ପୁଷ୍ୟାଭିଷେକ ଓ ପୁଷ୍ପଧନୁଶର

‘ପୁଷ୍ୟାଭିଷେକ’ ବା ‘ପୌଷାଭିଷେକ’ ଶ୍ରୀଜଗନ୍ନାଥ ଓ ଶ୍ରୀଲିଙ୍ଗରାଜଙ୍କ ଦ୍ୱାଦଶଯାତ୍ରାର ଅନ୍ତର୍ଭୁକ୍ତ। ଏହାର ଅନ୍ୟନାମ ‘ଦେବାଭିଷେକ’। ପୌଷପୂର୍ଣ୍ଣମୀରେ ଏହି ଅଭିଷେକ ନୀତି ସଂପନ୍ନ ହୋଇଥାଏ। ଏହା ମଧ୍ୟ ଓଡ଼ିଶାର ରାଜା, ମହାରାଜାମାନଙ୍କର ବାର୍ଷିକ ଅଭିଷେକ ଉତ୍ସବ।

‘ବ୍ରହ୍ମପୁରାଣ’ ଓ ଅନ୍ୟାନ୍ୟ ଧର୍ମଶାସ୍ତ୍ରରେ ଏ ସଂପର୍କରେ ଉଲ୍ଲେଖ ମିଳେ। ‘ବ୍ରହ୍ମପୁରାଣ’ ଅନୁସାରେ, ପୂର୍ବକାଳରେ ଏହି ଜଗତ ଲକ୍ଷ୍ମୀପରିତ୍ୟକ୍ତ ହୋଇଯାଇଥିଲା। ସେହି ଲକ୍ଷ୍ମୀଛଡ଼ା ଦୋଷର ନିରାକରଣପାଇଁ ବିଷ୍ଣୁ, ଇନ୍ଦ୍ର, ସୋମ, ଶୁକ୍ର ଓ ବୃହସ୍ପତି ତପସ୍ୟା କଲେ। ସେହି ତପସ୍ୟାର ଫଳ ରୂପେ ପୌଷପୂର୍ଣ୍ଣିମା ତିଥିରେ ସଂସାରକୁ ସୌଭାଗ୍ୟ, ଉତ୍ସାହ ଓ ଲକ୍ଷ୍ମୀ ଫେରିଥିଲେ।

ବରାହମିହିରକୃତ ‘ବୃହତ୍ ସଂହିତା’ରେ ଏ ସଂପର୍କରେ ଅନ୍ୟ ଉପାଖ୍ୟାନ ଅଛି। ତାହା ଅନୁସାରେ, ଥରେ ଦେବତା ଓ ଦାନବଙ୍କ ଯୁଦ୍ଧରେ ଦେବତାମାନେ ପରାସ୍ତ ହେଲେ। କିନ୍ତୁ ବୃହସ୍ପତି ଧ୍ୟାନଯୋଗେ ଦେବରାଜ ଇନ୍ଦ୍ରଙ୍କୁ ସ୍ୱନକ୍ଷତ୍ର ବା ପୁଷ୍ୟାନକ୍ଷତ୍ରରେ ଅଭିଷେକ କରାଇଦେଲେ। ତାହା ଫଳରେ ଇନ୍ଦ୍ର ଶକ୍ତିଶାଳୀ ହେଲେ ଏବଂ ଅସୁରମାନେ ପରାସ୍ତ ହେଲେ।

‘ସ୍କନ୍ଦପୁରାଣ’ରେ ଏହି ଯାତ୍ରାର ବର୍ଣ୍ଣନା ଅଛି। ବ୍ରହ୍ମାଙ୍କ ବିଧାନ ଅନୁସାରେ- ଏହା ‘ପୁଷ୍ୟସ୍ନାନ ମହୋତ୍ସବ’। ଯେଉଁବର୍ଷ ପୌଷମାସ ପୂର୍ଣ୍ଣମୀରେ ପୁଷ୍ୟାନକ୍ଷତ୍ର ଯୋଗ ହେବ, ସେହିବର୍ଷ ହରିଙ୍କର ‘ପୁଷ୍ୟ ସ୍ନାନ ମହୋତ୍ସବ’ କରାଯିବ। ଏହି ପବିତ୍ର ସ୍ନାନ ମଧ୍ୟରେ ଜଳସ୍ନାନ, ଘୃତସ୍ନାନ, ପଞ୍ଚାମୃତ ସ୍ନାନ ଓ ସୁଗନ୍ଧିଜଳ ସ୍ନାନ ଅନ୍ତର୍ଭୁକ୍ତ। ଚନ୍ଦନ ଲେପନ ଓ ଅଳଙ୍କାର ପରିଧାନ ମଧ୍ୟ ଏହାର ଏକ ଏକ ଅଙ୍ଗ।

ଶ୍ରୀମନ୍ଦିରର ନୀତି ଅନୁସାରେ, ଏଥିରେ ଶ୍ରୀଜଗନ୍ନାଥଙ୍କଠାରୁ ରଘୁନାଥ ଆଜ୍ଞାମାଳ ପାଇ ଘୃତ ଓ ଜଳ ଆଦିଦ୍ୱାରା ବିମ୍ବ (ଦର୍ପଣ) ସ୍ନାନ କରନ୍ତି। ଶ୍ରୀଦେବୀ (ଲକ୍ଷ୍ମୀ) ମଧ୍ୟ ଆଜ୍ଞାମାଳ ପାଇ, ସୁବେଶ ହୋଇ, ଶ୍ରୀଜଗନ୍ନାଥଙ୍କର ଅଙ୍ଗଲାଗି ହୁଅନ୍ତି। ରଘୁନାଥ ଆଜ୍ଞାମାଳ ପାଉଥିବାରୁ, ପୌଷପୂର୍ଣ୍ଣମୀର ବେଶକୁ ରଘୁନାଥ ବା ଶ୍ରୀରାମଙ୍କ ରାଜ୍ୟାଭିଷେକ ବେଶ କୁହାଯାଏ। ଏଥିରେ ଲକ୍ଷ୍ମଣ ଭାବରେ ଭିତରଛ ସେବକ ରତ୍ନସିଂହାସନ ଉପରେ ଦଣ୍ଡଛତ୍ର ଧାରଣ କରନ୍ତି ଏବଂ ପାଳିଆ ଭଣ୍ଡାର ମେକାପ ହନୁମାନ ଭାବରେ ସେହି ଦଣ୍ଡଛତ୍ରର ମୂଳକୁ ଧାରଣ କରନ୍ତି।

କିନ୍ତୁ ଏହି ବେଶର ଏକ ବିଶେଷତ୍ୱ ହେଉଛି- ଏଥିରେ ଶ୍ରୀରାମ ବେଶରେ ଶ୍ରୀଜଗନ୍ନାଥ ଫୁଲ ଧନୁଶର ଧାରଣ କରନ୍ତି।

ସମ୍ବନ୍ଧିତ ଖବର