ଏବର୍ଷ ପଡ଼ିଛି ‘ଯୋଡ଼ା ଆଶ୍ୱିନ’। ଏହାର ଅର୍ଥ- ଏବର୍ଷ ଆଶ୍ୱିନ ମାସର ଅବଧି ମାସେ ନହୋଇ ଦୁଇମାସ ହେବ। ଏହାକୁ ‘ଅଧିକ ମାସ’ ବା ‘ଅଧିମାସ’ ଓ ‘ଅସୁରମାସ’ ମଧ୍ୟ କୁହାଯାଇଥାଏ। ଏହାର ଅନ୍ୟ ଏକ ନାଆଁ ‘ମଳମାସ’। ସାଧାରଣରେ ଗୋଟିଏ ଧାରଣା ଅଛି ଯେ ଏହା ଅଶୁଭ। ତେଣୁ ଏପରି ମାସରେ କୌଣସି ଶୁଭକର୍ମ କରାଯାଏ ନାହିଁ। ଏ ବାବଦରେ ଶାସ୍ତ୍ର ନିର୍ଦ୍ଦେଶ ମଧ୍ୟ ଅଛି।
Sambad is now on WhatsApp
Join and get latest news updates delivered to you via WhatsApp
କିନ୍ତୁ ଯେଉଁବର୍ଷ ‘ଯୋଡ଼ା ଆଷାଢ଼’ ପଡ଼େ, ସେ ବର୍ଷ ଶ୍ରୀଜଗନ୍ନାଥଙ୍କର ନବକଳେବର ହୋଇଥାଏ। ଏହାର ତାତ୍ପର୍ଯ୍ୟ ହେଉଛି- ଯାହା ସାଧାରଣରେ ଅଶୁଭ, ଶ୍ରୀଜଗନ୍ନାଥ ଚେତନାରେ ତାହା ଅଶୁଭ ନୁହେଁ।
କେବଳ ଏତିକି ନୁହେଁ; ମଳମାସର ଅନ୍ୟ ଗୋଟିଏ ନାଆଁ ହେଉଛି ‘ପୁରୁଷୋତ୍ତମ ମାସ’। ବିଶେଷ ଉଲ୍ଲେଖନୀୟ ଯେ ଆଉ କେହି ନୁହନ୍ତି, ଶ୍ରୀଜଗଦୀଶ ବା ସ୍ୱୟଂ ନାରାୟଣ ହିଁ ନିଜ ନାମ ଅନୁସାରେଏହି ନାଆଁ ଦେଇଛନ୍ତି।
‘ବୃହନ୍ନାରଦୀୟ ପୁରାଣ’ର ‘ପୁରୁଷୋତ୍ତମ ମାହାତ୍ମ୍ୟ’ରେ ଏ ଉପାଖ୍ୟାନ ଅଛି। ଋଷିମାନଙ୍କର ପ୍ରଶ୍ନର ଉତ୍ତରରେ ସୁତମୁନି ଏହା କହିଛନ୍ତି। ଦେବର୍ଷି ନାରଦ ଓ ନାରାୟଣଙ୍କ ମଧ୍ୟରେ ହୋଇଥିବା କଥୋପକଥନ ଏହାର ଆଧାର।
ଏହି ପୁରାଣ ପ୍ରସଙ୍ଗ ଅନୁସାରେ, ଭଗବାନ ବିଷ୍ଣୁ ବାରଟି ଭିନ୍ନ ଭିନ୍ନ ନାମରେ ବାରମାସର ଅଧିପତି ହୋଇଥାଆନ୍ତି। କିନ୍ତୁ ମଳମାସ ‘ତ୍ରୟୋଦଶ ମାସ’ ହୋଇଥିବାରୁ, ଏହାର କେହି ଅଧିପତି ନଥିଲେ। ସେଥିପାଇଁ ମଳମାସ ଭଗବାନ ବିଷ୍ଣୁଙ୍କର ଶରଣାପନ୍ନ ହେଲା। ତାହାର ଦୁଃଖର କାରଣ ଶୁଣି ଭଗବାନ ବିଷ୍ଣୁ କହିଲେ, “ମୁଁ ଯେପରି ତ୍ରିଲୋକରେ ‘ପୁରୁଷୋତ୍ତମ’ ନାମରେ ପ୍ରସିଦ୍ଧ ଓ ପରିବ୍ୟାପ୍ତ, ସେହିପରି ଏହି ଅଧିମାସ ‘ପୁରୁଷୋତ୍ତମ ମାସ’ ରୂପେ ପ୍ରଖ୍ୟାତ ହେବ। ମୋର ସମସ୍ତଗୁଣ ମୁଁ ଏହି ମାସକୁ ପ୍ରଦାନ କଲି। ଏଣିକି ସଂସାରରେ ଓ ଶାସ୍ତ୍ରରେ ଏହି ମାସ ମୋ ନାମରେ ପରିଚିତ ହେବ।” ସେହିଦିନୁ ମଳମାସ ‘ପୁରୁଷୋତ୍ତମ ମାସ’ ଭାବରେ ପରିଚିତ ହେଲା।
ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ‘ମଳମାସ ନାରାୟଣ’ଙ୍କର ଏକ ସ୍ୱତନ୍ତ୍ର ମନ୍ଦିର ଅଛି। ମଳମାସଗୁଡ଼ିକରେ ହିଁ ତାହାଙ୍କର ପୂଜାର୍ଚ୍ଚନା କରାଯାଇଥାଏ।