ସନ୍ଥକବି କବିର ଦାସଙ୍କର ଗୋଟିଏ ଜଗନ୍ନାଥ ଭଜନ ଅଛି, ଯେଉଁଥିରେ କୁହାଯାଇଛି, “ଠାକୁର ଭଲେ ବିରାଜୋ ଜି! / ଓଡ଼ିଶା ଜଗନ୍ନାଥ ପୁରୀ ମେଁ / ଭଲେ ବିରାଜୋ ଜି!” ଦୀର୍ଘ ପ୍ରାୟ ପାଞ୍ଚ ଶହ ବର୍ଷରୁ ଊର୍ଦ୍ଧ୍ୱକାଳ ଧରି ଏହାକୁ ସାରା ଭାରତର, ବିଶେଷ କରି ଉତ୍ତର ଭାରତର ଜଗନ୍ନାଥ ଭକ୍ତ ଗାଇ ଆସୁଛନ୍ତି। ସାଧାରଣତଃ, ଠାକୁରମାନେ ‘ନୀଳାଦ୍ରିବିଜେ’ରେ ଯାଇ ରତ୍ନସିଂହାସନରେ ବିରାଜମାନ କରିବା ପରେ, ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତି ସହ ଏହା ଭକ୍ତମାନେ ଗାଇଥାଆନ୍ତି। ଏହା ପଛରେ ଥିବା ସେମାନଙ୍କ ମନର ଅଭିଳାଷ ହେଉଛି- ହେ ଜଗନ୍ନାଥ! ତୁମେ ଶ୍ରୀମନ୍ଦିରର ରତ୍ନସିଂହାସନରେ ଭଲରେ ବିରାଜୁ ଥାଅ! ତୁମେ ଭଲରେ ଥିଲେ ହିଁ ଆମ ସମସ୍ତଙ୍କର ଭଲ!
ଏହି ଭଜନର ପ୍ରଥମ ପଦ ବା ‘ଘୋଷା’ରେ ସୂଚିତ ହୋଇଛି- ପୁରୀ ହିଁ ଶ୍ରୀଜଗନ୍ନାଥଙ୍କର ବିଜେସ୍ଥଳୀ ଏବଂ ଓଡ଼ିଶାର ଏହି ବିଜେସ୍ଥଳୀ ତାଙ୍କ ନାମରେ ‘ଜଗନ୍ନାଥପୁରୀ’ ଭାବରେ ପ୍ରସିଦ୍ଧ। ସେଥିରେ ଶ୍ରୀଜଗନ୍ନାଥଙ୍କୁ ‘ବଳଭଦ୍ର ଜି କେ ଭୈୟା’ (ବଡ଼ଠାକୁର ବଳଭଦ୍ରଙ୍କର ଭାଇ) ଓ ‘ସୁଭଦ୍ରା ଜି କେ ଭୈୟା’ (ଦେବୀ ସୁଭଦ୍ରାଙ୍କର ଭାଇ) ବୋଲି ମଧ୍ୟ କୁହାଯାଇଛି।
ଏହି ଭଜନର ପରବର୍ତ୍ତୀ ପଦ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ସେଥିରେ ସନ୍ଥ କବିର କହିଛନ୍ତି, “କବ୍ ସେ ଛୋଡ଼ୀ ମଥୁରା ନଗରୀ, କବ୍ ସେ ଛୋଡ଼ୀ କାଶୀ / ଝାଡ଼ଖଣ୍ଡ ମେଁ ଆୟେ ବିରାଜେ ବ୍ରିନ୍ଦାବନ କେ ବାସୀ।” ଏହାର ତାତ୍ପର୍ଯ୍ୟ ହେଉଛି- ଦିନେ ମଥୁରା ନଗରୀ ଥିଲା ବୈଷ୍ଣବଧର୍ମର ପ୍ରସିଦ୍ଧ କ୍ଷେତ୍ର। ପରେ କାଶୀ ପ୍ରସିଦ୍ଧ ହେଲା। ମୁଖ୍ୟତଃ ଶୈବପୀଠ ହେଲେ ହେଁ ବିଷ୍ଣୁଙ୍କର ପ୍ରାଧାନ୍ୟ କାଶୀରେ ଥିଲା। କିନ୍ତୁ ପରବର୍ତ୍ତୀ କାଳରେ, ବୃନ୍ଦାବନବାସୀ କୃଷ୍ଣ ଆସି ‘ଝାଡ଼ଖଣ୍ଡ ନିବାସୀ’ ହେଲେ। ‘ଜଗନ୍ନାଥପୁରୀ’ ହେଲା ତାଙ୍କର ପ୍ରସିଦ୍ଧ କ୍ଷେତ୍ର।
ଏ ସଂପର୍କରେ ଅନୁଧ୍ୟାନରୁ ଜଣାଯାଏ- ପ୍ରାଚୀନ କାଳରେ, ଭାରତର ଏକ ବିଶାଳ ଭୂଖଣ୍ଡ ‘ଝାଡ଼ଖଣ୍ଡ’ ଭାବରେ ପରିଚିତ ହେଉଥିଲା। ତାହା ଥିଲା ଗଙ୍ଗାନଦୀର ଦକ୍ଷିଣବର୍ତ୍ତୀ ଭୂଖଣ୍ଡ ଏବଂ ଗୟାଠାରୁ ମହେନ୍ଦ୍ରଗିରି ପର୍ଯ୍ୟନ୍ତ ବିସ୍ତୃତ ପର୍ବତ ଓ ଅରଣ୍ୟ ଅଞ୍ଚଳ। ମଥୁରା ଓ କାଶୀ ପରେ, ବୃନ୍ଦାବନବାସୀ କୃଷ୍ଣ ସେଠାରେ ଜଗନ୍ନାଥ ନାମରେ ଅବସ୍ଥାନ କଲେ। ଏହା କବିରଙ୍କର ଏହି ଭଜନର ଐତିହାସିକ ବିଶେଷତ୍ୱ।
ଏହି ଭଜନର ଶେଷ ପଦରେ କବିର ଦାସ କହିଛନ୍ତି, “ନୀଲଚକ୍ର ପର ଧ୍ୱଜା ବିରାଜୈ, ମସ୍ତକେ ଶୋହେ ହୀରା।/ ଠାକୁର ଆଗେ ଦାସୀ ନାଚୈ, ଗାବୈ ଦାସ କବିରା।”
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/BADASINGHARA-VESA-1.jpg)