ଭକ୍ତକବି ଜୟଦେବଙ୍କ ‘ଜୟଜୟ ଦେବ ହରେ’ରେ ଶ୍ରୀକୃଷ୍ଣଙ୍କୁ ‘କାଳୀୟ ବିଷଧର ଗଞ୍ଜନ’ ଭାବରେ ସମ୍ବୋଧନ କରାଯାଇଛି। କାରଣ ସେ କାଳୀୟକୁ ଲାଞ୍ଛିତ ଓ ପରାଜିତ କରିବା ସହିତ କାଳିନ୍ଦୀ ହ୍ରଦକୁ ତାର ବିଷଜ୍ୱାଳାରୁ ମୁକ୍ତ କରିଥିଲେ। ଏହା ‘କାଳୀୟ ଦଳନ’ ଲୀଳା ଭାବରେ ମଧ୍ୟ ପ୍ରସିଦ୍ଧ।

Advertisment

କାଳୀୟ ଥିଲା ଏକ ମହା ବିଷଧର ସର୍ପ। ଗରୁଡ଼ଙ୍କଠାରୁ ଯୁଦ୍ଧରେ ହାରିବା ପରେ, ସେ ଭୟରେ ଆଉ ସମୁଦ୍ରରେ ନରହି ଚାଲି ଆସିଥିଲା ଯମୁନାର ଜଳରେ ସୃଷ୍ଟ ଗଭୀର ହ୍ରଦ କାଳିନ୍ଦୀକୁ। ସେ ଓ ତାର ପୂରା ପରିବାର ସେଠି ରହୁଥିଲେ। କାରଣ, ସୌଭରି ନାମକ ଜଣେ ଋଷିଙ୍କ ଶାପରୁ ଗରୁଡ଼ ସେହି ହ୍ରଦରେ ପ୍ରବେଶ କରିପାରୁ ନଥିଲେ।

କାଳୀୟ ଆସି ସପରିବାର ରହିବା ପରେ କାଳିନ୍ଦୀର ଜଳ ବିଷାକ୍ତ ହୋଇଯାଇଥିଲା। ସେହି ଜଳ ପାନ କଲେ ଜୀବଜନ୍ତୁ ଓ ମନୁଷ୍ୟ ମୃତ୍ୟୁମୁଖରେ ପଡ଼ୁଥିଲେ। ଫଳରେ କାଳୀୟର ଦର୍ପଚୂର୍ଣ୍ଣ କରି କାଳିନ୍ଦୀକୁ ବିଷଜ୍ୱାଳାରୁ ମୁକ୍ତ କରିବାକୁ, ଶ୍ରୀକୃଷ୍ଣ ତା’ ସହ ଯୁଦ୍ଧ କରିବାକୁ ସ୍ଥିର କଲେ। କିନ୍ତୁ ଯୁଦ୍ଧ ପାଇଁ ଜଳରେ ପ୍ରବେଶ କରିବା ମାତ୍ରେ କାଳୀୟ ରାଗିଯାଇ ତାଙ୍କୁ ନିଜ ବନ୍ଧନରେ ବାନ୍ଧିଦେଲା। ଶ୍ରୀକୃଷ୍ଣ ସେଥିରୁ ମୁକ୍ତ ହେବାପାଇଁ ନିଜର ଶରୀରକୁ ବୃଦ୍ଧି କରିବାରେ ଲାଗିଲେ। ଫଳରେ କାଳୀୟର ଶରୀର ଛିନ୍ନ ହେବାରେ ଲାଗିଲା। ସେ ଶ୍ରୀକୃଷ୍ଣଙ୍କୁ ନିଜ ବନ୍ଧନରୁ ମୁକ୍ତ କରି, ସହସ୍ର ଫଣାରେ ତାଙ୍କୁ ଦଂଶନ କରିବାରେ ଲାଗିଲା।

କିନ୍ତୁ ଶ୍ରୀକୃଷ୍ଣ ତା’ର ଫଣା ଉପରେ ଚଢ଼ି ନୃତ୍ୟ କରିବାରେ ଲାଗିଲେ। ଫଳରେ ମରଣ ନିଶ୍ଚିତ ବୋଲି ଜାଣି କାଳୀୟ ଶ୍ରୀକୃଷ୍ଣଙ୍କର ଶରଣାପନ୍ନ ହେଲା। ତାକୁ କ୍ଷମା କରିଦେବାକୁ ତାଙ୍କୁ ପ୍ରାର୍ଥନା କଲା। କେବଳ ସେ ନୁହେଁ; ତା’ର ସ୍ତ୍ରୀ, ପୁତ୍ର ଓ କନ୍ୟା ମଧ୍ୟ ଶ୍ରୀକୃଷ୍ଣଙ୍କୁ ସେଥିପାଇଁ ପ୍ରାର୍ଥନା କଲେ। ଫଳରେ ଶ୍ରୀକୃଷ୍ଣ ତାକୁ ଶରଣ ଦେଲେ ଓ କ୍ଷମା କରିଦେଲେ। କାଳିନ୍ଦୀ ପରିତ୍ୟାଗ କରି ରମଣକ ଦ୍ୱୀପକୁ ଚାଲିଯିବା ପାଇଁ ତାକୁ ନିର୍ଦ୍ଦେଶ ଦେଲେ।

କିନ୍ତୁ ରମଣକ ଦ୍ୱୀପରେ ମଧ୍ୟ ଗରୁଡ଼ ଭୟ ରହିବ ବୋଲି କାଳୀୟ କହିବାରେ, ଶ୍ରୀକୃଷ୍ଣ କହିଲେ, ତାଙ୍କର ପଦଚିହ୍ନ କାଳୀୟର ମସ୍ତକରେ ଥିବାରୁ ଗରୁଡ଼ ତାର କିଛି କ୍ଷତି କରିବ ନାହିଁ। ଏହା ସହିତ ଯିଏ ଶ୍ରୀକୃଷ୍ଣଙ୍କ ସହିତ କାଳୀୟକୁ ସ୍ମରଣ କରିବେ, ତାଙ୍କର ସର୍ପାଘାତ ଭୟ ରହିବ ନାହିଁ ବୋଲି ମଧ୍ୟ କହିଲେ। ଏ ସଂପର୍କରେ ଭାଗବତରେ କୁହାଯାଇଛି- “ତୋର ମୋହର ଏ ଚରିତ। ଯେ ସୁମରିବ ଅବିରତ।। ସର୍ପ ବିଘାତେ ନାହିଁ ବାଧା। ଯେଜନ ସୁମରେ ତ୍ରିସଂଧ୍ୟା।।’

ଭାଦ୍ରବ କୃଷ୍ଣ ଏକାଦଶୀ ତିଥିରେ ଶ୍ରୀକୃଷ୍ଣ କାଳୀୟକୁ ଦଳନ କରିଥିଲେ। ତେଣୁ ଏହିଦିନଟି ‘କାଳୀୟଦଳନ ଏକାଦଶୀ’ ଭାବରେ ଖ୍ୟାତ। ଶ୍ରୀମନ୍ଦିରରେ ଏହିଦିନ ଶ୍ରୀଜଗନ୍ନାଥଙ୍କର କାଳୀୟଦଳନ ବେଶ ଅନୁଷ୍ଠିତ ହୁଏ।