ଓଡ଼ିଆ ବର୍ଷ ଗଣନାର ଦ୍ୱିତୀୟ ମାସ ହେଉଛି ଜ୍ୟୈଷ୍ଠ। ଏହା ବୈଶାଖର ପରବର୍ତ୍ତୀ ମାସ। ଏହି ମାସର ପୂର୍ଣ୍ଣିମା ଦିନ ଚନ୍ଦ୍ର ଜ୍ୟେଷ୍ଠା ନକ୍ଷତ୍ରରେ ଅବସ୍ଥାନ କରନ୍ତି। ଏଣୁ ଜ୍ୟେଷ୍ଠା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ହେତୁ ଏହାର ନାମ ଜ୍ୟୈଷ୍ଠ ହୋଇଛି। ୨୭ଟି ନକ୍ଷତ୍ର ମଧ୍ୟରୁ ଏହି ନକ୍ଷତ୍ରର ସଂଖ୍ୟା ଅଷ୍ଟାଦଶ। ଭଗବାନ ବିଷ୍ଣୁଙ୍କ ନାମ ଅନୁସାରେ, ଏହି ମାସର ଅଧିପତି ହେଉଛନ୍ତି ‘ତ୍ରିବିକ୍ରମ’।
‘ତ୍ରିବିକ୍ରମ’ ନାମର ବିଶେଷ ତାତ୍ପର୍ଯ୍ୟ ରହିଛି। ଏହି ନାମ ‘ଋକ୍ବେଦ’ରେ ବି ଅଛି। ସେହି ସମୟରେ ସୂର୍ଯ୍ୟ ଓ ବିଷ୍ଣୁ ଅଭିନ୍ନ ଥିଲେ। ସୂର୍ଯ୍ୟଙ୍କର ତିନିଟି ସ୍ଥିତି ଅନୁସାରେ ତାଙ୍କୁ ତ୍ରିବିକ୍ରମ କୁହାଯାଏ। ଏହି ତିନି ସ୍ଥିତି ହେଉଛି- ଉଦୟ, ମଧ୍ୟାହ୍ନ ଓ ଅସ୍ତ। ପରବର୍ତ୍ତୀ କାଳରେ ବିଷ୍ଣୁଙ୍କୁ ମଧ୍ୟ ତ୍ରିବିକ୍ରମ କୁହାଗଲା। ଏହାର ବିଶେଷତ୍ୱ ହେଉଛି- ବିଷ୍ଣୁ ପୃଥିବୀରେ ଅଗ୍ନି, ଆକାଶରେ ସୂର୍ଯ୍ୟ ଓ ଅନ୍ତରୀକ୍ଷରେ ବାୟୁ ରୂପେ ବିଦ୍ୟମାନ।
କ୍ରମେ ଏହି ନାମ ବିଷ୍ଣୁଙ୍କର ବାମନ ଅବତାର ସହିତ ମଧ୍ୟ ଯୋଡ଼ି ହୋଇଛି। ଏହି ଅବତାରର ଉପାଖ୍ୟାନ ଅନୁସାରେ, ତ୍ରେତାଯୁଗରେ ବିଷ୍ଣୁଭକ୍ତ ପ୍ରହ୍ଲାଦଙ୍କର ପୌତ୍ର ଥିଲେ ଦୈତ୍ୟରାଜ ବଳି। ନିଜର ତପସ୍ୟା ଓ ଭକ୍ତି ବଳରେ ସେ ବର ପାଇ ତ୍ରିଲୋକର ଅଧିପତି ହୋଇଥିଲେ। ତାଙ୍କର ପରାକ୍ରମରେ ଦେବତାମାନେ ନିଜକୁ ନିଷ୍ପ୍ରଭ ମନେ କରୁଥିଲେ। ତେଣୁ ବ୍ରହ୍ମାଦି ଦେବତାଙ୍କ ଅନୁରୋଧରେ ଭଗବାନ ବିଷ୍ଣୁ ବାମନ ରୂପରେ ମର୍ତ୍ତ୍ୟରେ ଅବତାର ଗ୍ରହଣ କଲେ। ତାଙ୍କର ପିତା ଓ ମାତା ଥିଲେ କଶ୍ୟପ ଓ ଅଦିତି।
ଦୈତ୍ୟରାଜ ବଳି ଥିଲେ ଦାନୀ। ସେ ବିଶ୍ୱଜିତ୍ ଯଜ୍ଞ କରି ଦାନ ଦେଉଥିବା ବେଳେ, ବାମନରୂପୀ ବିଷ୍ଣୁ ସେଠାରେ ପହଞ୍ଚି କହିଲେ- ଦାନରେ ମାତ୍ର ତିନିପାଦ ଭୂମି ମୋତେ ଦରକାର। ଯଦି ଦେଇ ପାରିବ, ସତ୍ୟ କର। ବଳି ସତ୍ୟ କରି ସେହି ଦାନ ଦେବାକୁ ରାଜି ହେଲେ। କାରଣ, ସେ ଭାବିଲେ- ଇଏତ ବାମନ, ତିନିପାଦ ଭୂମି ବା କେତେ! ନିଶ୍ଚିତ ଭାବରେ ତୁଚ୍ଛ। ସେଇଠୁ ବାମନରୂପୀ ବିଷ୍ଣୁ ତାଙ୍କର ପ୍ରଥମ ପାଦରେ ସମଗ୍ର ପୃଥିବୀକୁ ଅଧିକାର କରିନେଲେ। ତାଙ୍କର ଦ୍ୱିତୀୟପାଦ ସମଗ୍ର ଆକାଶକୁ ଅଧିକାର କଲା। ତାହା ପରେ ତାଙ୍କର ନାଭି ସ୍ଥଳରୁ ତୃତୀୟପାଦ ବାହାରିଲା। ସେହି ତୃତୀୟପାଦର ଭୂମିପାଇଁ ପୃଥିବୀ ଓ ଆକାଶରେ ସ୍ଥାନ ନଥିବାରୁ ବଳି ନିଜର ମଥା ପାତିଦେଲେ। ଫଳରେ ତୃତୀୟ ପାଦରେ ବିଷ୍ଣୁ ତାଙ୍କୁ ପାତାଳକୁ ଚାପିଦେଲେ। ଏଇଥିପାଇଁ ବିଷ୍ଣୁଙ୍କର ଗୋଟିଏ ନାମ ‘ତ୍ରିପାଦ’। ପୁଣି ଏହି ତ୍ରିପାଦରେ ସେ ମର୍ତ୍ତ୍ୟ, ସ୍ୱର୍ଗ ଓ ପାତାଳ ତିନିପୁରରେ ନିଜର ବିକ୍ରମ ପ୍ରଦର୍ଶନ କରିଥିବାରୁ ତାଙ୍କର ନାମ ‘ତ୍ରିବିକ୍ରମ’।
ଏହାର ଆଉ ଗୋଟିଏ ତାତ୍ପର୍ଯ୍ୟ ମଧ୍ୟ ରହିଛି। ତାହା ହେଉଛି- ଯିଏ ବାମନ, ସିଏ ବି ତ୍ରିବିକ୍ରମ ହୋଇପାରନ୍ତି। ଏଣୁ ଦୈତ୍ୟରାଜ ବଳି ପରି, କୌଣସି ବାମନଙ୍କୁ ଆମେ ତୁଚ୍ଛ ମନେ କରିବା ଉଚିତ ନୁହେଁ।