ମଧୁଦୈତ୍ୟର ମେଦରୁ ମେଦିନୀ ସୃଷ୍ଟି ହେବା ପରେ, ତାହାକୁ ସ୍ଥିର ରଖିବାପାଇଁ ଭଗବାନ ବିଷ୍ଣୁ ନିଜ ଶରୀରର ଆଠଟି ଲୋମରୁ ଅଷ୍ଟକୁଳାଚଳ- ବା ଆଠଟି କୁଳ ପର୍ବତ ସୃଷ୍ଟି କରିଥିଲେ। ସେହିପରି, ସେହି ଆଠ ପର୍ବତଙ୍କୁ ସ୍ଥିର କରିରଖିବା ପାଇଁ ନିଜର ଯୋଗଶକ୍ତିରୁ ଅଷ୍ଟଚଣ୍ଡୀଙ୍କୁ ମଧ୍ୟ ସୃଷ୍ଟି କରିଥିଲେ। ସେହି ଅଷ୍ଟଚଣ୍ଡୀ ପୃଥିବୀକୁ ସ୍ଥିର ଓ ଅଚଳ କରି ରଖିଲେ। ସେମାନେ ଥିଲେ ସେହି ଅଷ୍ଟଦିଗର ରକ୍ଷାକର୍ତ୍ତ୍ରୀ।

Advertisment

ସେହିପରି, ଅଷ୍ଟଦିଗର ଦିଗପାଳମାନେ ମଧ୍ୟ ଅଛନ୍ତି। ଆମ ଦେଶର ଦିବ୍ୟଦ୍ରଷ୍ଟା ଋଷି-ମହର୍ଷିମାନେ ଜ୍ଞାନର ଅନନ୍ତ ସମୁଦ୍ରକୁ ମନ୍ଥନ କରି ବ୍ୟାବହାରିକ ଜ୍ଞାନଠାରୁ ତତ୍ତ୍ୱଜ୍ଞାନ ପର୍ଯ୍ୟନ୍ତ, ସବୁକିଛିକୁ ମାନବ କଲ୍ୟାଣ ନିମନ୍ତେ ବିଭିନ୍ନ ଶାସ୍ତ୍ରଗ୍ରନ୍ଥରେ ଲିପିବଦ୍ଧ କରିଯାଇଛନ୍ତି। ବାସ୍ତୁଶାସ୍ତ୍ର ସେଥିମଧ୍ୟରୁ ଅନ୍ୟତମ।

ବାସ୍ତୁଶାସ୍ତ୍ର ଅନୁସାରେ, ଚାରିଦିଗ- ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ; ଏବଂ ତାହାର ଚାରିକୋଣ- ଐଶାନ୍ୟ, ଅଗ୍ନି, ମରୁତ୍‌ ଓ ବାୟୁ। ଏହି ଅଷ୍ଟ ଦିଗରେ ଅଷ୍ଟଦିଗପାଳ ବିରାଜମାନ ରହିଛନ୍ତି।
ଉତ୍ତର-ପୂର୍ବ କୋଣ ସବୁଠୁ ପବିତ୍ର। ଏହା ଐଶାନ୍ୟ କୋଣ। ଈଶାନ ଏହାର ଦିଗପାଳ। ତାହା ପରେ ପୂର୍ବଦିଗ। ସେ ଦିଗର ଦିଗପାଳ ଇନ୍ଦ୍ର। ସେହିପରି, ଦକ୍ଷିଣ-ପୂର୍ବ କୋଣ ହେଉଛି ଅଗ୍ନିକୋଣ। ଏଣୁ ଏହାର ଦିଗପାଳ ଅଗ୍ନି। ଦକ୍ଷିଣ ଦିଗ ଯମଙ୍କ ଦିଗ; ଏଣୁ ଦିଗପାଳ ଯମ। ସେହିପରି, ଦକ୍ଷିଣ-ପଶ୍ଚିମ ହେଉଛି ନୈଋତ କୋଣ। ଏହାର ଦିଗପାଳ ନିଋତ। ତାହାପରେ ପଶ୍ଚିମ ଦିଗ। ତାହାର ଦିଗପାଳ ବରୁଣ। ଉତ୍ତର-ପଶ୍ଚିମ ବାୟୁକୋଣ। ତାହାର ଦିଗପାଳ ବାୟୁ ଏବଂ ଉତ୍ତର ଦିଗର ଦିଗପାଳ କୁବେର।

ଏମାନେ ଆଠ ଦିଗରେ ଦିଗପାଳ ଭାବରେ ରହିଛନ୍ତି। ଏମାନଙ୍କର ଆଶିଷ ଓ କୃପା ଫଳରେ ମନୁଷ୍ୟ ସୁଖଶାନ୍ତି ଲାଭ କରିଥାଏ। ଆର୍ଯ୍ୟଋଷିମାନଙ୍କ ଦ୍ୱାରା ପ୍ରଣୀତ ବାସ୍ତୁଶାସ୍ତ୍ର ବା ବାସ୍ତୁବିଜ୍ଞାନ ଅନୁସାରେ, ଏହାଙ୍କୁ ବିଚାରକୁ ନିଆଯାଇ ବାସଗୃହ ନିର୍ମାଣ କରାଯାଇଥାଏ।
-ଇଂ. ଅଜୟ ମହାପାତ୍ର