‘ଶ୍ରୀମଦ୍‌ଭାଗବତ’ର ‘ଗଜେନ୍ଦ୍ରମୋକ୍ଷ’ ପ୍ରସଙ୍ଗ: ହାତୀ କିଏ? କୁମ୍ଭୀର କିଏ?

‘ଶ୍ରୀମଦ୍‌ଭାଗବତ’ର ‘ଗଜେନ୍ଦ୍ରମୋକ୍ଷ’ ପ୍ରସଙ୍ଗରେ ହାତୀ ଓ କୁମ୍ଭୀରଙ୍କ କଥା ଅଛି। ହାତୀକୁ ଧରିଥିବା କୁମ୍ଭୀରର ଶିରକୁ ଚକ୍ରରେ ଛେଦନ କରି, ଭଗବାନ ବିଷ୍ଣୁ ହାତୀକୁ ଉଦ୍ଧାର କରିଥିବା କଥା ସେଥିରେ ବର୍ଣ୍ଣିତ ହୋଇଛି। ସେହି ଅନୁସାରେ, ଶ୍ରୀଜଗନ୍ନାଥଙ୍କର ଗଜଉଦ୍ଧାରଣ ବେଶ ପ୍ରତିବର୍ଷ ଅନୁଷ୍ଠିତ ହୋଇଆସୁଛି।

କିନ୍ତୁ ଏହି ହାତୀ କ’ଣ କେବଳ ଗୋଟିଏ ହାତୀ? ଏ କୁମ୍ଭୀର କ’ଣ କେବଳ ଗୋଟିଏ କୁମ୍ଭୀର? ଏ ପ୍ରଶ୍ନର ଉତ୍ତର ଗଜ ଓ କୁମ୍ଭୀରଙ୍କର ପୂର୍ବଜନ୍ମ ବୃତ୍ତାନ୍ତରେ ଦିଆଯାଇଛି।

ପ୍ରସଙ୍ଗଟି ଅତ୍ୟନ୍ତ ରୋଚକ। ତାହା ଅନୁସାରେ, ଏହି ଗଜେନ୍ଦ୍ର ପୂର୍ବ ଜନ୍ମରେ ଥିଲା ଦ୍ରାବିଡ଼ଶ୍ରେଷ୍ଠ ପାଣ୍ଡ୍ୟଦେଶର ରାଜା। ତାଙ୍କର ନାମ ଥିଲା ଇନ୍ଦ୍ରଦ୍ୟୁମ୍ନ ଏବଂ ସେ ଥିଲେ ବିଷ୍ଣୁଭକ୍ତ। ମଳୟ ପର୍ବତରେ ଆଶ୍ରମଟିଏ କରି ସେ ସେଠାରେ ବିଷ୍ଣୁ ଆରାଧନା କରୁଥିଲେ। ଜଟାଧାରୀ ତପସ୍ୱୀ ହୋଇ ଏବଂ ମୌନବ୍ରତ ଅବଲମ୍ବନ କରି ସେ ବିଷ୍ଣୁ ଉପାସନାରେ ମଗ୍ନ ରହିଥିଲେ।

ଦିନେ ଶିଷ୍ୟଗଣଙ୍କ ସହିତ ଅଗସ୍ତ୍ୟ ମୁନି ସେଠାରେ ଆସି ପହଞ୍ଚିଲେ। ସେ ଦେଖିଲେ, ରାଜା ଅତିଥିଙ୍କର ସତ୍କାର କରୁ ନାହାନ୍ତି। ନିରବରେ ବସି ରହି ଉପାସନାରେ ମଗ୍ନ ଅଛନ୍ତି। ତେଣୁ ସେ କ୍ରୋଧିତ ହୋଇ ଅଭିଶାପ ଦେଲେ- ଏ ରାଜା ଅସାଧୁ, ଦୁରାତ୍ମା ଓ ମନ୍ଦବୁଦ୍ଧି। ହାତୀ ପରି ଜଡ଼ବୁଦ୍ଧି ହୋଇ ସେ ବ୍ରାହ୍ମଣ ଅତିଥିଙ୍କର ଅବମାନନା କରିଛି। ଏଣୁ ସେ ଘୋର ଅନ୍ଧକାରରୂପୀ ଗଜଯୋନିରେ ଜନ୍ମ ନେଉ।

