ଜୀବନ-ମନ୍ତ୍ର : ମସ୍ତକେ ତୋ ସପ୍ତଫଣୀ କିରୀଟ ମୁକୁଟ

ଶ୍ରାବଣ ପୂର୍ଣ୍ଣିମା ବଡ଼ଠାକୁର ବଳଭଦ୍ରଙ୍କର ଜନ୍ମଦିନ। ଶ୍ରୀମନ୍ଦିରରେ ଏହିଦିନ ତାଙ୍କର ଜନ୍ମନୀତି ପାଳନ ହୁଏ। କିନ୍ତୁ ଶ୍ରୀମନ୍ଦିରରେ ଅନୁଷ୍ଠିତ ଶ୍ରୀକୃଷ୍ଣ, ଶ୍ରୀରାମ, ଶ୍ରୀବାମନ ଓ ଶ୍ରୀନୃସିଂହଙ୍କ ଜନ୍ମନୀତିଠାରୁ ଶ୍ରୀବଳଭଦ୍ରଙ୍କର ଜନ୍ମନୀତି ପୃଥକ୍। କାରଣ, ସେସବୁ ଜନ୍ମନୀତି ଶ୍ରୀମନ୍ଦିର ଭିତରେ ପାଳିତ ହେଉଥିବାବେଳେ, ଶ୍ରୀବଳଭଦ୍ରଙ୍କର ଜନ୍ମନୀତି ଶ୍ରୀମନ୍ଦିର ବାହାରେ ପାଳିତ ହୋଇଥାଏ।

ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ ଏହି ଯେ ଶ୍ରୀମନ୍ଦିର ଭିତରେ ପାଳିତ ହେଉଥିବା ଶ୍ରୀକୃଷ୍ଣ ଓ ଶ୍ରୀବାମନଙ୍କ ଜନ୍ମନୀତିରେ, ସ୍ୱତନ୍ତ୍ର ଜନ୍ମପଟି ଓ କ୍ଷୁଦ୍ର ସ୍ୱର୍ଣ୍ଣ ପ୍ରତିମା ପ୍ରୟୋଜନ ହୋଇଥାଏ। ଶ୍ରୀରାମ ଓ ଶ୍ରୀନୃସିଂହଙ୍କ ଜନ୍ମନୀତିରେ ଉତ୍ସବମୂର୍ତ୍ତି ଦକ୍ଷିଣଘରୁ ଆସିଥାଆନ୍ତି। କିନ୍ତୁ ଶ୍ରୀବଳଭଦ୍ରଙ୍କ ଜନ୍ମନୀତିରେ ସ୍ୱତନ୍ତ୍ର ଭାବରେ ଏକ ମାଟିର ମୂର୍ତ୍ତି ନିର୍ମିତ ହୁଅନ୍ତି। ପୁଣି ଉଲ୍ଲିଖିତ ଚାରି ଜନ୍ମନୀତି ଶ୍ରୀମନ୍ଦିର ଭିତରେ ପାଳିତ ହେଉଥିବାବେଳେ, ଏହି ଜନ୍ମନୀତି ଶ୍ରୀମନ୍ଦିର ବାହାରେ, ମାର୍କଣ୍ଡ ପୁଷ୍କରିଣୀଠାରେ ପାଳିତ ହୋଇଥାଏ।

