ଜୀବନ-ମନ୍ତ୍ର : ଆଜିବି ହଜିନି ଝୁଲଣର ଝଲମଲ

ଶ୍ରାବଣ ଶୁକ୍ଳ ଦଶମୀଠାରୁ ଭାଦ୍ରବ ପ୍ରତିପଦ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ପୁରୀ ଶ୍ରୀମନ୍ଦିରରେ ପାଳିତ ହୁଏ ଝୁଲଣ ଯାତ୍ରା। ଏହା ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରାର ଅନ୍ତର୍ଭୁକ୍ତ ନହେଲେ ମଧ୍ୟ, ଉପଯାତ୍ରାଗୁଡ଼ିକ ମଧ୍ୟରେ ପ୍ରଧାନ।

ଝୁଲଣକୁ କୁହାଯାଏ ‘ପ୍ରାବୃଟ ରାସ’। ‘ପ୍ରାବୃଷ୍‌’ ବା ‘ପ୍ରାବୃଟ୍‌’ ହେଉଛି ବର୍ଷାକାଳ। ଏହା ବର୍ଷାଋତୁର ଭାବମୟ ଉତ୍ସବ। ଏହାର ଅନ୍ୟନାମ ‘ହାନ୍ଦୋଳା ମହୋତ୍ସବ’। ‘ହାନ୍ଦୋଳା’ର ଅର୍ଥ ଶିବିକା, ପାଲିଙ୍କି ବା ଦୋଳା। ଏହି ଉତ୍ସବରେ ବିଭିନ୍ନ ମଠ ଓ ମନ୍ଦିରର ଇଷ୍ଟଦେବତା କୁଞ୍ଜ ମଧ୍ୟସ୍ଥ ଦୋଳାରେ ଝୁଲନ୍ତି। ଏ ଦୃଷ୍ଟିରୁ ‘ଅଭିନବ ଜଗନ୍ନାଥ ପ୍ରସ୍ତାବ’ ନାମକ ଏକ ଗ୍ରନ୍ଥରେ କୁହାଯାଇଛି- “ଆଷାଢ଼େ ଗୁଣ୍ଡିଚା ଯାତ୍ରା, ଶ୍ରାବଣେ କୁଞ୍ଜ ମନ୍ଦିରମ୍‌’।”

ଗବେଷକଙ୍କ ମତରେ, ରାୟ ରାମାନନ୍ଦଙ୍କ ପ୍ରଭାବରେ ଗଜପତି ରାଜା ପ୍ରତାପରୁଦ୍ର ଦେବଙ୍କ ସମୟରେ ଶ୍ରୀମନ୍ଦିରରେ ଝୁଲଣ ଯାତ୍ରାର ଅୟମାରମ୍ଭ ହୋଇଥିଲା। ପରବର୍ତ୍ତୀ କାଳରେ ରାମଚନ୍ଦ୍ର ଦେବଙ୍କ ସମୟରେ ଏହାର ଭିତ୍ତି ସୁଦୃଢ଼ ହେଲା। ବୀରକିଶୋର ଦେବ (ପ୍ରଥମ) ଓ ଦିବ୍ୟସିଂହ ଦେବ (ଦ୍ୱିତୀୟ)ଙ୍କ ସମୟରେ ଏହାର ବିଶେଷ ପ୍ରଚାର, ପ୍ରସାର ଘଟିଥିଲା। ସେହି ସମୟରେ ଏବଂ ପରେ ଶ୍ରୀକ୍ଷେତ୍ରର ବିଭିନ୍ନ ମଠ ଓ ଆଶ୍ରମ ଆଦିକୁ ଏହା ବ୍ୟାପିଥିଲା। କ୍ରମେ ଏହା ସାରା ଓଡ଼ିଶାର ଏକ ଉତ୍ସବ ହୋଇଗଲା। ପୁରୀ ବାଲିସାହିର ପୁରାତନ କୁଞ୍ଜମଠରୁ ଏହାର ଅୟମାରମ୍ଭ ହୋଇଥିଲା ବୋଲି କୁହାଯାଏ।

ଦିନଥିଲା, ଲୋକମୁଖରେ ଓଡ଼ିଶାର ଚାରିଟି ଯାତ୍ରାର ଖୁବ୍ ଖ୍ୟାତି ଥିଲା। ସେହି ଚାରିଟି ଯାତ୍ରା ହେଉଛି- ଆଳିର ଝୁଲଣ, ଓଳକଣାର ମେଳଣ, ଅସୁରେଶ୍ୱରର ରାସଲୀଳା ଓ ପୁରୀର ଚନ୍ଦନ। କିନ୍ତୁ ଆଳି ଝୁଲଣର ସେଦିନର ଝଲମଲ ଆଜି ଆଉ ନାହିଁ। କିନ୍ତୁ ପୁରୀର ଝୁଲଣ ଆଜି ବି ତାହାର ଝଲମଲ ହରାଇ ନାହିଁ।

ବିଭିନ୍ନ ମଠ, ମନ୍ଦିରର ଝୁଲଣକୁଞ୍ଜ ସାଜସଜ୍ଜାର ବିଶେଷତ୍ୱ ହେଉଛି, ସୋଲ ଓ ଜରିଜମ୍ବୁରା କାମ। ଏହା ଆଜି ବି ପୁରୀର କାରୁକଳାର ଉନ୍ନତ ନିଦର୍ଶନ ହୋଇ ରହିଛି।

ସମ୍ବନ୍ଧିତ ଖବର