ଜୀବନ-ମନ୍ତ୍ର : ଦିବା ଶୟନରେ ରୋଗ, ରାତ୍ରି ଉତ୍‌ଥାନରେ ଧନକ୍ଷୟ

ଦେବୀ ଦୁର୍ଗାଙ୍କର ଶରତ୍‌କାଳ ପୂଜାର ନିର୍ଦ୍ଦିଷ୍ଟ ବିଧି ରହିଛି। ‘ଦୁର୍ଗାଶୟନ’ ଓ ‘ଦୁର୍ଗାଉତ୍‌ଥାନ’ ସେହି ବିଧିର ଅନ୍ତର୍ଗତ। ତାହା ଅନୁସାରେ, ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ହେଉଛି ଦୁର୍ଗାଙ୍କର ଶୟନ ତିଥି। ସେହିଦିନ ଦେବୀ ଶୟନ କରନ୍ତି ଏବଂ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀରେ ଉଠନ୍ତି। ସେହିଦିନ ରାତିରୁ ତାଙ୍କର ଷୋଡ଼ଶ ଦିନବ୍ୟାପୀ ପୂଜା ଆରମ୍ଭ ହୋଇଥାଏ। ସେଥିପାଇଁ ଏହି ଦୁଇ ଅଷ୍ଟମୀ ‘ଦୁର୍ଗାଷ୍ଟମୀ’ ରୂପେ କଥିତ ହୁଏ।

ଏ ସଂପର୍କରେ ଶାସ୍ତ୍ରରେ ନିର୍ଦ୍ଦେଶ ଅଛି- ତିଥିରେ କ୍ଷୟ ଘଟିଲେ ଦେବୀ ୧୪ ଦିନ ଏବଂ ବୃଦ୍ଧି ଘଟିଲେ ମଧ୍ୟ ୧୫ ଦିନ ଶୟନ କରିବେ। କେବେହେଲେ ୧୬ ଦିନ ଶୟନ କରିବେ ନାହିଁ। ଏହା ସୂଚାଏ ଯେ ଦେବୀ ପ୍ରୟୋଜନଠାରୁ ଅଧିକ ଦିନ ଶୟନ କରନ୍ତି ନାହିଁ।

ଯେଉଁମାନେ ଶାରଦୀୟ ଦୁର୍ଗାପୂଜା କରନ୍ତି, ସେମାନେ ଏହି ବିଧି ପାଳନ କରିବାକୁ ଶାସ୍ତ୍ରରେ ନିର୍ଦ୍ଦେଶ ଅଛି। ସେଥିରେ କୁହାଯାଇଛି, ତିଥିରେ କ୍ଷୟ ଘଟିଲେ ଦେବୀଙ୍କୁ ୧୪ ଦିନ ଶୟନ କରାଇବ; କିନ୍ତୁ ତିଥିରେ ବୃଦ୍ଧି ଘଟିଲେ କଦାପି ୧୫ ଦିନରୁ ବେଶୀ ଶୟନ କରାଇବ ନାହିଁ। ଦେବୀଙ୍କୁ ନବମୀରେ ଉଠାଇବ ନାହିଁ କି ପୂଜା କରିବ ନାହିଁ। ଅଜ୍ଞାନତା ବଶତଃ ଏହା କଲେ ଦୁର୍ଭିକ୍ଷ ପଡ଼େ।

କେବଳ ଏତିକି ନୁହେଁ, ଭାଦ୍ରବ ଶୁକ୍ଳ ଅଷ୍ଟମୀ ଦିନ କେତେବେଳେ ଦେବୀଙ୍କୁ ଶୟନ କରାଯିବ, ଏବଂ ଆଶ୍ୱିନ କୃଷ୍ଣ ଅଷ୍ଟମୀରେ କେତେବେଳେ ଉତ୍‌ଥାନ କରାଯିବ, ତାହାର ବିଧି ମଧ୍ୟ ଶାସ୍ତ୍ରରେ ନିର୍ଦ୍ଦିଷ୍ଟ ଭାବରେ ଉଲ୍ଲେଖ ଅଛି। ତାହା ଅନୁସାରେ, ଦେବୀଙ୍କୁ ଦିନରେ ଶୟନ କରାଯିବ ନାହିଁ ଏବଂ ରାତିରେ ଉତ୍‌ଥାନ କରାଯିବ ନାହି। ଦିନରେ ଶୟନ କରାଇଲେ ରୋଗ ହୁଏ ଏବଂ ରାତ୍ରିରେ ଉତ୍‌ଥାନ କରାଇଲେ ଧନକ୍ଷୟ ଘଟେ। ଏଣୁ ଦେବୀଙ୍କୁ ରାତିରେ ଶୁଆଯାଏ ଏବଂ ଦିନରେ ଉଠାଯାଏ।

ଆମ ମନୁଷ୍ୟମାନଙ୍କ ପ୍ରତି ମଧ୍ୟ ଦେବୀଙ୍କର ଏହି ଶୟନ ଓ ଉତ୍‌ଥାନ ନୀତିର ସମାନ ବାର୍ତ୍ତା ରହିଛି।

ସମ୍ବନ୍ଧିତ ଖବର