ଶ୍ରୀବଳଭଦ୍ରଙ୍କର ଜନ୍ମନୀତି ପାଳନ ପାଇଁ ମାର୍କଣ୍ଡ ପୁଷ୍କରିଣୀଠାରେ ଏକ ସ୍ୱତନ୍ତ୍ର ମଣ୍ଡପ ଅଛି। ପର୍ବ ପାଳନ ପୂର୍ବରୁ, ପ୍ରଥମେ ଶ୍ରୀସୁଦର୍ଶନଙ୍କୁ ସୁବେଶ କରି ନେଇ ସେହି ମଣ୍ଡପଠାରେ ବିଜେ କରାଯାଏ। ଶ୍ରୀବଳଭଦ୍ରଙ୍କର ମୂର୍ତ୍ତି ନିର୍ମାଣପାଇଁ କୁମ୍ଭାରବିଶୋଇ ଚିକିଟାମାଟି ପ୍ରସ୍ତୁତ କରି ଦେଇଥାଆନ୍ତି। ସେହି ମାଟିରେ ସୁଧସୁଆର ସେବକ ଶ୍ରୀବଳଭଦ୍ରଙ୍କର ଶିଶୁମୂର୍ତ୍ତି ନିର୍ମାଣ କରନ୍ତି। ତା’ପରେ ପୂଜାପଣ୍ଡା ସେବକ ତାଙ୍କୁ ଜୀବନ୍ୟାସ ଦିଅନ୍ତି ଏବଂ ତାଙ୍କର ଜାତକର୍ମ କରାଯାଏ। ମୁଦିରସ୍ତ ସେବକ ପ୍ରସାଦ ଲାଗି ଏବଂ ପୂଜାପଣ୍ଡା ସେବକ ପଞ୍ଚୋପଚାର ପୂଜା ଓ ବନ୍ଦାପନା କରନ୍ତି। ପରିଶେଷରେ ଶ୍ରୀବଳଭଦ୍ରଙ୍କର ସେହି ମାଟିପିତୁଳାଙ୍କୁ ପାଣିରେ ବିସର୍ଜନ କରିଦିଆଯାଏ। ଏ ସଂପର୍କରେ ଉଲ୍ଲେଖନୀୟ ବିଷୟ ହେଉଛି- ଶ୍ରୀବଳଭଦ୍ରଙ୍କର ମୂର୍ତ୍ତିତତ୍ତ୍ୱ ଅନୁସାରେ ଏହି ମାଟିପିତୁଳାଙ୍କ ମସ୍ତକରେ ସାତଟି ଫଣା ରହିଥାଏ। ବଳରାମ ଦାସଙ୍କ ‘ଦାଣ୍ଡିରାମାୟଣ’ରେ ଶ୍ରୀବଳଭଦ୍ରଙ୍କ ମସ୍ତକର ଏହି ସପ୍ତଫଣୀ ସଂପର୍କରେ ବର୍ଣ୍ଣନା ଅଛି। ସେଥିରେ କୁହାଯାଇଛି, “ମସ୍ତକେ ତୋ ସପ୍ତଫଣୀ କିରୀଟ ମୁକୁଟ।” ଆହୁରି ମଧ୍ୟ ଉଲ୍ଲେଖନୀୟ ଯେ ‘ମହାଭାରତ’ରେ ଶ୍ରୀବଳଭଦ୍ରଙ୍କୁ ଶେଷସର୍ପଙ୍କ ଅବତାର ବୋଲି କୁହାଯାଇଛି। ସେହିପରି, ‘ସ୍କନ୍ଦପୁରାଣ’ ବିଷ୍ଣୁଖଣ୍ଡରେ ମଧ୍ୟ ତାଙ୍କୁ ସପ୍ତଫଣୀମଣ୍ଡିତ ଏବଂ ତାଙ୍କର ଶିରଦେଶରେ ସପ୍ତଫଣାଯୁକ୍ତ ନାଗରାଜ ବିରାଜମାନ କରନ୍ତି ବୋଲି ଉଲ୍ଲେଖ ଅଛି। ସେହି ଅନୁସାରେ, ଶ୍ରୀବଳଭଦ୍ରଙ୍କର ମାଟିପିତୁଳାରେ ସଂପୃକ୍ତ ସେବକମାନେ ସପ୍ତଫଣା ନିର୍ମାଣ କରିଥାଆନ୍ତି।

କିନ୍ତୁ ଅନ୍ୟ କୌଣସି ଜନ୍ମନୀତିରେ ଏପରି ମାଟିପିତୁଳା ହେଉ ନଥିବା ବେଳେ, ଶ୍ରୀବଳଭଦ୍ରଙ୍କ ଜନ୍ମନୀତିରେ କାହିଁକି ଏହି ମାଟିପିତୁଳା ନିର୍ମାଣ ହୋଇଥାଏ? ଏହାର କାରଣ ସମ୍ଭବତଃ ଏହି ଯେ ଶ୍ରୀବଳଭଦ୍ର ମୂଳତଃ କୃଷିକର୍ମର ଦେବତା। ତାଙ୍କର ଆୟୁଧ ଲଙ୍ଗଳ। ସେଥିପାଇଁ ଶ୍ରୀମନ୍ଦିର ବାହାରେ ତାଙ୍କର ଜନ୍ମନୀତି ପାଳିତ ହୋଇ, ମାଟିରେ ଜନ୍ମମୂର୍ତ୍ତି ନିର୍ମାଣ କରାଯାଇଥାଏ। ଏଣୁ ସେ ଆମର ମାଟିର ବଡ଼ଠାକୁର।

ସମ୍ବନ୍ଧିତ ଖବର