ଜୀବନ-ମନ୍ତ୍ର: କାଳୀପୂଜା

କାର୍ତ୍ତିକ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ କାଳୀପୂଜା, ଶ୍ୟାମାପୂଜା, ମହାନିଶାପୂଜା ଭାବରେ ମହାଶକ୍ତି, ଆଦିଶକ୍ତି, ମହାମାୟା, ମହାଦେବୀଙ୍କର ଯେଉଁ ପୂଜା ଅନୁଷ୍ଠିତ ହୁଏ, ତାହା ମା’ ଦେବୀ ଦୁର୍ଗାଙ୍କର ଏକ ଭୟଙ୍କରୀ ରୂପ। ସେ ରୂପର ନାମ ସଂହାରକାଳୀ। ‘ମହାକାଳ ସଂହିତା’ ଅନୁସାରେ, ଏହି ଦେବୀ କୃଷ୍ଣବର୍ଣ୍ଣା, ଉଲଗ୍ନ ଶରୀରା, ସ୍ଫୀତ ଉଦରା, ତ୍ରିନେତ୍ରା, ମୁକ୍ତକେଶା, ଉନ୍ନତ ବକ୍ଷୋଜା ଏବଂ ଖଣ୍ଡା, ଖର୍ପରଧାରିଣୀ। ଏହାଙ୍କର ବକ୍ଷଦେଶ ମୁଣ୍ଡମାଳରେ ସୁଶୋଭିତ, କଟିବସ୍ତ୍ର ଭାବରେ ଅସଂଖ୍ୟ ଛିନ୍ନହସ୍ତ ଏବଂ ରକ୍ତରଂଜିତ ଲୋଳିତ ଜିହ୍ୱା ଅତ୍ୟନ୍ତ ଭୟ ଉଦ୍ରେକକାରୀ। ପାଦତଳେ ଶାୟିତ ମହାଦେବଙ୍କର ବକ୍ଷ ଉପରେ ଦେବୀଙ୍କର ଏକ ପାଦ ସ୍ଥାପିତ।

‘ମାର୍କଣ୍ଡେୟ ପୁରାଣ’ର ବର୍ଣ୍ଣନା ଅନୁସାରେ- ଚଣ୍ଡ, ମୁଣ୍ଡ, ମହିଷାସୁରଆଦିଙ୍କ ମଧ୍ୟରେ ରକ୍ତବୀଜ ନାମକ ଏକ ଅସୁର ଥିଲା। ବ୍ରହ୍ମାଙ୍କଠାରୁ ସେ ବର ପାଇଥିଲା- ଯଦି ତା’ ଦେହରୁ ବିନ୍ଦୁଏ ରକ୍ତ ମାଟିରେ ପଡ଼ିବ, ସେଥିରୁ ଆଉ ଏକ ରକ୍ତବୀଜ ଜନ୍ମନେବ। ତେଣୁ ରକ୍ତବୀଜକୁ ମାରିବା ସଂଭବ ହେଉ ନଥିଲା। ସେଥିରେ ଦେବୀ କ୍ଳାନ୍ତ ଓ କ୍ରୋଧାନ୍ୱିତ ହେବାରୁ, ତାଙ୍କ ଶରୀରରୁ କାଳୀଙ୍କର ଆବିର୍ଭାବ ହେଲା। ଦେବୀ ରକ୍ତବୀଜକୁ ଶସ୍ତ୍ରରେ ଆଘାତ କଲାବେଳେ ତା’ ଶରୀରରୁ ଯେଉଁ ରକ୍ତ ଝରିଲା, କାଳୀ ତାକୁ ଜିହ୍ୱା ଦ୍ୱାରା ଚାଟିନେଲେ। ଅସୁରର ମୃତ୍ୟୁ ହେଲା। ଦେବୀ ମୃତ ରାକ୍ଷସମାନଙ୍କ ମୁଣ୍ଡକୁ ଗଳାର ହାର ଏବଂ ହାତକୁ କଟିମେଖଳା ଭାବରେ ପରିଧାନ କଲେ। ରାକ୍ଷସମାନଙ୍କର ଅତ୍ୟାଚାରରୁ ପୃଥିବୀକୁ ମୁକ୍ତ କରିବା ନିମିତ୍ତ ଏହା ଥିଲା ଧର୍ମରକ୍ଷିକା ଦେବୀଙ୍କର ସଂହାରିଣୀ ରୂପ।

