କୁରାଳଚକ୍ର ଓ ଢିଙ୍କି, ଚାଉଳ

‘କୁମ୍ଭାରଚକ’ ଓ ‘ଢିଙ୍କି’ ମାନବ ସଭ୍ୟତାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଉପାଦାନ। ଏହାକୁ ନେଇ ଆମର ଅନେକ ସଂସ୍କୃତି ବି ଗଢ଼ିଉଠିଛି। କୁମ୍ଭାରଚକରେ ହାଣ୍ଡି ଗଢ଼ାହୁଏ ଏବଂ ସେ ହାଣ୍ଡିରେ ଚାଉଳକୁ ରାନ୍ଧି ଭାତ କରାଯାଏ। ସଭ୍ୟତାର ଅନେକ ବିକାଶ ସତ୍ତ୍ୱେ, ଆଜି ବି ମାଟିପାତ୍ର ଓ ଢିଙ୍କିକୁଟା ଚାଉଳ ତାହାର ପ୍ରାସଙ୍ଗିକତା ହରାଇ ନାହିଁ।

ଏ ଦୁଇଟି କିପରି ମର୍ତ୍ତ୍ୟକୁ ଆସିଲେ, ସେ ସଂପର୍କରେ ରୋଚକ କାହାଣୀ ଦୀନକୃଷ୍ଣ ଦାସଙ୍କ ‘ବୃହତ୍ କୁରାଳ ପୁରାଣ’ରେ ଅଛି। ସେହି କାହାଣୀ ଅନୁସାରେ, ଯୋଗମାୟାଙ୍କ ନିର୍ଦ୍ଦେଶରେ, ବିଷ୍ଣୁଙ୍କଠାରୁ ସୁରସେନ ନାମକ ଚକ୍ର ଆଣି ରୁଦ୍ରପାଳ ମର୍ତ୍ତ୍ୟକୁ ଆସିଥିଲେ। ବିଷ୍ଣୁଙ୍କ ହାତରେ ଥିବା ଚାରିଟି ଚକ୍ର ମଧ୍ୟରୁ ତାହା ଗୋଟିଏ। ଆଉ ଦୁଇଟି ଚକ୍ର ଚନ୍ଦ୍ର ଓ ସୂର୍ଯ୍ୟ ନେଇଥିଲେ ଏବଂ ଗୋଟିଏ ବିଷ୍ଣୁଙ୍କ ହାତରେ ରହିଲା। ରୁଦ୍ରପାଳ ଆଣିଥିବା ଚକ୍ରଟି ମର୍ତ୍ତ୍ୟରେ ହେଲା କୁମ୍ଭକାରମାନଙ୍କର ଚକ୍ର ବା ‘କୁରାଳଚକ୍ର’।

ସେତେବେଳେ ଲୋକେ ଧାନରୁ ଚୋପା ଛଡ଼ାଉ ନଥିଲେ। ତାହା ଖାଇ ସେମାନଙ୍କର ଅଜୀର୍ଣ୍ଣ ହେଉଥିଲା। ତେଣୁ ରୁଦ୍ରପାଳ ହାଣ୍ଡିଗଢ଼ିବା ଆଗରୁ, ଧାନରୁ କିପରି ଚାଉଳ ବାହାର କରାଯିବ ସେ କଥା ପ୍ରଥମେ ଚିନ୍ତା କଲେ। ବିଷ୍ଣୁଙ୍କ ଆଦେଶରେ ସେ ମେରୁ ପର୍ବତ ଶିଖରକୁ ଯାଇ ସୁରସେନ ଚକ୍ରରେ ଗୋଟିଏ ଦାରୁବୃକ୍ଷ ଛେଦନ କଲେ। ସେହି ଦାରୁରୁ ଢିଙ୍କି ଗଢ଼ା ହେଲା। ନାରଦ ହେଉଛନ୍ତି ସ୍ୱର୍ଗ ଓ ମର୍ତ୍ତ୍ୟ ମଧ୍ୟରେ ସଂଯୋଗ ରକ୍ଷା କରୁଥିବା ଋଷି। ତେଣୁ ସେ ସେହି ଢିଙ୍କିକୁ ନିଜର ବାହନ କଲେ। ସେହିଥିରେ ବସାଇ ସେ ରୁଦ୍ରପାଳଙ୍କୁ ମର୍ତ୍ତ୍ୟକୁ ଆଣିଲେ। ସେହି ଢିଙ୍କିରେ ଧାନକୁ କୁଟି ଚାଉଳ କରାଗଲା ଏବଂ ରୁଦ୍ରପାଳ ରନ୍ଧନପାଇଁ କୁରାଳଚକ୍ରରେ ହାଣ୍ଡି ଗଢ଼ିଲେ। ଏଣିକି ଚାଉଳରୁ ଭାତ ରନ୍ଧା ହୋଇପାରିଲା।

ଏହି କାହାଣୀ ସହିତ ଭଗବାନ ବିଷ୍ଣୁଙ୍କର ବରାହ ଅବତାରର ସଂଯୋଗ ସୂତ୍ର ରହିଛି। ସେହି ପ୍ରସଙ୍ଗ ଅନୁସାରେ, ବିଷ୍ଣୁ ବରାହ ଅବତାରରେ ସମୁଦ୍ର ଗର୍ଭରୁ ପୃଥିବୀକୁ ନିଜର ଦାନ୍ତରେ ଧରି ଉଦ୍ଧାର କରିଥିଲେ। ତେଣୁ ପୃଥିବୀର ମାଟି ବରାହ ଅବତାରଙ୍କର ଦନ୍ତସ୍ପର୍ଶରେ ପବିତ୍ର ହୋଇଯାଇଥିଲା। ରୁଦ୍ରପାଳ ସେହି ମୃତ୍ତିକାକୁ ସଂସ୍କାର କରି, ସୁରସେନ ଚକ୍ରଦ୍ୱାରା ମାଟିପାତ୍ର ଗଢ଼ିବା ଆରମ୍ଭ କରିଥିଲେ। ତେଣୁ ପୌଷ ଶୁକ୍ଳ ପଞ୍ଚମୀର ‘କୁରାଳ ପଞ୍ଚମୀ’ ପୂଜା ପରେ, କୁମ୍ଭକାରମାନେ ବାର୍‌ହା ଗାତରୁ ମାଟି ଆଣି, ମାଟିପାତ୍ର ଗଢ଼ାର ଶୁଭ ଅନୁକୂଳ କରିବାର ବିଧି ରହିଛି।

ଏଣୁ କୁମ୍ଭାରଚକ ମୂଳତଃ ଏକ ବିଷ୍ଣୁଚକ୍ର। ସେଥିପାଇଁ କୁମ୍ଭକାରମାନେ ତାହାକୁ ‘ବ୍ରହ୍ମକୁରାଳଚକ୍ର’ ରୂପେ ହିଁ ପୂଜା କରିଥାଆନ୍ତି।

ସମ୍ବନ୍ଧିତ ଖବର