ଚାଉଳ-ଗଛରେ ଦୀପ-ବତି

ଆମେ ସାଧାରଣତଃ ଭୂମି ଉପରେ ଦୀପ ଦେଉ। କିନ୍ତୁ ଦୀପଦାନର ପାରମ୍ପରିକ ବିଧି ହେଉଛି, “ବୃକ୍ଷେଷୁ ଦୀପୋ ଦାତବ୍ୟଃ / ନ ଭୂମିଷୁ କଦାଚନ।” ଅର୍ଥାତ୍‌, “ବୃକ୍ଷରେ ଦୀପଦାନ କରିବ; ଭୂମିରେ କେବେହେଁ ନୁହେଁ।” ଶ୍ରୀମନ୍ଦିରର ବିଭିନ୍ନ ନୀତିରେ ଏହି ପରମ୍ପରା ରକ୍ଷା କରାଯାଉଥିବା ଲକ୍ଷ୍ୟ କରାଯାଏ।

ଶ୍ରୀମନ୍ଦିରରେ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦାରେ ପାଳିତ ହୁଏ ‘ଦେବ-ଦୀପାବଳି’। ଏହି ତିନିଦିନିଆ ନୀତିରେ ସ୍ୱୟଂ ଶ୍ରୀଜଗନ୍ନାଥ ତାଙ୍କର ବିଭିନ୍ନ ଯୁଗର ପିତୃପୁରୁଷ- ଯଥା ‘କଶ୍ୟପ-୍ଅଦିତି’, ‘ଦଶରଥ-କୌଶଲ୍ୟା’, ‘ନନ୍ଦ-ଯଶୋଦା’, ‘ଦେବକୀ-ବସୁଦେବ’ ଓ ‘ଇନ୍ଦ୍ରଦ୍ୟୁମ୍ନ-ଗୁଣ୍ଡିଚା’ଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିଥାଆନ୍ତି।

ଏହି ତିନିଦିନିଆ ‘ଦେବ-ଦୀପାବଳି’ ନୀତିର ପ୍ରଥମଦିନ, ଅର୍ଥାତ୍ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ଦିନ, ସନ୍ଧ୍ୟାଧୂପ ପରେ ଶୁଦ୍ଧ ସୁଆର ସେବକ, ରତ୍ନସିଂହାସନର ନିମ୍ନଭାଗକୁ ପାଣି ପକାଇ ସଫା କରିବା ପରେ, ଭଣ୍ଡାର ମେକାପ ଚାଉଳରେ ଗୋଟିଏ ଗଛ ଆଙ୍କନ୍ତି। ପାଳିଆ ମେକାପ ବଇଠାମାନଙ୍କରେ ଘିଅ ଦେଇ, ସେହି ଚାଉଳଗଛମାନଙ୍କରେ ବତି ଲଗାଇଥାଆନ୍ତି। ତାହାପରେ ପଣ୍ଡା, ପତି ମହାପାତ୍ର ଓ ମୁଦିରଥ ସେବକ, ସିଂହାସନ ଉପରେ ତିନିଠାକୁରଙ୍କୁ ମହାଦୀପ ଦ୍ୱାରା ବନ୍ଦାପନା କରିଥାନ୍ତି। ଦେବ-ଦୀପାବଳିର ଦ୍ୱିତୀୟ ଦିନ, ଅର୍ଥାତ୍ ଅମାବାସ୍ୟା ତିଥିରେ ମଧ୍ୟ ଏହିପରି ନୀତି ହୋଇଥାଏ।

କିନ୍ତୁ ତୃତୀୟ ଦିନ, ଅର୍ଥାତ୍ ମାର୍ଗଶିର ଶୁକ୍ଳ ପ୍ରତିପଦା ଦିନ, ଜଗନ୍ନାଥବଲ୍ଲଭଠାରେ ସ୍ୱତନ୍ତ୍ର ନୀତି ପାଳିତ ହୁଏ। ଏହିଦିନ ଶ୍ରୀଦେବୀ ଓ ଭୂଦେବୀଙ୍କ ସହିତ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନ, ଜଗନ୍ନାଥ ବଲ୍ଲଭ ମଠକୁ ବିଜେ ହୁଅନ୍ତି। ସେଠାରେ କାଠରେ ତିଆରି ଭଦ୍ରାସନ ଉପରେ ଆସ୍ଥାନ ପ୍ରତିହାରୀ ଚାଉଳ ଗଛ କରି ସେଥିରେ ଦୀପ ବସାଇ ଥାଆନ୍ତି। ବିଧିମତେ ସେହି ଚାଉଳ ଗଛର ସଂସ୍କାର ଓ ବନ୍ଦାପନା ହେବା ପରେ, ଶ୍ରୀଦେବୀ ଓ ଭୂଦେବୀଙ୍କ ସହିତ ଶ୍ରୀମଦନମୋହନ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି।

ଜଣେ ସାଧାରଣ ଗୃହସ୍ଥ ପରି, ଶ୍ରୀଜଗନ୍ନାଥଙ୍କର ଏହି ମାନବୀୟ ଲୀଳାର ତାତ୍ପର୍ଯ୍ୟ ଅଛି। ମର୍ତ୍ତ୍ୟଲୋକର ଗୋଟିଏ ବର୍ଷ ହେଉଛି ପିତୃଲୋକର ଗୋଟିଏ ଦିନ। ତେଣୁ ବର୍ଷରେ ଗୋଟିଏ ଦିନ ସେମାନଙ୍କ ଉଦ୍ଦେଶ୍ୟରେ ଦୀପ ଦାନ କଲେ ସେମାନେ ତାହା ମାଧ୍ୟମରେ ପ୍ରତିଦିନ ତେଜ ପାଇଥାଆନ୍ତି। ଏଣୁ ସେମାନଙ୍କର ତୃପ୍ତି ଓ ତେଜ ପାଇଁ, ସେମାନଙ୍କ ଉଦ୍ଦେଶ୍ୟରେ ବିଧିମତେ ଦୀପଦାନ କରିବା ଆମର କର୍ତ୍ତବ୍ୟ।

ଫଟୋ ସୌଜନ୍ୟ: ଶ୍ରୀଜଗନ୍ନାଥ

ସମ୍ବନ୍ଧିତ ଖବର