ଆଷାଢ଼ ମାସ ହେଉଛି ଠାକୁରମାନଙ୍କର ଶୟନର ମାସ। ଏହି ମାସର ଶୁକ୍ଳ ଏକାଦଶୀ ତିଥିରେ ଭଗବାନ ବିଷ୍ଣୁ ଶୟନ କରନ୍ତି। ଏଣୁ ଏହାର ନାମ ହରିଶୟନ ଏକାଦଶୀ। ସେହିପରି ଦ୍ୱାଦଶୀ ତିଥିରେ ରଘୁନାଥ ବା ରାମଚନ୍ଦ୍ର ଏବଂ ଚତୁର୍ଦ୍ଦଶୀ ତିଥିରେ ଶିବ ଶୟନ କରନ୍ତି। ଏହି ତିନିଟି ତିଥିକୁ ଯଥାକ୍ରମେ ଶୟନ ଏକାଦଶୀ, ଶୟନ ଦ୍ୱାଦଶୀ ଓ ଶୟନ ଚତୁର୍ଦ୍ଦଶୀ କୁହାଯାଏ।
Sambad is now on WhatsApp
Join and get latest news updates delivered to you via WhatsApp
ଦେବତାମାନଙ୍କର ଏହି ଶୟନର ଅବଧି ଚାରିମାସ। ଅର୍ଥାତ୍ ଆଷାଢ଼ ଶୁକ୍ଳ ଏକାଦଶୀରେ ଆରମ୍ଭ ହେଉଥିବା ହରିଶୟନ ନୀତି ଶେଷ ହୁଏ କାର୍ତ୍ତିକ ଶୁକ୍ଳ ଏକାଦଶୀର ଦେବୋତ୍ଥାନ ଏକାଦଶୀରେ। ମଝିରେ ଭାଦ୍ରବ ଶୁକ୍ଳ ଏକାଦଶୀ ହେଉଛି ପାଶ୍ୱର୍ପରିବର୍ତ୍ତନ ଏକାଦଶୀ। କାରଣ ଏହି ତିଥିରେ ଠାକୁର କଡ଼ ଲେଉଟାନ୍ତି। ଶ୍ରୀଜଗନ୍ନାଥଙ୍କର ଦ୍ୱାଦଶଯାତ୍ରା ମଧ୍ୟରେ ଏହି ତିନିଟି ତିଥିର ଯାତ୍ରା ଅନ୍ତର୍ଭୁକ୍ତ ହୋଇଛି।
ସେହିପରି ଆଷାଢ଼ ଶୁକ୍ଳ ଦ୍ୱାଦଶୀରେ ଆରମ୍ଭ ହେଉଥିବା ରଘୁନାଥଙ୍କର ଦେବଶୟନ ନୀତି ଶେଷ ହୁଏ କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀରେ। ମଝିରେ ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ଦିନ ସେ ପାର୍ଶ୍ବ ପରିବର୍ତ୍ତନ କରନ୍ତି।
ଶିବଙ୍କର ଶୟନ ନୀତି ମଧ୍ୟ ସେହିପରି ଆଷାଢ଼ ଶୁକ୍ଳ ଚତୁର୍ଦ୍ଦଶୀରେ ଆରମ୍ଭ ହୋଇ ଶେଷ ହୁଏ କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀରେ। ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀରେ ସେ ପାର୍ଶ୍ବ ପରିବର୍ତ୍ତନ କରନ୍ତି।
ରଘୁନାଥ ବା ଶ୍ରୀରାମ ତ ଭଗବାନ ବିଷ୍ଣୁଙ୍କର ଅବତାର। କିନ୍ତୁ ବିଷ୍ଣୁ ହୁଅନ୍ତୁ ବା ଶିବ- ଦେବତା ଭାବରେ ତାଙ୍କର ସ୍ୱତନ୍ତ୍ର ଦାୟିତ୍ୱ ଅଛି। ସେମାନେ ଶୋଇବା ବେଳେ ସେହି ଦାୟିତ୍ୱ କିଏ ତୁଲାଏ? ସତରେ କ’ଣ ସେମାନେ ଶୁଅନ୍ତି?
