ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ହେଉଛି ଶ୍ରୀକୃଷ୍ଣଙ୍କର ଜନ୍ମତିଥି। ଏହିଦିନ ନିଶାର୍ଦ୍ଧରେ ସେ କଂସର ବନ୍ଦୀଶାଳାରେ ଜନ୍ମଗ୍ରହଣ କରିଥିଲେ। ‘ଶ୍ରୀମଦ୍‌ଭଗବଦ୍‌ଗୀତା’ର ୪ର୍ଥ ଅଧ୍ୟାୟ, ୭ମ ଶ୍ଳୋକରେ ନିଜେ ଶ୍ରୀକୃଷ୍ଣ ଯାହା କହିଛନ୍ତି, ତାହାର ସରଳ ଓଡ଼ିଆ ମର୍ମାର୍ଥ ହେଉଛି-
ଯେଉଁ କାଳରେ ହେ ଭାରତ। ଧର୍ମର ହାନି ଉପଗତ।
ଅଧର୍ମ ବଢ଼ଇ ପ୍ରବଳେ। ନିଜକୁ ସୃଜେଁ ସେତେବେଳେ।
ସାଧୁଙ୍କ ପରିତ୍ରାଣ ଅର୍ଥେ। ଦୁଷ୍ଟଙ୍କ ବିନାଶ ନିମନ୍ତେ।
ଧରମ ସ୍ଥାପନ ନିମିତ୍ତ। ହୁଅଇଁ ଯୁଗେଯୁଗେ ଜାତ।

Advertisment

କିନ୍ତୁ ଶ୍ରୀକୃଷ୍ଣ ଅବତାର ନୁହନ୍ତି। କେହି କେହି ତାଙ୍କୁ ଭଗବାନ ବିଷ୍ଣୁଙ୍କର ଅଷ୍ଟମ, ତ୍ରୟୋଦଶ ବା ବିଂଶ ଅବତାର ବୋଲି କହିଲେ ମଧ୍ୟ, ସେ ଅବତାରୀ। ବୃଷ୍ଣି ବଂଶରେ, ତଥା ଯଦୁବଂଶରେ ସେ ଜନ୍ମଗ୍ରହଣ କରି ଦୁଷ୍ଟଙ୍କର ବିନାଶ ଓ ଧର୍ମର ସଂସ୍ଥାପନ କରିଥିଲେ।

ଶ୍ରୀକୃଷ୍ଣଙ୍କ ଜନ୍ମପୂର୍ବରୁ ପରଶୁରାମ ୨୧ ବାର କ୍ଷତ୍ରିୟମାନଙ୍କୁ ନିପାତ କରିଥିଲେ। କିନ୍ତୁ ପୁନର୍ବାର ଅତ୍ୟାଚାରୀ କ୍ଷତ୍ରିୟ ଶକ୍ତିର ଅଭ୍ୟୁଦୟ ଘଟିଥିଲା। କଂସ ଓ ଜରାସନ୍ଧ ଆଦି ଥିଲେ ତାହାର ପ୍ରତୀକ। ତେଣୁ ପ୍ରତିକାର ନିମନ୍ତେ ଭଗବାନ ବିଷ୍ଣୁ ସ୍ୱୟଂ ଶ୍ରୀକୃଷ୍ଣ ରୂପରେ ଧରାବତରଣ କରିଥିଲେ। ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ, ରୋହିଣୀ ନକ୍ଷତ୍ରର ଉଦୟ କାଳରେ, ଅର୍ଦ୍ଧରାତ୍ରିରେ, ଚାରିମେଘଙ୍କର ରଣ ତାଣ୍ଡବ ବେଳେ ତାଙ୍କର ଆବିର୍ଭାବ ଘଟିଥିଲା। ପୁରାଣ ପ୍ରସଙ୍ଗ ଅନୁସାରେ, ତାଙ୍କର ଆବିର୍ଭାବ ସହିତ କାରାଗାରର ଦ୍ୱାର ଉନ୍ମୁକ୍ତ ହୋଇଯାଇଥିଲା । ପିତା ବସୁଦେବଙ୍କର ପାଦର ବେଡ଼ି ଖୋଲିଗଲା। ସେ ଯମୁନାନଦୀ ପାରି ହୋଇ, ଶିଶୁପୁତ୍ର ଶ୍ରୀକୃଷ୍ଣଙ୍କୁ ନେଇ ନିରାପଦରେ ଗୋପପୁରରେ, ନନ୍ଦରାଜାଙ୍କ ଘରେ ପହଞ୍ଚାଇ ଦେଇ ଆସିଥିଲେ।