ଏପରି ଅଭିଶାପ ଦେଇ ଅଗସ୍ତ୍ୟ ମୁନି ଶିଷ୍ୟଗଣଙ୍କ ସହିତ ସେହି ସ୍ଥାନ ଛାଡ଼ି ଚାଲିଗଲେ। ରାଜର୍ଷି ଇନ୍ଦ୍ରଦ୍ୟୁମ୍ନ ମଧ୍ୟ ସେହି ଅଭିଶାପ ଫଳରେ ଆତ୍ମସ୍ମୃତିଲୋପକ ଗଜଯୋନିରେ ଜନ୍ମ ହେଲେ। କିନ୍ତୁ ଶ୍ରୀହରିଙ୍କର ଅର୍ଚ୍ଚନା କରୁଥିବାରୁ, ହାତୀ ଜନ୍ମ ନେଲେ ମଧ୍ୟ ତାଙ୍କର ପୂର୍ବସ୍ମୃତି ଲୋପ ପାଇଲା ନାହିଁ। ସେଥିପାଇଁ କୁମ୍ଭୀର ଗ୍ରାସ କରିବା ପରେ, ଅନ୍ୟ ଉପାୟ ନ ଦେଖି ସେ ନିଜର ରକ୍ଷା ପାଇଁ ସେହି ବିଷ୍ଣୁଙ୍କୁ ସ୍ତୁତି କରିବାରେ ଲାଗିଲେ। ଏହାର ଚମତ୍କାର ବର୍ଣ୍ଣନା କରି ଓଡ଼ିଆ ଭାଗବତକାର ଜଗନ୍ନାଥ ଦାସ କହିଛନ୍ତି-
ଅନ୍ତରେ କରଇ ବିଚାର। ସେ ହରି ସଂସାରର ସାର।।
ସଙ୍କଟୁ କରେ ପରିତ୍ରାଣ। ଯେ ତାରେ ପଶନ୍ତି ଶରଣ।।
କାଳ ଭୁଜଙ୍ଗ ଗ୍ରାସ କାଳେ। ଯେ ତାକୁ ଚିନ୍ତେ ଧ୍ୟାନ ବଳେ।।
ତାହାକୁ ଯେ କରେ ରକ୍ଷଣ। ତା’ ପଦେ ପଶିବି ଶରଣ।।

ଏହା ପରେ, ତାହାର ପ୍ରାର୍ଥନା ଶୁଣି ଭଗବାନ ବିଷ୍ଣୁ ଆସି ସେଠାରେ ପହଞ୍ଚିଲେ ଏବଂ ଚକ୍ରଦ୍ୱାରା ନକ୍ରକୁ ନାଶ କଲେ। ଗଜେନ୍ଦ୍ର ମୋକ୍ଷ ପାଇଲା।
ସେହିପରି, ପୂର୍ବଜନ୍ମରେ ସେହି କୁମ୍ଭୀର ମଧ୍ୟ ଥିଲା ହୂ ହୂ ନାମକ ଏକ ଗନ୍ଧର୍ବ। ଋଷି ଦେବଳଙ୍କ ଅଭିଶାପରେ ସେ କୁମ୍ଭୀର ରୂପେ ଜନ୍ମ ନେଇଥିଲା। ବିଷ୍ଣୁଙ୍କ ଚକ୍ରରେ ନିହତ ହୋଇ ସେ ବି ମୋକ୍ଷ ପାଇଲା।

କିନ୍ତୁ ଗଜେନ୍ଦ୍ର କିପରି ମୋକ୍ଷ ପାଇଲା, ତାହା ଖୁବ୍ ଚମକପ୍ରଦ। ସ୍ୱୟଂ ଭଗବାନଙ୍କ ସ୍ୱରୂପରେ, ପୀତାମ୍ବର ଓ ଚତୁର୍ଭୁଜ ହୋଇ ସେ ‘ସାରୂପ୍ୟ’ ମୋକ୍ଷ ଲାଭ କଲା।

ଏହା ସୂଚାଏ- ଭଗବାନଙ୍କର ଉପାସନା ଫଳରେ ଏବଂ ତାଙ୍କର କୃପାର ସ୍ପର୍ଶରେ, ଜୀବ ଅଜ୍ଞାନ ବନ୍ଧନରୁ ମୁକ୍ତ ହୁଏ ଏବଂ ନିଜେ ସେହି ଭଗବାନଙ୍କର ସ୍ୱରୂପ ମଧ୍ୟ ଲାଭ କରିପାରେ।

ସମ୍ବନ୍ଧିତ ଖବର