ଏହାର ସୁନ୍ଦର ଉତ୍ତର ଆମକୁ ମିଳେ ‘କଠୋପନିଷଦ’ର ‘ଦ୍ୱିତୀୟ ବଲ୍ଲୀ’ରୁ। ତାହାର ଏକବିଂଶ ଶ୍ଳୋକରେ କୁହାଯାଇଛି- “ସେ ବ୍ରହ୍ମ ନିଶ୍ଚଳ ହୋଇ ସୁଦ୍ଧା ଦୂରକୁ ପ୍ରାପ୍ତ ହୁଅନ୍ତି। ସମସ୍ତଙ୍କୁ ଗତିଶୀଳ କରାନ୍ତି। ଶାୟିତ ହୋଇ ସୁଦ୍ଧା ସେ ସର୍ବତ୍ର ଗମନ କରିପାରନ୍ତି।”
ଏହାର ସୁନ୍ଦର ନିଦର୍ଶନ ମିଳେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ଶୟନ ନୀତିରୁ। ବାହୁଡ଼ା ଦଶମୀ ପରଦିନ, ରଥ ଉପରେ ଏହି ହରିଶୟନ ଏକାଦଶୀ ନୀତି ଅନୁଷ୍ଠିତ ହୁଏ। ଏଥି ନିମନ୍ତେ ଭଣ୍ଡାରଘରୁ ଶୟନଠାକୁରଙ୍କର ତିନି ପ୍ରତିମାଙ୍କୁ ରଥକୁ ଅଣାଯାଏ। ଏହି ଶୟନ ପ୍ରତିମା ହେଉଛନ୍ତି ନାରାୟଣ, ବାସୁଦେବ ଓ ଭୁବନେଶ୍ୱରୀଙ୍କର ସୁବର୍ଣ୍ଣ ପ୍ରତିମା। ଶୟନ ନୀତି ବଢ଼ିବା ପରେ ସେମାନଙ୍କୁ ରଥରୁ ନେଇ ଭଣ୍ଡାର ଘର ସାମନା ଖଟଶେଯ ଘର ଉପରେ, ଶୟନ ଘରେ ଶୁଆଇ ଦିଆଯାଏ।
ଏ ପ୍ରସଙ୍ଗରେ ‘ନୀଳାଦ୍ରି ମହୋଦୟ’ରେ କୁହାଯାଇଛି- ଜାଗ୍ରତ, ସ୍ୱପ୍ନ ବା ନିଦ୍ରା ଅବସ୍ଥାରେ ସେ ସମସ୍ତଙ୍କୁ ରକ୍ଷାକରନ୍ତି। ଲୋକଙ୍କର କଲ୍ୟାଣ ଓ ଦୁର୍ଜନମାନଙ୍କର ବିନାଶ ପାଇଁ ସେ କଡ଼ ଲେଉଟାନ୍ତି। ପରିଶେଷରେ ନିଦ୍ରାତ୍ୟାଗ କରି ଉଠିଲାବେଳେ ତାଙ୍କୁ ପ୍ରାର୍ଥନା କରି କୁହାଯାଏ- ହେ ଦେବ! ଜଗତର ପରିପାଳନ କାର୍ଯ୍ୟ ତଦାରଖ କରନ୍ତୁ।”
ଏଣୁ ନିଦ୍ରା, ସ୍ୱପ୍ନ ଓ ଜାଗ୍ରତ- ସବୁ ସମୟରେ ଠାକୁରମାନେ ସେମାନଙ୍କର ଦାୟିତ୍ୱ ନିର୍ବାହ କରିଥାନ୍ତି। ସେମାନଙ୍କର ଶୟନ ପ୍ରକୃତରେ ଆମ ଶୟନ ପରି ନୁହେଁ।