ଷଡ଼ଜୟନ୍ତୀ: କେଉଁ ଛଅ?

‘ଜୟନ୍ତୀ’ ଇନ୍ଦ୍ରଙ୍କ କନ୍ୟା ଓ ଦେବୀ ଦୁର୍ଗାଙ୍କର ଏକ ନାମ। କିନ୍ତୁ ଆମେ ‘ଜୟନ୍ତୀ’ କହିଲେ ମୁଖ୍ୟତଃ ଜନ୍ମଦିନକୁ ବୁଝିଥାଉ। ‘ଜୟନ୍ତୀ’ର ଆଉ କେତୋଟି ଅର୍ଥ ମଧ୍ୟ ଅଛି। ସେଥି ମଧ୍ୟରୁ ଗୋଟିଏ ଅର୍ଥ ହେଉଛି- ପତାକା। ଫଳିତ ଜ୍ୟୋତିଷ ଅନୁସାରେ, ଶ୍ରାବଣ କୃଷ୍ଣ ଅଷ୍ଟମୀ ମଧ୍ୟରାତ୍ରିର ରୋହିଣୀ ନକ୍ଷତ୍ରଯୁକ୍ତ ତିଥିକୁ ମଧ୍ୟ ‘ଜୟନ୍ତୀ’ କୁହାଯାଏ।

ଜନ୍ମତିଥିକୁ ‘ଜୟନ୍ତୀ’ ରୂପେ ଗ୍ରହଣ କରି, ହିନ୍ଦୁମାନେ ବର୍ଷରେ ଯେଉଁ ଛଅଟି ଜନ୍ମଦିନ ପାଳନ କରନ୍ତି- ତାହା ‘ଷଡ଼ଜୟନ୍ତୀ’ ଭାବରେ ଖ୍ୟାତ। ଏହାକୁ ନେଇ ‘ଷଡଜୟନ୍ତୀ ବ୍ରତ’ ମଧ୍ୟ ପାଳିତ ହୋଇଥାଏ।

ଓଡ଼ିଆ ଓଷାବ୍ରତ ମଧ୍ୟରେ ‘ଷଡ଼ଜୟନ୍ତୀ ବ୍ରତ’ କଥା ଅଛି। ସେଥି ମଧ୍ୟରୁ ଗୋଟିଏରେ ଦୁଇଟି ଧର୍ମର କଥା କୁହାଯାଇଛି। ପ୍ରଥମଟି ‘ସ୍ମାର୍ତ୍ତ’ ଓ ଦ୍ୱିତୀୟଟି ‘ପରମାର୍ଥ’। ‘ସ୍ମାର୍ତ୍ତ’ ଧର୍ମ ହେଉଛି ସ୍ମୃତିଶାସ୍ତ୍ରରେ କଥିତ ଧର୍ମ। ‘ପରମାର୍ଥ’ ଧର୍ମ ପରଂବ୍ରହ୍ମଙ୍କ ସହିତ ସଂପୃକ୍ତ। ସେଥିରେ ‘ଷଡ଼ଜୟନ୍ତୀ’ ସଂପର୍କରେ ଥିବା ବର୍ଣ୍ଣନା ଏହିପରି-
ସ୍ମାର୍ତ୍ତ ଧର୍ମରେ ମନୁଷ୍ୟର। ଜୟନ୍ତୀ ହୋଏ ଛ ପ୍ରକାର।।
ଶିବ ଦୁର୍ଗାର ବ୍ରତ ଦୁଇ। ରାମ ନୃସିଂହ ଜନ୍ମ ହୋଇ।।
ଶ୍ରୀକୃଷ୍ଣ ଜନ୍ମ ବ୍ରତ ଆର। ବାମନ ଜନ୍ମ ଛ ପ୍ରକାର।।

ଏଥିରୁ ସ୍ପଷ୍ଟ ଯେ ଶିବଚତୁର୍ଦ୍ଦଶୀ, ଦୁର୍ଗାଷ୍ଟମୀ, ରାମନବମୀ, ନୃସିଂହଚତୁର୍ଦ୍ଦଶୀ, ଜନ୍ମାଷ୍ଟମୀ ଓ ବାମନଦ୍ୱାଦଶୀ- ଏହି ଛଅଟି ହେଉଛି ଷଡ଼ଜୟନ୍ତୀ। ଏହି ତିଥିଗୁଡ଼ିକରେ ଯଥାକ୍ରମେ ଶିବ, ଦୁର୍ଗା, ରାମ, ନୃସିଂହ, କୃଷ୍ଣ ଓ ବାମନଙ୍କର ଆବିର୍ଭାବ ଘଟିଥିଲା।

‘ଷଡ଼ଜୟନ୍ତୀ ବ୍ରତ’କଥାରେ, ‘ସ୍ମାର୍ତ୍ତ ଷଡ଼ଜୟନ୍ତୀ ବ୍ରତ’ ପରି ‘ପରମାର୍ଥ ଷଡ଼ଜୟନ୍ତୀ ବ୍ରତ’ର ଉଲ୍ଲେଖ ମଧ୍ୟ ଅଛି।
ସେଥିରେ କୁହାଯାଇଛି-
ପରମାର୍ଥରେ ମନୁଷ୍ୟର। ବ୍ରତ ଗଣନା ଏ ପ୍ରକାର।।
ଶ୍ରୀରାଧା ଚୈତନ୍ୟ ପ୍ରଭୁର। ବ୍ରତ କରନ୍ତି ଦି’ ପ୍ରକାର।।
ରାମ ନୃସିଂହ ଶ୍ରୀକୃଷ୍ଣର। କରନ୍ତି ଜନ୍ମ ବ୍ରତ ନର।।
ବାମନ ଜନ୍ମକୁ ହିଁ ପୁଣ୍ୟ। ଘେନିଣ ଷଷ୍ଠ ପ୍ରକାରେଣ।।

ଏଣୁ ପରମାର୍ଥ ଷଡ଼ଜୟନ୍ତୀ ହେଉଛି- ରାମ, ନୃସିଂହ, ଶ୍ରୀକୃଷ୍ଣ ଓ ବାମନଙ୍କ ସହିତ, ରାଧା ଓ ଚୈତନ୍ୟଙ୍କ ଜନ୍ମତିଥିର ବ୍ରତ।

କିନ୍ତୁ ହିନ୍ଦୁମାନେ ମୁଖ୍ୟତଃ ସ୍ମାର୍ତ୍ତ ମତର ଷଡ଼ଜୟନ୍ତୀକୁ ହିଁ ବ୍ରତ ଭାବରେ ପାଳନ କରିଥାଆନ୍ତି।

ସମ୍ବନ୍ଧିତ ଖବର