ଗୟା ଓ ବ୍ରହ୍ମକପାଳ ପ୍ରଭୃତି ପୁରାଣପ୍ରସିଦ୍ଧ ପିତୃତୀର୍ଥରେ ପୂର୍ବପୁରୁଷଙ୍କର ମୁକ୍ତି ନିମନ୍ତେ ଶ୍ରାଦ୍ଧ ଓ ତର୍ପଣ ଆଦି କରାଯାଏ। କିନ୍ତୁ ଏପରି ପିତୃତୀର୍ଥ ମଧ୍ୟରେ ପୁରୀ ପରିଗଣିତ କି? ‘ପିତୃପକ୍ଷ’ ଅବସରରେ ଏ ପ୍ରଶ୍ନଟି ପ୍ରାସଙ୍ଗିକ ମନେହୁଏ।
ଏହାର ଉତ୍ତର ଦେଇ ‘ଶ୍ରୀଜଗନ୍ନାଥ ତତ୍ତ୍ୱ ସମୀକ୍ଷା’ ପୁସ୍ତକରେ ପଣ୍ଡିତ ସଦାଶିବ ରଥଶର୍ମା କହିଛନ୍ତି- ‘ବିଷ୍ଣୁସ୍ମୃତି’ ଓ ‘ହାରିତସ୍ମୃତି’ ପରି ଦୁଇ ପ୍ରାଚୀନ ଧର୍ମଗ୍ରନ୍ଥ ‘ନୀଳାଚଳ’କୁ ପିତୃତୀର୍ଥ ବୋଲି ଘୋଷଣା କରିଛନ୍ତି। ଏହି ସ୍ମୃତି ଯାଜ୍ଞବଳ୍କ୍ୟଙ୍କ ସମର୍ଥିତ ଧର୍ମଗ୍ରନ୍ଥ ଏବଂ ଏହା ସୁପ୍ରାଚୀନ। ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରୁ ଏହି ମତ ପ୍ରଚଳିତ ଅଛି।
‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟ’ର ୨୦ ଅଧ୍ୟାୟରେ, ‘ଇନ୍ଦ୍ରଦ୍ୟୁମ୍ନ ସରୋବର’ର ରହସ୍ୟ ବର୍ଣ୍ଣନା ପ୍ରସଙ୍ଗରେ ମଧ୍ୟ ଏହା ସ୍ୱୀକୃତ ହୋଇଛି। ଜୈମିନୀ ଋଷି କହିଛନ୍ତି- ଇନ୍ଦ୍ରଦ୍ୟୁମ୍ନ ତୀର୍ଥରେ ସ୍ନାନ ଏବଂ ପିତୃ ଓ ଦେବତାମାନଙ୍କର ତର୍ପଣ ବିଧିମତେ ସଂପାଦନ କଲେ ସହସ୍ର ଅଶ୍ୱମେଧ ଯଜ୍ଞର ଫଳ ମିଳେ। ଏହି ସରୋବର ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ନାମରେ ନାମିତ। ମାନବଗଣ ସେହି ସ୍ଥଳରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କଲେ, କୁଳର ୨୧ ପୁରୁଷଙ୍କୁ ଉଦ୍ଧାର କରନ୍ତି ଏବଂ ନିଜେ ବ୍ରହ୍ମଲୋକ ପ୍ରାପ୍ତ ହୁଅନ୍ତି। ଅଶ୍ୱମେଧ ଯଜ୍ଞରୁ ସୃଷ୍ଟି ହୋଇଥିବା ଏହି ସରୋବରଠାରୁ ଶ୍ରେଷ୍ଠତୀର୍ଥ ଅନ୍ୟ କେଉଁଠାରେ ନାହିଁ।
ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ମଧ୍ୟ ଏହି ‘ସ୍କନ୍ଦପୁରାଣ’ର ୩୦ ଅଧ୍ୟାୟରେ କୁହାଯାଇଛି। ଜୈମିନୀ ଋଷି ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରିବାର ଉପାୟ ସୂଚାଇ, ତାଙ୍କୁ ‘ଦ୍ରବରୂପୀ ତୀର୍ଥରାଜ’ ବା ‘ତରଳତୀର୍ଥ’ ବୋଲି କହିଛନ୍ତି। ସେହି ପ୍ରାର୍ଥନା ହେଉଛି- ହେ ଦେବଦେବ! ହେ ପ୍ରଭୋ ଜଗନ୍ନାଥ! ଆପଣ ହିଁ ସର୍ବତୀର୍ଥର ସୃଷ୍ଟିକର୍ତ୍ତା, ସର୍ବତୀର୍ଥମୟ ଓ ସର୍ବଦେବମୟ ଅଟନ୍ତି। ହେ ଦେବ! ମୁଁ ଯେଉଁ ତୀର୍ଥ ଜଳରେ ସ୍ନାନ କରୁଅଛି, ଆପଣଙ୍କ ପ୍ରସାଦରୁ ତାହା ସଫଳ ହେଉ। ଆପଣ କୃପାକରି ମୋତେ ଯଥାର୍ଥ ଫଳ ପ୍ରଦାନ କରନ୍ତୁ। ହେ ବିଭୋ! ଆପଣ ଯେ ଦ୍ରବରୂପୀ ତୀର୍ଥରାଜ ଅର୍ଥାତ୍ ତରଳତୀର୍ଥ ଏଥିରେ ସନ୍ଦେହ ନାହିଁ। ହେ ନାଥ! ଆପଣଙ୍କୁ ନମସ୍କାର। ମୁଁ ଏହି ଘୋର ସଂସାରରୂପକ ପାପ ଆଳୟରେ ଆବଦ୍ଧ ରହିଅଛି। ମୋତେ ପରିତ୍ରାଣ କରନ୍ତୁ!
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/jagannath.jpg)