ଯେଉଁ ଦେବୀ ବିଷ୍ଣୁଙ୍କର ଲକ୍ଷ୍ମୀ, ବ୍ରହ୍ମାଙ୍କର ସରସ୍ୱତୀ ଓ ଶିବଙ୍କର ପାର୍ବତୀ, ସେହି କଲ୍ୟାଣମୟୀ- ଅନ୍ୟାୟ, ଅସୂୟା, ଅତ୍ୟାଚାର, ଅହଂକାରକୁ ଧ୍ୱଂସ କରିବା ନିମିତ୍ତ ହେଲେ ଭୟଙ୍କରୀ ମହାକାଳୀ। କିନ୍ତୁ ରାମକୃଷ୍ଣ ପରମହଂସଙ୍କ ପରି ଦେବୀଭକ୍ତ ଦେବୀଙ୍କର ଏହି ରୂପକୁ ପରମ କଲ୍ୟାଣମୟୀ ଭାବରେ ଚିନ୍ତନ କରି କାର୍ତ୍ତିକ ଚତୁର୍ଦ୍ଦଶୀରେ ପୂଜା କରୁଥିଲେ। ତାଙ୍କର ଉନ୍ନତ ବକ୍ଷୋଜ ଓ ସ୍ଫୀତ ଉଦର ଯେପରି ମାତୃତ୍ୱର ପ୍ରତୀକ, ସେହିପରି ତ୍ରିନେତ୍ର ଜ୍ଞାନର, କଟିମେଖଳା କର୍ମ-ଅକର୍ମର, ପାଶଅଙ୍କୁଶ ମାୟା-ମୋହର ଏବଂ ଖଡ଼୍‌ଗ ମାୟାଭେଦର, କଇଁଚି ବନ୍ଧନ ମୁକ୍ତିର ପ୍ରତୀକ। ଦେବୀ କାଳୀ ସ୍ୱୟଂ ପ୍ରକୃତିର ଭୀମକାନ୍ତ ରୂପ। ଯେଉଁ ପ୍ରକୃତି ଅନ୍ନ, ବସ୍ତ୍ର, ବାସଗୃହ ହୋଇ ସଂସାରର ପ୍ରତିପାଳନ କରେ, ସେହି ପ୍ରକୃତି (ବନସ୍ପତି) ଦେହରେ ଯେତେବେଳେ ଅଗ୍ନି ସଂଯୋଗ ହୁଏ, ଭୟଙ୍କର ଅଙ୍ଗାରକାମ୍ଳ ବାଷ୍ପ ନିର୍ଗତ ହୋଇ ପ୍ରାଣୀଜଗତର ପ୍ରାଣ ନାଶ କରେ। ତେଣୁ ଶିବ ଭାବରେ ସର୍ବଦା ପ୍ରକୃତିର ଶରଣାପନ୍ନ ହେଲେ, ସେ ସଂହାରିଣୀ କାଳୀ, କଲ୍ୟାଣମୟୀ ତ୍ରିପୁର ସୁନ୍ଦରୀରେ ପରିଣତ ହେବ। ତେଣୁ ତ କୁହାଯାଇଛି- ଯା ଦେବୀ ସର୍ବଭୂତେଷୁ ଭ୍ରାନ୍ତି ରୂପେଣ ସଂସ୍ଥିତା, ନମସ୍ତସ୍ୟୈ, ନମସ୍ତସ୍ୟୈ, ନମସ୍ତସ୍ୟୈ ନମୋ ନମଃ।ା
-ଡକ୍ଟର ତୁଳସୀ ଓଝା

‘ଜୀବନମନ୍ତ୍ର’ ସଂପର୍କରେ ଆପଣଙ୍କ ମତାମତ ଏହି ଠିକଣାରେ ମେଲ୍ କରନ୍ତୁ :-
[email protected]

ସମ୍ବନ୍ଧିତ ଖବର