ହେ ଚକ୍ରବ୍ରହ୍ମ, ଶରଣ!

ମାନବ ସଭ୍ୟତାର ବିକାଶରେ ଚକ୍ରର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା। କିନ୍ତୁ ଆମ ଦେଶର ତଥା ଆମ ରାଜ୍ୟର ଆଧ୍ୟାତ୍ମିକ ସଂସ୍କୃତିରେ ମଧ୍ୟ ଚକ୍ରର ସ୍ଥାନ ଯେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ, ‘କୁରାଳ ଚକ୍ର’ ତାହାର ଏକ ଉଦାହରଣ।

‘କୁରାଳ ଚକ୍ର’ (ବା କୁଲାଳ ଚକ୍ର) ଆମର ଲୋକକଥିତ ଭାଷାରେ ‘କୁମ୍ଭାରଚକ’। ମାର୍ଗଶିର ମାସ ଶୁକ୍ଳପକ୍ଷ ପଞ୍ଚମୀରେ କୁମ୍ଭାର ବା କୁମ୍ଭକାରମାନେ ଏହାର ପୂଜା କରିଥାଆନ୍ତି। ‘କୁରାଳ ପୁରାଣ’ ଅନୁସାରେ, ଏହାର ନାମ ‘ସୁରସେନ ଚକ୍ର’ ଏବଂ ଏହି ଚକ୍ର ଭଗବାନ ବିଷ୍ଣୁ ରୁଦ୍ରପାଳଙ୍କୁ ପ୍ରଦାନ କରିଥିଲେ। ରୁଦ୍ରପାଳ ସେହି ଚକ୍ରକୁ ମର୍ତ୍ତ୍ୟକୁ ଆଣି, ସେଥିରେ ରନ୍ଧନ ପାଇଁ ମାଟିପାତ୍ର ଗଢ଼ିଲେ।

ରୁଦ୍ରପାଳ ଏକ ଲୌକିକ ଦେବତା। ତାଙ୍କରିଠାରୁ କୁରାଳ ବା କୁମ୍ଭକାର ବଂଶର ସୃଷ୍ଟି। ତେଣୁ ସେ କୁମ୍ଭକାରମାନଙ୍କର ଉପାସ୍ୟ। ତାଙ୍କର ଜନ୍ମବୃତ୍ତାନ୍ତ ଅନୁସାରେ- ଯେତେବେଳେ ମର୍ତ୍ତ୍ୟଲୋକରେ ମାଟିପାତ୍ରର ନିର୍ମାଣ ହୋଇନଥିଲା, ସେତେବେଳେ ଲୋକେ ରନ୍ଧନ ନକରି ଖାଦ୍ୟଦ୍ରବ୍ୟ ଖାଉଥିଲେ। ତେଣୁ ତାହା ସହଜରେ ଜୀର୍ଣ୍ଣ ହେଉନଥିଲା। ସେଥିପାଇଁ ଲୋକେ ଅଜୀର୍ଣ୍ଣ ଓ ଅପୁଷ୍ଟି ଆଦି ରୋଗ ଭୋଗୁଥିଲେ। ଦେବର୍ଷି ନାରଦ ଭଗବାନ ବିଷ୍ଣୁଙ୍କୁ ତାହା ଜଣାଇବାରୁ, ତାଙ୍କର କପାଳରୁ ସ୍ୱେଦ ବିନ୍ଦୁ ନିର୍ଗତ ହେଲା ଏବଂ ସେହି ସ୍ୱେଦବିନ୍ଦୁରୁ ରୁଦ୍ରପାଳ ଜନ୍ମ ନେଲେ। ସେ ରୁଦ୍ରଙ୍କଠାରୁ ବ୍ରହ୍ମଜ୍ଞାନ ଶିକ୍ଷା କରିବା ପରେ ତାଙ୍କର ନାମ ହେଲା ରୁଦ୍ରପାଳ। ତାଙ୍କରି ହାତରେ ମାଟିପାତ୍ର ନିର୍ମାଣ କରାଯାଇ ରନ୍ଧନ କାର୍ଯ୍ୟ କରାଯିବା ଫଳରେ ମର୍ତ୍ତ୍ୟର ଲୋକେ ସୁସ୍ଥ ଓ ନିରାମୟ ହେଲେ।

ଏ ଦୃଷ୍ଟିରୁ, ଏହି ଚକ୍ର ରୁଦ୍ରପାଳ ଓ ତାଙ୍କ ବଂଶରେ ଜାତ କୁରାଳମାନଙ୍କର ଉପାସ୍ୟ। ସେଥିପାଇଁ କୁମ୍ଭକାରମାନେ କୁରାଳ ପଞ୍ଚମୀ ଦିନ ଏହି ଚକ୍ରକୁ ପୂଜା କରିଥାଆନ୍ତି। ସେମାନଙ୍କ ପାଇଁ ଏହି ଚକ୍ର ବ୍ରହ୍ମଙ୍କର ସ୍ୱରୂପ। ସେଥିପାଇଁ ସେମାନେ ଏହି ଚକ୍ରପୂଜା କରି କହିଥାଆନ୍ତି- “ଚକ୍ରବ୍ରହ୍ମ କୁରାଳସ୍ୟ ତ୍ୱମେବ ଶରଣଂ ପ୍ରଭୁ।” ଅର୍ଥାତ୍‌, ହେ ଚକ୍ର, ତୁମେ ସାକ୍ଷାତ୍ ବ୍ରହ୍ମ। ତୁମ୍ଭଠାରେ ଆମେ ଶରଣ ନେଉଅଛୁ।”

ସମ୍ବନ୍ଧିତ ଖବର