‘ହସି କମଳିନୀ କହନ୍ତି, ତୁମେ ହୋଇଲ ବନ୍ଧା’

ଗଞ୍ଜପା, ଶକଟା, ତାସ୍ ଓ ପଶାପାଲିରେ ହୁଏ ଦ୍ୟୁତକ୍ରୀଡ଼ା ବା ଜୁଆଖେଳ। ଏହି ଖେଳକୁ କୌଣସି ଦିନ କେହି ଭଲ ଦୃଷ୍ଟିରେ ଦେଖନ୍ତି ନାହିଁ। କାରଣ ଏହି ଖେଳରେ, ନିୟମ ଅନୁସାରେ କିଛି ସର୍ତ୍ତ ରଖାଯାଏ। ଖେଳ ଶେଷରେ ଯିଏ ହାରେ, ସିଏ ନିର୍ଦ୍ଧାରିତ ସର୍ତ୍ତ ପୂରଣ କରିବାପାଇଁ ବାଧ୍ୟ ହୁଏ। ଏହି ଖେଳରେ ହାରି ସର୍ତ୍ତ ଅନୁସାରେ ନଳ ରାଜାଙ୍କୁ ଘାସ କାଟିବାକୁ ପଡ଼ିଥିଲା ଏବଂ ପାଣ୍ଡବମାନଙ୍କୁ ବନବାସରେ ଯିବାକୁ ହୋଇଥିଲା।

ତଥାପି ଆଜି ବି ଏହି ଖେଳ ହୁଏ। ପୁଣି ଏହାକୁ ଖେଳନ୍ତି ସ୍ୱୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ। କୁମାର ପୂର୍ଣ୍ଣିମା ରାତିରେ ମହାପ୍ରଭୁ ମହାଲକ୍ଷ୍ମୀଙ୍କ ସହିତ ଏହି ପଶା ବା ଜୁଆ ଖେଳନ୍ତି। ପ୍ରଥମ ଥର ସ୍ୱୟଂ ମଦନମୋହନ ଲକ୍ଷ୍ମୀଙ୍କ ମନ୍ଦିରକୁ ଯାଇ ତାଙ୍କ ସହିତ କଉଡ଼ି, ପଶା ଓ ଶକଟା ଖେଳି ଫେରି ଆସନ୍ତି। ପୁନଶ୍ଚ ବଡ଼ସିଂହାର ବେଶ ସମାପ୍ତ ହୁଅନ୍ତେ, ମହାପ୍ରଭୁ (ଶ୍ରୀମଦନମୋହନ) ଲକ୍ଷ୍ମୀ (ଶ୍ରୀଦେବୀ)ଙ୍କ ସହିତ ପଶା ଖେଳନ୍ତି। ଥରେ ସିଂହାସନ ତଳେ ଓ ଥରେ ସିଂହାସନ ଉପରେ ଏହି ଖେଳ ହୁଏ। ଖେଳରେ ମହାପ୍ରଭୁ ଲକ୍ଷ୍ମୀଙ୍କଠାରୁ ହାରିଯାଆନ୍ତି। ଫଳରେ ସର୍ତ୍ତ ସ୍ୱରୂପ ରତ୍ନସିଂହାସନ ଉପରେ ବିଜେ ମାଧବ ଯାଇ ସାତଦିନ ପର୍ଯ୍ୟନ୍ତ ଲକ୍ଷ୍ମୀଙ୍କ ମନ୍ଦିରରେ ବନ୍ଧା ପଡ଼ନ୍ତି। ଅଷ୍ଟମୀ ଦିନ ହିଁ ସେ ମୁକ୍ତ ହୋଇ ସିଂହାସନକୁ ଫେରନ୍ତି।

ମହାପ୍ରଭୁ ଶ୍ରୀକୃଷ୍ଣ ଭାବରେ ରାଧାଙ୍କ ସହ କଉଡ଼ି ଖେଳି ବନ୍ଧା ପଡ଼ିବା କଥାର ବର୍ଣ୍ଣନା ମଧ୍ୟ ଓଡ଼ିଆ ଲୋକଗୀତରେ ଦେଖାଯାଏ। ଖେଳରେ ଶ୍ରୀକୃଷ୍ଣ ମୁକୁଟ, କୁଣ୍ଡଳ, ହାର, ଫେଟା, ମୁଦ୍ରିକା ଓ ପାଦୁକା ହରାଇ ଶେଷରେ ରାଧାଙ୍କ ପାଖରେ ବନ୍ଧାପଡ଼ନ୍ତି। ଲୋକଗୀତରେ ବର୍ଣ୍ଣନା ଅଛି-
“ଶୁଦ୍ଧ ସୁବର୍ଣ୍ଣର ମଣ୍ଡପ ମଧ୍ୟେ ଚନ୍ଦନ କୋଠି
ରାଈ ଦାମୋଦର ଖେଳନ୍ତି ହସ୍ତେ କଉଡ଼ି ମୁଠି
ସାତ ମୁଠି ଜୁଆ ଖେଳନ୍ତେ ପ୍ରଭୁ ହୋଇଲେ ଧନ୍ଦା।
ହସି କମଳିନୀ କହନ୍ତି ତୁମେ ହୋଇଲ ବନ୍ଧା।”

ପଶା ବା ଜୁଆ ଖେଳ ଅପରାଧରେ ଗଣା। ବୋଧହୁଏ ଏଥିପାଇଁ ସ୍ୱୟଂ ମହାପ୍ରଭୁ ପଶା ଖେଳି ଦଣ୍ଡ ଭୋଗନ୍ତି। ଲୋକଙ୍କୁ ଶିକ୍ଷା ଦିଅନ୍ତି।

ଡକ୍ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର