ବୁଧେଇ ସୁଧେଇଙ୍କ କଥା

ଭାଦ୍ରବ ମାସରେ ପାଳନୀୟ ଅନେକ ଓଷାବ୍ରତ ମଧ୍ୟରୁ ଗୋଟିଏ ହେଉଛି ‘ବୁଧେଇ ଓଷା’। ଏହାକୁ ‘ବୁଧିବାମନ ଓଷା’ ମଧ୍ୟ କହନ୍ତି। ଦେବତାମାନଙ୍କର ରାଜକୁମାର ଭାବରେ ପରିଚିତ ବୁଧଗ୍ରହଙ୍କ ନାମାନୁସାରେ ସପ୍ତାହର ଗୋଟିଏ ବାରର ନାମ ବୁଧବାର। ଏହି ବାରରେ ବୁଧେଇ ଓଷା ଅନୁଷ୍ଠିତ ହୋଇଥାଏ। ସାଧାରଣତଃ ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ପରଦିନଠାରୁ ଭାଦ୍ରବ ପୂର୍ଣ୍ଣିମା ବା ଇନ୍ଦୁପୂର୍ଣ୍ଣିମା ପର୍ଯ୍ୟନ୍ତ, ପ୍ରତ୍ୟେକ ବୁଧବାରରେ ସଧବା ସ୍ତ୍ରୀ ମାନେ ଉପବାସ ରହି ଏହି ବ୍ରତପାଳନ କରିଥାନ୍ତି।

ଏହି ବ୍ରତରେ ଗୋଟିଏ ଶିଳ ଓ ଶିଳପୁଆକୁ ଧୋଇ, ପୋଛି ଏକ ପିଢ଼ାର ଆସ୍ଥାନ ଉପରେ ସ୍ଥାପନ କରାଯାଏ। ଅଁଳାକୁ ଗଂଗାଜଳରେ ଧୋଇ, ତା’ ସହିତ ହଳଦୀ ଓ ମେଥି ବାଟି, ସେଥିରେ ଦୁଇଟି ମୂର୍ତ୍ତି ଶିଳ ଓ ଶିଳପୂଆ ଉପରେ ପ୍ରସ୍ତୁତ କରାଯାଏ। ଏହି ଦୁଇ ମୂର୍ତ୍ତିଙ୍କର ନାମ ‘ବୁଧେଇ’ ଓ ‘ସୁଧେଇ’। କଉଡ଼ି ଓ ଗଳିଗୁଆରେ ସେହି ମୂର୍ତ୍ତିଙ୍କର ଆଖି, ନାକ, କାନ ଓ ପାଟି ଆଦି ତିଆରି କରି, ଆଖିରେ କଜ୍ଜ୍ୱଳ ଓ ମଥାରେ ସିନ୍ଦୂର ଲଗାଯାଏ। ହଳଦିଆ ଫୁଲ ଓ ବେଲପତ୍ରରେ ମୂର୍ତ୍ତିଙ୍କୁ ସଜାଇ, ନାଲିଶାଢ଼ି ପିନ୍ଧାଇ ଓଢ଼ଣା ଦିଆଯାଏ। କେତେକ ସ୍ଥାନରେ ଫୁଲମାଳ ସହିତ ସେହି ହଳଦୀରେ ଗଢ଼ା ପ୍ରତିମାଙ୍କୁ ଖଇମାଳ ମଧ୍ୟ ପିନ୍ଧାଯାଏ। ଓଷା କୋଠି ଆଗରେ ପାହାଡ଼ା ପଡ଼ିଥାଏ। ପାଞ୍ଚରଙ୍ଗର ଫୁଲ, ପାଞ୍ଚରଙ୍ଗର ଫଳ, ପାଞ୍ଚଟି ଧୂପ, ପାଞ୍ଚଟି ଦୂବ ଓ ପାଞ୍ଚଟି ଅକ୍ଷତ ରଖି, ଆସ୍ଥାନ ପାଖରେ ସଂକଳ୍ପ ନଡ଼ିଆ ଥାପି ପୂଜା ଆରମ୍ଭ କରାଯାଏ। ବୁଧେଇ ଓଷା ବ୍ରତକଥା ବହି ପଢ଼ାହୁଏ।

ଏହି ଓଷାବ୍ରତକଥା ବହିର ପାଞ୍ଚଟି ଅଧ୍ୟାୟ। ସେଥିରେ ବୁଧେଇଙ୍କର ମହିମା ବର୍ଣ୍ଣିତ। ଏହି ବ୍ରତରେ ପ୍ରଥମେ ଇଷ୍ଟଦେବୀ ଭାବରେ ବିମଳାଙ୍କୁ ସ୍ତୁତି କରାଯାଉଥିଲେ ମଧ୍ୟ, ହଳଦୀ ନିର୍ମିତ ମୂର୍ତ୍ତିକୁ ଜଗନ୍ନାଥ ଓ ବିମଳା ବା ବୁଧ ଓ ମଂଗଳା ଭାବରେ ମଧ୍ୟ ପୂଜା କରାଯାଏ।

ଏହି ପୂଜାର ଗୋଟିଏ ବିଶେଷ କଥା ହେଉଛି- ଦୁଇଟିଯାକ ପୁରୁଷ ମୂର୍ତ୍ତି ହୋଇଥିଲେ ମଧ୍ୟ, ତାହାଙ୍କୁ ସ୍ତ୍ରୀ ଭାବରେ ସଜ୍ଜିତ କରାଯାଇଥାଏ। ଫଳରେ ଗ୍ରାମ୍ୟକରଣରେ ଉଭୟଲିଙ୍ଗି ବୁଧ କ୍ରମଶଃ ବୁଧେଇରେ ପରିଣତ ହୋଇଯାଇଛନ୍ତି ଏବଂ ତାଙ୍କୁ ଶକ୍ତି ଭାବରେ ପୂଜା କରାଯାଉଛି। ସ୍ୱୟଂ ଜଗନ୍ନାଥ ଆଷାଢ଼ରେ ବାମନ ହେଲେ ମଧ୍ୟ, ଭାଦ୍ରବରେ ବୁଧିବାମନରେ ପରିଣତ ହୋଇ ଏଥିରେ ପୂଜିତ।

ବୁଧ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶରୀରର ଅଧର କ୍ଷେତ୍ର ଭାବରେ ପରିଚିତ। ଅଧର ହେଉଛି ବାଣୀ କ୍ଷେତ୍ର ଓ ଆଶୀର୍ବଚନର କ୍ଷେତ୍ର। ଏହି ହେତୁ ସଧବା ନାରୀମାନେ ଆପାତତଃ ପୁତ୍ର କାମନା କରି ବା ପୁତ୍ରର ମଙ୍ଗଳ କାମନା କରି ଏହି ଓଷା କରିଥାଆନ୍ତି।

-ଡ଼କ୍‌ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର