ପ୍ରତ୍ୟେକ ମାସରେ ଦୁଇଟି କରି ବର୍ଷ ମଧ୍ୟରେ ଚବିଶିଟି ଏକାଦଶୀ ପଡ଼େ। ଗୋଟିଏ କୃଷ୍ଣ ପକ୍ଷରେ ଓ ଗୋଟିଏ ଶୁକ୍ଳ ପକ୍ଷରେ। ଆଶ୍ୱିନ କୃଷ୍ଣପକ୍ଷ ଏକାଦଶୀକୁ ‘ଇନ୍ଦିରା’ ଏକାଦଶୀ ଓ ଶୁକ୍ଳପକ୍ଷ ଏକାଦଶୀକୁ ‘ପାପାଙ୍କୁଶା’ ଏକାଦଶୀ କହନ୍ତି।
ଏହି ନାମର ତାତ୍ପର୍ଯ୍ୟ ହେଉଛି- ଏହି ଏକାଦଶୀ ବ୍ରତ କଲେ ଯେଉଁ ପୁଣ୍ୟ ଅର୍ଜନ ହୁଏ, ସେହି ପୁଣ୍ୟର ଅଙ୍କୁଶରେ ପାପରୂପୀ ହାତୀକୁ ବେଧନ କରାଯାଇପାରେ। କଥିତ ଅଛି, ଏହି ଏକାଦଶୀ ପାଳନ କଲେ ଦଶପିଢ଼ି ମାତୃପକ୍ଷ, ଦଶପିଢ଼ି ପିତୃପକ୍ଷ, ଦଶପିଢ଼ି ସ୍ତ୍ରୀ ପକ୍ଷ ଓ ଦଶପିଢ଼ି ମିତ୍ରପକ୍ଷ ଉଦ୍ଧାର ପାଆନ୍ତି। ଏହି ଏକାଦଶୀ ବ୍ରତ ପାଳନ କଲେ ମନୁଷ୍ୟର ସମସ୍ତ ପାପର ପ୍ରାୟଶ୍ଚିତ ମଧ୍ୟ ହୋଇଥାଏ।
ଏକାଦଶୀ ଶ୍ରୀକୃଷ୍ଣଙ୍କ ଶରୀରରୁ ଉତ୍ପନ୍ନ ହୋଇଥିବାରୁ ଏହି ଦିନ ଭଗବାନ ପଦ୍ମନାଭଙ୍କୁ ପୂଜା କରାଯାଏ। ବ୍ରତଧାରୀ ଦଶମୀ ଦିନ ଥରେ ମାତ୍ର ଆହାର କରି, ଏକାଦଶୀ ଦିନ ସଂପୂର୍ଣ୍ଣ ଉପବାସ କରନ୍ତି। ଏକାଦଶୀ ଦିନ ପ୍ରାତଃକାଳରୁ ଶୁଦ୍ଧସ୍ନାନ କରି, ପୂଜା ଘରେ ଶୁଚିପୂର୍ଣ୍ଣ ଭାବେ କଳସ ସ୍ଥାପନ କରନ୍ତି। ଭଗବାନ ପଦ୍ମନାଭଙ୍କ ମୂର୍ତ୍ତିକୁ ପଞ୍ଚାମୃତରେ ସ୍ନାନ କରାଇ, ସେହି କଳସ ଉପରେ ତାହାଙ୍କୁ ସଂସ୍ଥାପିତ କରି, ଫୁଲ ଚନ୍ଦନ ଆଦିରେ ସୁସଜ୍ଜିତ କରନ୍ତି। ବ୍ରତଧାରୀ ‘ଓଁ ଭଗବତେ ବାସୁଦେବାୟ ନମଃ’ ମନ୍ତ୍ର ଜପ କରି ପୂଜା କରିଥାନ୍ତି। ସନ୍ଧ୍ୟା ଆଳତି ସମୟରେ ବିଷ୍ଣୁ ସହସ୍ରନାମ ଜପ କରନ୍ତି। ତା’ପରଦିନ ସ୍ନାନ ସାରି, ବ୍ରାହ୍ମଣଙ୍କୁ ଦାନ ଦକ୍ଷିଣା ଦେଇ ବ୍ରତ ଉଦ୍ଯାପନ କରନ୍ତି। ବ୍ରତକଥା ଅନୁସାରେ, ସୁନା, ତିଳ, ଭୂମି, ଗାଭୀ, ଅନ୍ନ, ଜଳ, ଛତା ଓ ଜୋତା ଆଦି ଦାନ କଲେ ବ୍ରତଧାରୀ ଅଶ୍ୱମେଧ ଯଜ୍ଞର ଫଳ ଲାଭ କରିବା ସହିତ ବିଷ୍ଣୁଲୋକ ପ୍ରାପ୍ତ ହୁଅନ୍ତି।
ଡକ୍ଟର ତୁଳସୀ ଓଝା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/vishnu-god-f.jpg)