ମାସ ଫାଲଗୁନ, ପ୍ରଭୁ ଗୋବିନ୍ଦ

ନକ୍ଷତ୍ରଦେବୀ ତାରାଙ୍କର ନିତମ୍ବଦେଶକୁ ମଣ୍ଡନ କରୁଥିବା ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ର ଅନୁସାରେ, ବର୍ଷର ଚତୁର୍ଥ ମାସ ‘ଫାଲଗୁନ’ ଭାବରେ ନାମିତ। ଏହି ମାସର ଅଧିପତି ସ୍ୱୟଂ ‘ଗୋବିନ୍ଦ’। ଶ୍ରୀବିଷ୍ଣୁଙ୍କର ଏହି ନାମର ଅର୍ଥ ଓ ଅର୍ଥାନ୍ତରର ମହତ୍ତ୍ୱ ସର୍ବାଧିକ। ବେଦମାନେ ଏହି ନାମରେ ତାଙ୍କୁ ସମ୍ବୋଧନ କରିଥାନ୍ତି। କାରଣ, ସେ ହିଁ ସ୍ୱୟଂ ‘ଗୌ’ ବା ବାଣୀ। ବରାହ ଅବତାରରେ ସେ ‘ଗୋ’ ବା ଭୂଦେବୀଙ୍କୁ ପାତାଳ ଲୋକରୁ ନିଜ ଦନ୍ତରେ ବସାଇ ଉପରକୁ ଆଣି ତାଙ୍କର ପତି ହୋଇଥିଲେ। ତାଙ୍କରି ବାଣୀ ଅନୁସାରେ ଦଧୀଚି ମୁନିଙ୍କ ଅସ୍ଥିରେ ନିର୍ମିତ ହୋଇଥିଲା ବଜ୍ରାୟୁଧ ‘ଗୋ’।

‘ହରିବଂଶ’ର ବର୍ଣ୍ଣନା ଅନୁସାରେ, ପୁତ୍ର କାମନା କରି ଫାଲ୍‌ଗୁନ ମାସରେ ଶ୍ରୀକୃଷ୍ଣ କଠୋର ତପସ୍ୟାରେ ମଗ୍ନ ହୋଇଥିଲେ। ସେତେବେଳେ ମହାଦେବ ତାଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ତାଙ୍କୁ କହିଥିଲେ- ଆପଣ ତ ସ୍ୱୟଂ ଗୌ, ସର୍ବଜ୍ଞାତା, ଗୋବିନ୍ଦ- ମୁଁ ଆପଣଙ୍କୁ କ’ଣ ଦେବି? ଏହି ନାମର ମାଧୁର୍ଯ୍ୟକୁ ନେଇ ‘ଭାଗବତ’କାର ଲେଖିଛନ୍ତି, “ଗୋବିନ୍ଦ, ଗୋବିନ୍ଦ, ଗୋବିନ୍ଦ। ପଦୁ ଝରଇ ମକରନ୍ଦ’’। ଏହି ମକରନ୍ଦ ଗୋପୀମାନଙ୍କର ପରମ ସେବ୍ୟ ଥିଲା। କୁରୁସଭା ତଳେ ଦ୍ରୌପଦୀ ଲାଞ୍ଛିତ ହେଲା ବେଳେ, “ଗୋବିନ୍ଦ ପୁଣ୍ଡରୀକାକ୍ଷ ରକ୍ଷ ମାଂ ଶରଣାଗତମ୍‌” ବୋଲି ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରିଥିଲେ।

ତେଣୁ ଆଦିଶଙ୍କରାଚାର୍ଯ୍ୟ ସମସ୍ତ ପାପରୁ ମୁକ୍ତି ନିମିତ୍ତ ଏହି ନାମ ଜପ କରିବାକୁ ଉପଦେଶ ଦେଇଛନ୍ତି- “ଭଜ ଗୋବିନ୍ଦଂ ଭଜ ଗୋବିନ୍ଦଂ ଗୋବିନ୍ଦଂ ଭଜ ମୂଢ଼ମତେ।”

ଏହି ଗୋବିନ୍ଦ ଏକମାତ୍ର ତ୍ରାଣକର୍ତ୍ତା- ଯାହାଙ୍କୁ ଭଜନ କଲେ ମନୁଷ୍ୟକୁ ଆଉ ପୂନର୍ଜନ୍ମ ଭୋଗ କରିବାକୁ ପଡ଼େ ନାହିଁ। ଏହି ନାମ ପ୍ରାଣୀକୁ ସମସ୍ତ ବିପଦରୁ ରକ୍ଷା କରିଥାଏ। ଏହାର ଏକ ସରଳ ଉଦାହରଣ ଫାଲଗୁନରେ ପାଳିତ ହୋଲି ଉତ୍ସବ। ଏଥି ସହିତ ସଂଯୁକ୍ତ କଥାଟି ଏହିପରି-

ହିରଣ୍ୟକଶିପୁର ଭଗ୍ନୀ ହୋଲିକା। ଭକ୍ତ ପ୍ରହଲାଦକୁ ଅଗ୍ନିରେ ପୋଡ଼ି ମାରିବାପାଇଁ, ସେ କୋଳରେ ତାଙ୍କୁ ଧରି ଅଗ୍ନିରେ ପ୍ରବେଶ କରିଥିଲା। ହୋଲିକା ବରଲାଭ କରିଥିଲା ଯେ ଅଗ୍ନି ତାକୁ ଦହନ କରିବ ନାହିଁ। କିନ୍ତୁ ଗୋବିନ୍ଦଙ୍କ ପ୍ରଭାବରୁ ହୋଲିକା ଦଗ୍‌ଧ ହେଲା ଏବଂ ପ୍ରହ୍ଲାଦ ଉଦ୍ଧାର ପାଇଲେ। ଏହାକୁ ସ୍ମରଣ କରି ପ୍ରତିବର୍ଷ ଓଡ଼ିଶାର ଗ୍ରାମେ ଗ୍ରାମେ ଦୋଳଗୋବିନ୍ଦଙ୍କ ଫଗୁଖେଳର ସମାପ୍ତି ପରେ, ଏକ ମେଣ୍ଢାକୁଡ଼ିଆ ପୋଡ଼ି ଉତ୍ସବ ଅନୁଷ୍ଠିତ ହୁଏ। ଏହା ସୂଚାଏ- କପଟ, ଅହଂକାର ଓ ଈର୍ଷା ଓ ଦ୍ୱେଷକୁ ପୋଡ଼ି ଅଙ୍ଗାର କରିଦେଇ, ଗୋବିନ୍ଦ ତାଙ୍କର ଭକ୍ତକୁ ନିର୍ମଳ ଜୀବନ ପ୍ରଦାନ କରିଥାନ୍ତି।

ଏହି ନାମ ଜପଦ୍ୱାରା ମୂଢ଼ମତି ମନୁଷ୍ୟ ଯମ ଲୋକ ନ ଯାଇ ବିଷ୍ଣୁଲୋକ ଗମନ କରିଥାଏ ବୋଲି ବିଶ୍ୱାସ ରହିଛି।

ଡକ୍ଟର ତୁଳସୀ ଓଝା
ମୋ: ୯୪୩୭୪୨୨୪୧୧

ସମ୍ବନ୍ଧିତ ଖବର