ଶରତ୍ କାଳ ଦେବୀ ଦୁର୍ଗାଙ୍କର ଉପାସନାପାଇଁ ପ୍ରକୃଷ୍ଟ ସମୟ। ‘ମହାଭାରତ’ରେ ଶରଶଯ୍ୟାଶାୟୀ ଭୀଷ୍ମ ଯୁଧିଷ୍ଠିରଙ୍କୁ ଏହା କହିଛନ୍ତି ଏବଂ ପାରମ୍ପରିକ ଭାବରେ ‘ଶାରଦୀୟ ଦୁର୍ଗାପୂଜା’ ପାଳିତ ହୋଇଆସୁଛି। ପିତାମହ କହିଛନ୍ତି- ହେ ଯୁଧିଷ୍ଠିର! ଯେ ଭକ୍ତବତ୍ସଳା ଚଣ୍ଡିକାଙ୍କୁ ଉତ୍ତମ ରୂପେ ପୂଜା ନ କରେ, ଚଣ୍ଡିକା ଅପମାନିତ ହୋଇ ତାହାର ସମସ୍ତ ପୁଣ୍ୟ ଧ୍ୱଂସ କରିଦିଅନ୍ତି। ତେଣୁ ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀ ବା କାର୍ତ୍ତିକ କୃଷ୍ଣପକ୍ଷ ଅଷ୍ଟମୀରେ ଦୁର୍ଗାପୂଜା କରିବା ବିଧେୟ।
ଏହି ଦୁର୍ଗାପୂଜା ପ୍ରତିବର୍ଷ କରିବା ଆବଶ୍ୟକ ବୋଲି ମଧ୍ୟ ଭୀଷ୍ମ କହିଛନ୍ତି। ଆଶ୍ୱିନ କୃଷ୍ଣ ଅଷ୍ଟମୀ ଏହାର ମୂଳତିଥି। ତେଣୁ ଏହା ‘ମୂଳାଷ୍ଟମୀ’ ରୂପେ ଆଖ୍ୟାତ। ସପ୍ତମୀଯୁକ୍ତ ଅଷ୍ଟମୀରେ ଏହି ପୂଜା ଆରମ୍ଭ କରାଯାଏ। ‘ପଣ୍ଡିତ ସର୍ବସ୍ୱ’ ଅନୁସାରେ, କୃଷ୍ଣ ଅଷ୍ଟମୀଠାରୁ ଆରମ୍ଭ କରି ଶୁକ୍ଳ ଅଷ୍ଟମୀ ପର୍ଯ୍ୟନ୍ତ, ପ୍ରତିଦିନ ଦୁର୍ଗାପୂଜା କରିବା ପ୍ରଶସ୍ତ। ଏଣୁ ଛଅ ପ୍ରକାରର ଦୁର୍ଗାପୂଜାର ବିଧି ଥିଲେ ମଧ୍ୟ, ଷୋଡ଼ଶ ଦିନାତ୍ମକ ଦୁର୍ଗାପୂଜା ଅଧିକ ଲୋକପ୍ରିୟ ହୋଇଛି।
କିନ୍ତୁ ଯେଉଁ ବର୍ଷ ଆଶ୍ୱିନରେ ମଳମାସ ପଡ଼େ, ସେ ବର୍ଷ ଏହି ପୂଜା କିପରି ହେବ, ସେ ନେଇ ଅନେେକ ଦ୍ୱନ୍ଦ୍ୱରେ ପଡ଼ନ୍ତି। ଏବର୍ଷ ଆଶ୍ୱିନରେ ମଳମାସ ପଡ଼ୁଥିବାରୁ, ଏହି ଦ୍ୱନ୍ଦ୍ୱ ଏଥର ମଧ୍ୟ ରହିପାରେ।
‘ପଣ୍ଡିତ ସର୍ବସ୍ୱ’ରେ ଏ ସଂପର୍କରେ ସ୍ପଷ୍ଟ ଉଲ୍ଲେଖ ଅଛି- “୧୬ ଦିନ ଏହି ପୂଜା କରାଯାଏ। ତେଣୁ ଶୁଦ୍ଧ ଦୁଇପକ୍ଷରେ ୮ଦିନ ଲେଖାଏଁ ପୂଜା କରି, ମଧ୍ୟବର୍ତ୍ତୀ ମଳମାସରେ କ’ଣ ପୂଜା ବନ୍ଦ ରହିବ? ଏହା ଉଚିତ ନୁହେଁ। କାରଣ, ଶାସ୍ତ୍ରରେ ବିହିତ ହୋଇଅଛି ଯେ ସର୍ବବିଧ କାମ୍ୟକର୍ମର ଆରମ୍ଭ ଓ ସମାପ୍ତି ମଧ୍ୟରେ ଯଦି ମଳମାସ ପଡ଼େ, ତେବେ ତହିଁରେ ସମସ୍ତ କର୍ମ ଅନୁଷ୍ଠାନ କରିବ।
ଆହୁରି ମଧ୍ୟ, ‘ପ୍ରତିଦିନ ଦୁର୍ଗାପୂଜା କରିବା ପ୍ରଶସ୍ତ’ ଏ ବାକ୍ୟରେ ‘ସର୍ବଦା କର୍ତ୍ତବ୍ୟ’ ଏହା ବିହିତ ହୋଇଅଛି। ତେବେ ଏହାଦ୍ୱାରା ନିର୍ଣ୍ଣିତ ହେଲା ଯେ ଅଧିମାସ (ମଳମାସ) ପଡ଼ିଲେ, ଦେଢ଼ ମାସ ପୂଜା କରିବାକୁ ହେବ।”
ଏଣୁ ୧୬ ଦିନର ପୂଜା ହେଉ ବା ଦେଢ଼ ମାସର- ଆଶ୍ୱିନ ମାସର ଏହି ଦୁର୍ଗାପୂଜାର ମୂଳତିଥି ହେଉଛି ଆଶ୍ୱିନ କୃଷ୍ଣ ଅଷ୍ଟମୀ ବା ‘ମୂଳାଷ୍ଟମୀ’। ଏଣୁ ଏହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ।