୧୯୫୦ ମସିହା ଡିସେମ୍ବର ୫ ତାରିଖ, ଶ୍ରୀଅରବିନ୍ଦଙ୍କର ପୁଣ୍ୟ ପ୍ରୟାଣ ଦିବସ। ଆମ ଦେଶର ଏହି ମହାନ ଦାର୍ଶନିକ, ଯୋଗୀ, ଗୁରୁ, କବି, ଜାତୀୟତାବାଦୀ ବିପ୍ଳବୀଙ୍କର ଆବିର୍ଭାବ ଘଟିଥିଲା ୧୫ ଅଗଷ୍ଟ, ୧୮୭୨ରେ। ମହାକାବ୍ୟ ‘ସାବିତ୍ରୀ’ ତାଙ୍କର ଶ୍ରେଷ୍ଠ କୃତି ଭାବରେ ସ୍ୱୀକୃତ। କିନ୍ତୁ ଅନେକଙ୍କୁ ହୁଏତ ଅଜଣା ଯେ ଏହି ଅସାମାନ୍ୟ କାବ୍ୟକୃତିକୁ ସେ ଦୀର୍ଘ ପ୍ରାୟ ୫୦ ବର୍ଷ ଧରି ଲେଖୁଥିଲେ। ଥରେ କି ଦି’ଥର ନୁହେଁ- ଅଠର ଥର ସେ ତାହାର ପୁନର୍ଲିଖନ କରିଥିଲେ।
ନିରଦବରଣ ତାଲୁକଦାର ନାମକ ଜଣେ ଶିଷ୍ୟ ଥରେ ତାଙ୍କୁ ଏ ସଂପର୍କରେ ପଚାରିଥିଲେ- “ଆମେ ଅନେକ ସମୟରେ ବିସ୍ମିତ ହେଉ ଯେ ଆପଣଙ୍କ ପରି ଜଣେ ସିଦ୍ଧସାଧକ କାହିଁକି ବାରମ୍ବାର ‘ସାବିତ୍ରୀ’ର ପୁନର୍ଲିଖନ କରୁଥିଲେ? ଆପଣଙ୍କର ସବୁ ଅନ୍ତଃପ୍ରେରଣା ତ ସଂପୂର୍ଣ୍ଣ ରୂପେ ଆପଣଙ୍କର ନିୟନ୍ତ୍ରଣରେ! ତାହା ସତ୍ତ୍ୱେ, ଏପରି ବାରମ୍ବାର ପୁନର୍ଲିଖନର କି ପ୍ରୟୋଜନ ବା ଆପଣଙ୍କ ପାଇଁ ଥିଲା?”
ଏହାର ଉତ୍ତରରେ ଶ୍ରୀଅରବିନ୍ଦ ଖୁବ୍ ସହଜ ଭାବରେ ତାଙ୍କୁ ବୁଝାଇ ଦେଇ କହିଥିଲେ-
“କଥାଟି ଖୁବ୍ ସହଜ ଓ ସରଳ। ମୁଁ ‘ସାବିତ୍ରୀ’କୁ ଉଚ୍ଚରୁ ଉଚ୍ଚତର ସୋପାନକୁ ଆରୋହଣର ଏକ ମାର୍ଗ ଭାବେ ହିଁ ଉପଯୋଗ କରିଛି। ଏହାର ରଚନା ଆରମ୍ଭ କରିବା ସମୟରେ ମୁଁ ଏକ ନିର୍ଦ୍ଦିଷ୍ଟ ମାନସିକ ସ୍ତରରେ ଥିଲି। କିନ୍ତୁ ପରେ ଯେତେବେଳେ ତାହାର କୌଣସି କୌଣସି ଅଂଶ ଆହୁରି ଉନ୍ନତ ହେବା ଆବଶ୍ୟକ ବୋଲି ଅନୁଭବ କଲି, ସେତେବେଳେ ତାହାର ପୁନର୍ଲିଖନ କଲି। କାରଣ, ଗୋଟିଏ ଭଲ କବିତାର କୌଣସି ଅଂଶ କଦାପି ସେପରି ନିମ୍ନ ସ୍ତରରେ ରହିବା ଉଚିତ ନୁହେଁ ବୋଲି ମୁଁ ଅନୁଭବ କରିଛି। ତେଣୁ ତା’ର ସେହି ସ୍ତରରେ ମୁଁ ସନ୍ତୁଷ୍ଟ ହୋଇପାରି ନାହିଁ। ମୋର ମନେ ହୋଇଛି, ସମଗ୍ର କାବ୍ୟଟିର ସମସ୍ତ ଅଂଶ ଗୋଟିଏ ଉନ୍ନତ ସ୍ତରରେ ରହିବା ଆବଶ୍ୟକ। କାରଣ, ମୋ ପାଇଁ ‘ସାବିତ୍ରୀ’ ଗୋଟିଏ ସାଧାରଣ କାବ୍ୟ ନୁହେଁ ଯେ ତାହାର ଲେଖା ଆରମ୍ଭ ହେବ ଆଉ ଶେଷ ବି ହୋଇଯିବ। ଏହା ମୋ ପାଇଁ ପରୀକ୍ଷଣର ଏକ ଧାରା- ଯାହା ଦର୍ଶାଏ, ଯେ କବିତା ଜଣଙ୍କର ଯୋଗ-ଚେତନା ମଧ୍ୟରୁ ହିଁ ସୃଷ୍ଟି ହୁଏ ଏବଂ ତାହା ସମଭାବରେ ସୃଜନଶୀଳ ମଧ୍ୟ ହୋଇଥାଏ।”
ଦୁଇମିନିଟିଆ ମାଗି, ନୁଡ଼ୁଲସ୍ ପରି ଆଜିର ଚଟାପଟ୍ କବିତାର ଯୁଗରେ, ଏହା ହୁଏତ ଅନେକଙ୍କୁ ଅସ୍ୱାଭାବିକ ମନେ ହୋଇପାରେ। କିନ୍ତୁ ପ୍ରତି ମୁହୂର୍ତ୍ତରେ ଚେତନା ସ୍ତରରେ ଉନ୍ନତରୁ ଉନ୍ନତତର ସୋପାନକୁ ଆରୋହଣ କରୁଥିବା ଜଣେ ସ୍ରଷ୍ଟାଙ୍କ କ୍ଷେତ୍ରରେ ଏହା ହିଁ ବାସ୍ତବ ସତ୍ୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/jibanmantra.jpg)