ମାସ ଆଶ୍ୱିନ, ଅଧିପତି ପଦ୍ମନାଭ

ଜୀବନ-ମନ୍ତ୍ର

ଭାଦ୍ରବ ପରବର୍ତ୍ତୀ ଓ କାର୍ତ୍ତିକ ପୂର୍ବବର୍ତ୍ତୀ ମାସ ହେଉଛି ‘ଆଶ୍ୱିନ’। ଏ ମାସର ପୂର୍ଣ୍ଣିମାରେ ଚନ୍ଦ୍ର ‘ଅଶ୍ୱିନୀ’ ନକ୍ଷତ୍ରରେ ଅବସ୍ଥାନ କରନ୍ତି। ତେଣୁ ଏହାର ନାମ ଆଶ୍ୱିନ। ଏଇଥିପାଇଁ ଆଶ୍ୱିନପୂର୍ଣ୍ଣିମାର ଆଉ ଗୋଟିଏ ନାଆଁ ‘ଆଶ୍ୱିନୀ’।

ବିଭିନ୍ନ ମାସର ଅଧିପତି ଭାବରେ ଭଗବାନ ବିଷ୍ଣୁଙ୍କର ଭିନ୍ନଭିନ୍ନ ନାମ ରହିଛି। ସେହି ଅନୁସାରେ, ଆଶ୍ୱିନ ମାସର ଅଧିପତି ହେଉଛନ୍ତି ‘ପଦ୍ମନାଭ’।

ଏହି ମାସର ଗୋଟିଏ ବିଶେଷ ଅନୁଷ୍ଠାନ ହେଉଛି ‘ପିତୃତର୍ପଣ’।

ସଂସାରୀ ମଣିଷ ନିଜ ଜୀବନକାଳରେ ପାଞ୍ଚଟି ଋଣ ପରିଶୋଧ କରିବା ଆବଶ୍ୟକ ବୋଲି ଶାସ୍ତ୍ର, ଗ୍ରନ୍ଥ ଆଦିରେ ନିର୍ଦ୍ଦେଶ ଅଛି। ଏଥିରୁ ଗୋଟିଏ ହେଉଛି ‘ପିତୃଋଣ’। ଶାସ୍ତ୍ରାନୁସାରେ, ଆଶ୍ୱିନ ମାସର କୃଷ୍ଣପକ୍ଷ ଏହି ଋଣ ପରିଶୋଧ ପାଇଁ ଉପଯୁକ୍ତ। ଏହି ଋଣ ମଧ୍ୟରେ ପିତୃଋଣ, ମାତୃଋଣ ଓ ମାତୁଳଋଣ ଅନ୍ତର୍ଭୁକ୍ତ।

ଏହାର ଗୋଟିଏ ବିଶେଷ ଭିତ୍ତି ମଧ୍ୟ ଅଛି। ଜ୍ୟୋତିଷଶାସ୍ତ୍ରବିତ୍ ଅନାମଚନ୍ଦ୍ର ସାହୁଙ୍କ ଅନୁସାରେ- ଏହି ମାସରେ ରବି କନ୍ୟା ଓ ତୁଳା ରାଶିରେ ଅବସ୍ଥାନ କରନ୍ତି। କିନ୍ତୁ ସଂକ୍ରାନ୍ତି ଅନୁସାରେ ଆଶ୍ୱିନକୁ କନ୍ୟା ମାସ କୁହାଯାଏ। କନ୍ୟା ରାଶିରେ ରବି ନୀଚା ଆରୋହୀ ଓ ତୁଳା ରାଶିରେ ରବି ନୀଚ। ରବି ପିତୃଗଣଙ୍କୁ ପ୍ରତିନିଧିତ୍ୱ କରନ୍ତି। ତେଣୁ ଏହି ମାସରେ ପିତୃଗଣ, ପିତୃଲୋକରୁ ନିମ୍ନମୁଖୀ ହୋଇ ମର୍ତ୍ତ୍ୟଲୋକର ନିକଟବର୍ତ୍ତୀ ହୁଅନ୍ତି। ତେଣୁ ଉତ୍ତରାଧିକାରୀ ଦେଉଥିବା ଶ୍ରାଦ୍ଧ ଓ ତର୍ପଣ ସେମାନେ ସହଜରେ ଗ୍ରହଣ କରିପାରନ୍ତି।

କୃଷ୍ଣ ପ୍ରତିପଦଠାରୁ ଏହି ପିତୃତର୍ପଣ ଆରମ୍ଭ ହୋଇଥାଏ। ଯେଉଁ ବ୍ୟକ୍ତିଙ୍କର ପିତୃପୁରୁଷ ଯେଉଁ ତିଥିରେ ଦେହତ୍ୟାଗ କରିଥାଆନ୍ତି, ସେହି ତିଥିରେ ଏହି ଶ୍ରାଦ୍ଧ ଓ ପିଣ୍ଡଦାନ କରାଯାଏ। ଯେଉଁମାନେ ନିର୍ଦ୍ଦିଷ୍ଟ ତିଥିରେ ଶ୍ରାଦ୍ଧ ଓ ପିଣ୍ଡଦାନ କରି ନ ପାରନ୍ତି, ସେମାନେ ମହାଳୟା ଦିନ ତାହା କରିଥାଆନ୍ତି। ତାହା ବି ଯେଉଁମାନେ ନ କରିପାରନ୍ତି, ସେମାନଙ୍କ ନିମନ୍ତେ ଏଥିପାଇଁ ଶେଷ ସୁଯୋଗ ଆସେ କାର୍ତ୍ତିକ ଅମାବାସ୍ୟା (ଦୀପାବଳି ଅମାବାସ୍ୟା)ରେ। ସେଦିନ ବି ଶ୍ରାଦ୍ଧ ନ ଦେଇ ପାରିଲେ, ପିତୃଗଣ ଅତୃପ୍ତ ହୋଇ ପିତୃଲୋକକୁ ଫେରି ଯାଆନ୍ତି। ପୁଣି ପିତୃଋଣ ପରିଶୋଧର ସୁଯୋଗ ଆସେ ବର୍ଷକ ପରେ। ଏଣୁ ଏ ଦୃଷ୍ଟିରୁ ଆଶ୍ୱିନ ମାସଟି ଗୁରୁତ୍ୱପୂର୍ଣ୍ଣ।

ସମ୍ବନ୍ଧିତ ଖବର