୁରୀର ବୈଷ୍ଣବ ମଠମାନଙ୍କରେ ଅତି ସମାରୋହରେ ଏହା ପାଳିତ ହେଲା।

ଏହି ଝୁଲଣ ଯାତରେ ରାଧାକୃଷ୍ଣ ଦୋଳିରେ ବସି ଝୁଲୁଥିବା ବେଳେ, ସୋଲ ଓ ଜରିରେ ତିଆରି ଫୁଲଗଛ, ଲତା, ପଶୁପକ୍ଷୀ, ସଖୀ, ଉଡ଼ନ୍ତା ବିଦ୍ୟାଧରୀ ଆଦି ଝୁଲଣ କୁଞ୍ଜରେ ଖଞ୍ଜା ହୋଇ ବୃନ୍ଦାବନର ଭ୍ରମ ସୃଷ୍ଟି କରିଥାନ୍ତି। ଶ୍ରାବଣ ଶୁକ୍ଳ ଦଶମୀଠାରୁ ପ୍ରତିପଦା ପର୍ଯ୍ୟନ୍ତ ଏହି ଉତ୍ସବ ପାଳିତ ହୋଇଥାଏ। ଓଡ଼ିଶା ପରି, ମଥୁରା ଓ ବୃନ୍ଦାବନରେ ମଧ୍ୟ ଝୁଲଣ ଯାତ ମହାସମାରୋହରେ ପାଳିତ ହୁଏ। ଓଡ଼ିଶାରେ ଯେପରି ରଜପର୍ବରେ ଝିଅମାନେ ଦୋଳିରେ ବସି ରଜପର୍ବ ପାଳନ୍ତି, ସେହିପରି, ଉତ୍ତର ଭାରତ, ବିହାର ଆଦି ପ୍ରଦେଶରେ ‘ଶାୱନ ଝୁଲା’ ଖୁବ୍ ଲୋକପ୍ରିୟ ଉତ୍ସବ। ଏଠି ପୁଅ-ଝିଅମାନେ ରାଧା-କୃଷ୍ଣ ଭାବରେ ନିଜକୁ ସଜ୍ଜିତ କରି ଝୁଲାରେ ଝୁଲି ସଂଗୀତ ଗାନ କରିଥାନ୍ତି।

ଡକ୍ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର