ପ୍ରାକ୍-ସ୍ୱାଧୀନତା କାଳରେ ଯେଉଁ କେତୋଟି ଧର୍ମନିରପେକ୍ଷ ଆଧ୍ୟାତ୍ମିକ ଆନ୍ଦୋଳନ ଭାରତବର୍ଷରେ ଆରମ୍ଭ ହୋଇଥିଲା ସେଥିରୁ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ସଂସ୍ଥାପିତ ‘ସତ୍‌ସଙ୍ଗ’ ଗୋଟିଏ। ତାଙ୍କ ମତରେ, ‘ସତ୍‌ସଙ୍ଗ’ ଏକ ମଣିଷ ତିଆରି କାରଖାନା।

Advertisment

ମଣିଷର ଦୁଃଖ-କଷ୍ଟ, ଅଭାବ-ଅସୁବିଧା ଦେଖିଲେ ତାହା ଦୂର ନ କରିବା ପର୍ଯ୍ୟନ୍ତ ସେ ସ୍ଥିର ହୋଇ ରହି ପାରୁ ନଥିଲେ। ପ୍ରତିଟି ମଣିଷକୁ ପ୍ରାଣଭରି ଭଲପାଉଥିଲେ। ସେଥିପାଇଁ ସେ କହିଥିଲେ, “ମଣିଷ ଆପଣା ଟଙ୍କା ପର, ଯେତେ ପାରୁଛ ମଣିଷ ଧର।” ଜୀବନର ଲକ୍ଷ୍ୟ- ଅର୍ଥ ଉପାର୍ଜନ ନୁହେଁ, ବରଂ ମଣିଷ ଉପାର୍ଜନ। ଏହା ହିଁ ତାଙ୍କ ଜୀବନର ପ୍ରତିଟି କର୍ମରେ ପ୍ରତିଫଳିତ ହୋଇଛି। ମଣିଷକୁ ଆପଣାର କରି ତାକୁ ସୁଖ-ଶାନ୍ତି-ଆନନ୍ଦ ସହକାରେ ବଞ୍ଚିବାର କୌଶଳ ଶିଖାଇବାରେ ସମଗ୍ର ଜୀବନ ଅତିବାହିତ ହୋଇଛି।

ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମିତ ଅନୁକୂଳଚନ୍ଦ୍ର ପିଲାଟି ଦିନରୁ ଥିଲେ ‘ଅସାଧାରଣ’। ଅନ୍ୟର ଅଭାବ ଅସୁବିଧା ଦେଖିଲେ, ଅଚିରେ ନିଜର ସମସ୍ତ ସମ୍ବଳ ଅକୁଣ୍ଠ ଚିତ୍ତରେ ଦାନ କରୁଥିଲେ। ଏପରିକି ସ୍କୁଲ୍‌ରେ ପଢ଼ୁଥିବା ବେଳେ, ଜଣେ ଅଭାବୀ ବନ୍ଧୁଙ୍କୁ ନିଜର ପିନ୍ଧା ବସ୍ତ୍ର ଦାନ କରି, ଘରକୁ ବସ୍ତ୍ରହୀନ ହୋଇ ଫେରିଲେ। ତାହା ଦେଖି ଗୁରୁଜନମାନେ ତାଙ୍କ ଉପରେ ବିରକ୍ତ ହେଲେ। ବହୁ ଆକଟ-ଅନୁଶାସନ ସତ୍ତ୍ୱେ ତାଙ୍କର ଏ ସ୍ୱଭାବରେ କିନ୍ତୁ କୌଣସି ପରିବର୍ତ୍ତନ ଆସିପାରି ନଥିଲା।

ପରେ ସେ ଡାକ୍ତରୀ ପଢ଼ିଲେ ଏବଂ ରୋଗୀର ଚିକିତ୍ସା ଓ ସେବାରେ ଦିନ ରାତି ଏକାକାର କରିଦେଲେ। ଫିସ୍ ନେବା ତ ଦୂରର କଥା, ବରଂ ରୋଗୀର ଦୁଆରେ ପହଞ୍ଚି ନିଜ ହାତରୁ ତାକୁ ପଥ୍ୟ ଓ ଔଷଧ ଖୁଆଇ ସୁସ୍ଥ କରୁଥିଲେ। ଫଳରେ ଯୁବକ ଅନୁକୂଳଚନ୍ଦ୍ର ପାଲଟି ଗଲେ ଲୋକଙ୍କର ଅତିପ୍ରିୟ ‘ଡାକ୍ତରବାବୁ’। ସମୟକ୍ରମେ ମଣିଷକୁ ରୋଗମୁକ୍ତ କରିବା ସହିତ ସେମାନଙ୍କ ଜୀବନର ସମସ୍ତ ସମସ୍ୟାର ନିରାକରଣ ନିମନ୍ତେ ସେ ଅଗ୍ରସର ହେଲେ ଏବଂ ‘ଡାକ୍ତରବାବୁ’ରୁ ପାଲଟିଗଲେ ମାର୍ଗଦର୍ଶକ- ‘ଠାକୁର’। ଲକ୍ଷ ଲକ୍ଷ ମଣିଷ ତାଙ୍କୁ ଗୁରୁ ରୂପେ ଗ୍ରହଣ କଲେ ଏବଂ ସଫଳତାର ମାର୍ଗ ପାଇଲେ।

ମଣିଷ ହିଁ ଥିଲେ ତାଙ୍କର ବଡ଼ ସଂପତ୍ତି। ସେଥିପାଇଁ ଥରେ ଯେତେବେଳେ ତାଙ୍କର ଉପାର୍ଜନ କ’ଣ ବୋଲି ପଚରାଯାଇଥିଲା, ତାହାର ଉତ୍ତରରେ ସେ କହିଥିଲେ, “ଲଭ୍ ଇଜ୍ ମାଇଁ ଏକ୍‌ସପେଣ୍ଡିଚର୍‌, ମ୍ୟାନ୍ ଇଜ୍ ମାଇଁ ଇନ୍‌କମ୍।” ଅର୍ଥାତ୍‌- “ଭଲପାଇବା ମୋର ଖର୍ଚ୍ଚ ଏବଂ ମଣିଷ ମୋର ଉପାର୍ଜନ।”

ଆଜି ତାଙ୍କର ଅବର୍ତ୍ତମାନର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ, ଜାତି, ବର୍ଣ୍ଣ ଓ ସଂପ୍ରଦାୟ ନିର୍ବିଶେଷରେ କୋଟିକୋଟି ମଣିଷ ତାଙ୍କୁ ଅନୁସରଣ କରି ଜୀବନରେ ଶାନ୍ତିଲାଭ କରୁଛନ୍ତି।

ଧୃତିକାମ ମହାନ୍ତି