ଶ୍ରୀଜଗନ୍ନାଥଙ୍କ ନିର୍ମାଲ୍ୟ ଥିଲା ଶ୍ରୀରାମକୃଷ୍ଣ ପରମହଂସଙ୍କର ପ୍ରିୟ, ଏମିତି ଦୂର ହୋଇଥିଲା ସ୍ୱାମୀ ବିବେକାନନ୍ଦଙ୍କ ଦ୍ବିଧା

ଭୁବନେଶ୍ବର: ଶ୍ରୀଜଗନ୍ନାଥଙ୍କ ନିର୍ମାଲ୍ୟକୁ ନେଇ ଏକ ପ୍ରେରଣାପ୍ରଦ କାହାଣୀ ସ୍ୱାମୀ ବିବେକାନନ୍ଦଙ୍କ ଜୀବନରୁ ମିଳେ।

ଶ୍ରୀଜଗନ୍ନାଥଙ୍କ ନିର୍ମାଲ୍ୟ ଥିଲା ଶ୍ରୀରାମକୃଷ୍ଣ ପରମହଂସଙ୍କର ପ୍ରିୟ। ଗଙ୍ଗାଜଳ, ବ୍ରଜରଜ (ବୃନ୍ଦାବନର ଧୂଳି) ଓ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦକୁ ସେ ‘ବ୍ରହ୍ମସ୍ୱରୂପ’ ବୋଲି ବିବେଚନା କରୁଥିଲେ। ସୁଦୂର ଦକ୍ଷିଣେଶ୍ୱରରେ ପୁରୀର ମହାପ୍ରସାଦ ଦୁର୍ଲଭ ଥିବାରୁ, ସେ ନିର୍ମାଲ୍ୟକୁ ହିଁ ମହାପ୍ରସାଦ ରୂପେ ଗ୍ରହଣ କରୁଥିଲେ। ପ୍ରତିଦିନର ସ୍ନାନ ଓ ପୂଜା ପରେ, ନିର୍ମାଲ୍ୟ ନପାଇଲେ ସେ ଅନ୍ନ-ଜଳ ସ୍ପର୍ଶ କରୁନଥିଲେ। ନିଜେ ନିର୍ମାଲ୍ୟ ପାଇବା ବେଳେ, ଉପସ୍ଥିତ ସମସ୍ତଙ୍କୁ ମଧ୍ୟ ନିର୍ମାଲ୍ୟରୁ କଣିକାଏ ଲେଖାଏଁ ଦେଉଥିଲେ।

ସ୍ୱାମୀ ବିବେକାନନ୍ଦଙ୍କର ତାର୍କିକ ମନରେ କିନ୍ତୁ ତାହା ସେବନ କରିବା ନେଇ କୁଣ୍ଠା ଥିଲା। ଖଜାପ୍ରସାଦ ହେଉ କି ନିର୍ମାଲ୍ୟ, ତାହା ଯେ ଶୁଦ୍ଧ, ସେ ନେଇ ତାଙ୍କ ମନରେ ଦ୍ୱିଧା ଥିଲା।

ନିଜର ସେଇ ପ୍ରିୟ ଶିଷ୍ୟର ବିଜ୍ଞାନୀମନ ଓ ଯୁକ୍ତିଶୀଳ ଚିନ୍ତାଧାରା ସଂପର୍କରେ ଜାଣି ଶ୍ରୀରାମକୃଷ୍ଣ ଦିନେ ପଚାରିଲେ, “କୁହ ତ ନରେନ୍‌, ଖାଦ୍ୟର ପ୍ରଭାବ ଯେ ଶରୀର ଉପରେ ଥାଏ, ଏହା କ’ଣ ତୁମେ ବିଶ୍ୱାସ କର? ଏଇ ଯେମିତି ଅଫିମ ଖାଇଲେ କୋଷ୍ଠକାଠିନ୍ୟ ହୁଏ ଆଉ ତ୍ରିଫଳା ଶରୀରପାଇଁ ଉପକାରୀ?”

ନରେନ୍ ଉତ୍ତର ଦେଲେ, “ହଁ, ଏଥିରେ ମୁଁ ବିଶ୍ୱାସ କରେ।”

ସେଇଠୁ ସବୁଦିନିଆ ସେଇ ଶାନ୍ତ ସ୍ୱରରେ ଶ୍ରୀରାମକୃଷ୍ଣ କହିଲେ, “ତେବେ ତୁମେ ଏହା ବି ବିଶ୍ୱାସ କର ନରେନ୍‌, ଯେ ଏହି ନିର୍ମାଲ୍ୟ କଣିକା ବିଶୁଦ୍ଧ। ଏହାକୁ ସେବନ କଲେ ମନୁଷ୍ୟ ବୁଦ୍ଧିଦୀପ୍ତ ଓ ଜ୍ଞାନଦୀପ୍ତ ହୁଏ। ସେ ହୁଏ ସତ୍ୟପ୍ରଜ୍ଞ ଓ ନିଷ୍ଠାପର। ନିଅ, ଏହା ପାଇଲେ ତୁମେ ପରାଭକ୍ତି ଲାଭ କରିବ।”

ତା’ ପରଠାରୁ ସ୍ୱାମୀ ବିବେକାନନ୍ଦ ଆଉ କେବେ ବି ନିର୍ମାଲ୍ୟ ପାଇବାକୁ ଦ୍ୱିଧା କରି ନଥିଲେ। ବରଂ ଶ୍ରୀଜଗନ୍ନାଥଙ୍କର ନିର୍ମାଲ୍ୟ ମହାପ୍ରସାଦ ପ୍ରତି ତାଙ୍କର ଶ୍ରଦ୍ଧା ବଢ଼ିଯାଇଥିଲା।

ସମ୍ବନ୍ଧିତ ଖବର