ଏହି ଅନୁସାରେ, ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ‘ଜନ୍ମାଷ୍ଟମୀ’ ରୂପେ ଓଡ଼ିଶାର ଘରେ ଘରେ ପାଳିତ ହୁଏ। କିନ୍ତୁ ଶ୍ରୀଜଗନ୍ନାଥ ମନ୍ଦିରରେ ଏହି ନୀତିର କେତେକ ସ୍ୱତନ୍ତ୍ରତା ଦେଖାଯାଏ। ଜନ୍ମାଷ୍ଟମୀର ପୂର୍ବଦିନ ସଂଧ୍ୟାଧୂପ ଓ ପ୍ରସାଦଲାଗି ପରେ, ତିନିଠାକୁରଙ୍କୁ ବନ୍ଦାପନା କରାଯାଏ। ଏହି ସମୟରେ ଶ୍ରୀଜଗନ୍ନାଥଙ୍କୁ ଗୋଟିଏ ଅଧିକ ବନ୍ଦାପନା କରାଯାଏ। ଶ୍ରୀମନ୍ଦିର ପରିଭାଷାରେ ଏହା ହେଉଛି ‘ଗର୍ଭୋଦକ ବନ୍ଦାପନା’। ଏହା ପୂର୍ବରୁ ‘ଜେଉଟ’ (ଜେଉଡ଼) ଭୋଗ ନାମରେ ଏକ ସ୍ୱତନ୍ତ୍ର ଭୋଗ ମଧ୍ୟ ତାଙ୍କୁ ଲାଗି କରାଯାଇଥାଏ। ଶ୍ରୀଜଗନ୍ନାଥଙ୍କୁ ଦେବକୀ ଭାବରେ ଜ୍ଞାନ କରି, ସୁଖପ୍ରସବ ପାଇଁ ଏହା କରାଯାଇଥାଏ। ଏହାର ତାତ୍ପର୍ଯ୍ୟ ହେଉଛି, ଶ୍ରୀଜଗନ୍ନାଥ ଦେବକୀ ରୂପେ ଭୋଗ ଓ ବନ୍ଦାପନା ପାଆନ୍ତି ଏବଂ ପରଦିନ ସେ ଶ୍ରୀକୃଷ୍ଣ ରୂପେ ନିଜକୁ ଜନ୍ମ ଦିଅନ୍ତି। ଏହାର ତାତ୍ତ୍ୱିକତା ହେଉଛି- ସେ ମାତା, ସେ ପିତା ଏବଂ ସେ ମଧ୍ୟ ପୁତ୍ର।

ଏହି ନୀତିର ଅନ୍ୟ ଏକ ତାତ୍ପର୍ଯ୍ୟ ହେଉଛି- ଶ୍ରୀଜଗନ୍ନାଥଙ୍କ ବିଜେ ପ୍ରତିମା ବା ପ୍ରତିନିଧି ଶ୍ରୀମଦନମୋହନ ମଧ୍ୟ ଏଥିରେ ଭାଗ ନେଇଥାଆନ୍ତି। ସେ ହିଁ କୃଷ୍ଣ ରୂପେ ଜନ୍ମ ନିଅନ୍ତି। ସେଥିପାଇଁ, ଶିଶୁଟିଏ ଜନ୍ମବେଳେ ନଗ୍ନ ଥିବା ପରି, ତାଙ୍କର ବସ୍ତ୍ରହୀନ ପ୍ରତିମା ହିଁ ଏହି ଭୂମିକା ନିର୍ବାହ କରିଥାଆନ୍ତି। ଏଥିପାଇଁ ଶ୍ରୀମଦନମୋହନଙ୍କୁ ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ଦିଆଯାଇଥାଏ। ସେହି ଆଜ୍ଞାମାଳ ପ୍ରଦାନ ସମୟରେ ପ୍ରାର୍ଥନା କରାଯାଏ- ହେ ମହାପ୍ରଭୁ! ହେ ଦାରୁବ୍ରହ୍ମ! ତୁମ୍ଭଙ୍କୁ ନମସ୍କାର। ମତ୍ସ୍ୟ ପ୍ରଭୃତି ଅବତାରଗଣ ତୁମ୍ଭର ଆଜ୍ଞାଲାଭ କରି ତୁମ୍ଭଠାରୁ ଉଦ୍ଭବ ହୁଅନ୍ତି। ହେ ପଦ୍ମଲୋଚନ! ଏବେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ ପାଇଁ ଆଜ୍ଞା ଦିଅନ୍ତୁ!