ବ୍ୟାସଦେବକୃତ ସଂସ୍କୃତ ‘ମହାଭାରତ’ ଅଜସ୍ର କାହାଣୀର ଅମୂଲ୍ୟ ଗନ୍ତାଘର। ତାହାର ‘ଆଦିପର୍ବ’ ଅନ୍ତର୍ଗତ ‘ପୌଷ୍ୟପର୍ବ’ରେ ଅଛି ଉତ୍ତଙ୍କ ଉପାଖ୍ୟାନ। ‘ଅଶ୍ୱମେଧିକପର୍ବ’ରେ ମଧ୍ୟ ସେହି ଉପାଖ୍ୟାନ ବର୍ଣ୍ଣିତ ହୋଇଛି। ଗୁରୁଭକ୍ତି ପାଇଁ ଉତ୍ତଙ୍କ ପୁରାଣରେ ପ୍ରଖ୍ୟାତ।
ମହର୍ଷି ଅୟୋଦଧୌମ୍ୟଙ୍କର ଥିଲେ ବେଦନାମକ ଜଣେ ଶିଷ୍ୟ। ତାଙ୍କର ଶିଷ୍ୟମାନଙ୍କ ମଧ୍ୟରେ ପ୍ରମୁଖ ଥିଲେ ଉତ୍ତଙ୍କ। ଦିନେ ଗୁରୁ ତାଙ୍କ ଉପରେ ଖୁସି ହୋଇ, ତାଙ୍କର ଶିକ୍ଷା ସମାପ୍ତ ହୋଇଛି ବୋଲି କହିଲେ। ତାହା ଶୁଣି ଉତ୍ତଙ୍କ ତାଙ୍କୁ ଗୁରୁଦକ୍ଷିଣା ଦେବାକୁ ଚାହିଁଲେ। ମାତ୍ର ଗୁରୁ କହିଲେ, ଗୁରୁପତ୍ନୀଙ୍କୁ ପଚାର। ସେ ଯାହା ଚାହିଁବେ, ସେହି ଦକ୍ଷିଣା ଦେବ। ଉତ୍ତଙ୍କ ଯାଇ ଗୁରୁପତ୍ନୀଙ୍କୁ ପଚାରିବାରୁ, ସେ କହିଲେ- ରାଜା ପୌଷଙ୍କର କ୍ଷତ୍ରିୟାପତ୍ନୀଙ୍କ କର୍ଣ୍ଣ କୁଣ୍ଡଳ ଦୁଇଟି ମୋର ଦରକାର। ପୁଣ୍ୟକ ବ୍ରତରେ ତାହା ପିନ୍ଧି ମୁଁ ବ୍ରାହ୍ମଣମାନଙ୍କୁ ଅନ୍ନ ପରିବେଷଣ କରିବି।

Advertisment

ବାଟରେ ବହୁ ଅସୁବିଧା ଦେଇ ଯାଇ, ଉତ୍ତଙ୍କ ରାଜା ପୌଷଙ୍କ ରାଜ୍ୟରେ ପହଞ୍ଚିଲେ। ପ୍ରଥମେ ତାଙ୍କୁ ସାକ୍ଷାତ୍ କରିବା ପରେ, ରାଣୀଙ୍କୁ ଭେଟି କୁଣ୍ଡଳ ଦୁଇଟି ମାଗି ଆଣିଲେ। ଫେରିବା ବାଟରେ ଯେଉଁ ସବୁ ଅସୁବିଧାର ସାମ୍ନା କରି ସେ କୁଣ୍ଡଳ ଦୁଇଟିକୁ ଆଣି ଗୁରୁପତ୍ନୀଙ୍କୁ ଦକ୍ଷିଣା ରୂପେ ଦେଲେ, ତାହା ଭିନ୍ନ ଏକ କାହାଣୀ।

କିନ୍ତୁ ରାଜା ପୌଷଙ୍କ ପ୍ରାସାଦରେ ଥିବା ବେଳେ, ରାଜା ଉତ୍ତଙ୍କଙ୍କ ପାଇଁ ଅନ୍ନ ଭୋଜନର ବ୍ୟବସ୍ଥା କରିଥିଲେ। କିନ୍ତୁ ସେହି ଅନ୍ନ ଶୀତଳ ହୋଇଯାଇଥିଲା ଏବଂ ସେଥିରେ ଗୋଟିଏ କେଶ ଥିଲା। ସେହି ଅଶୁଚି ଅନ୍ନ ଦେଇଥିବାରୁ, ଉତ୍ତଙ୍କ କ୍ଷୁବ୍‌ଧ ହୋଇ ପୌଷଙ୍କୁ ଅନ୍ଧ ହୋଇଯିବା ପାଇଁ ଅଭିଶାପ ଦେଲେ। ରାଜା ମଧ୍ୟ, ନିର୍ଦ୍ଦୋଷ ଅନ୍ନକୁ ଦୋଷ ଦିଆଗଲା ବୋଲି ମନେ କରି, ଉତ୍ତଙ୍କଙ୍କୁ ଅଭିଶାପ ଦେଲେ। ଉତ୍ତଙ୍କ କହିଲେ- ଯେଉଁ ଦାତା ଅଶୁଚି ଅନ୍ନ ଦିଏ, ସେ ଅଭିଶାପ ଦେବା ଅନୁଚିତ। ରାଜା ପରୀକ୍ଷା କରି ଦେଖିଲେ, ଅନ୍ନରେ କେଶଟିଏ ଅଛି। ସେ ନିଜର ଦୋଷ ସ୍ୱୀକାର କଲେ। ଉତ୍ତଙ୍କ କହିଲେ- ଦୋଷ କରିଥିବାରୁ ସେ ଅନ୍ଧ ହେବେ ଏବଂ ଦୋଷ ସ୍ୱୀକାର କରିଥିବାରୁ ପୁଣି ଦୃଷ୍ଟିଶକ୍ତି ଫେରି ପାଇବେ। ଫଳରେ ରାଜା ପୌଷ ଅନ୍ଧ ହେଲେ ଏବଂ ପରେ ପରେ ଦୃଷ୍ଟିଶକ୍ତି ଫେରିପାଇଲେ।
ଏହି ଉପାଖ୍ୟାନ ଆମକୁ ସୂଚାଏ, ଦାତା କେବେହେଲେ ବି ଶୀତଳ ଓ ଅଶୁଚି ଅନ୍ନ ଦାନ କରିବା ଉଚିତ ନୁହେଁ। ସେପରି କିଛି ଦୋଷ କଲେ, ତାହା ସ୍ୱୀକାର କରିବା ଉଚିତ।

‘ଜୀବନମନ୍ତ୍ର’ ସଂପର୍କରେ ଆପଣଙ୍କ ମତାମତ ଏହି ଠିକଣାରେ ମେଲ୍ କରନ୍ତୁ :-
[email protected]