ପୁଣ୍ୟଭୂମି ଭାରତ ଭୂଖଣ୍ଡରେ ଅସଂଖ୍ୟ ପୁଣ୍ୟତୋୟା ନଦୀ ପ୍ରବାହିତ। ନଦୀମାନଙ୍କର ମହତ୍ତ୍ୱ ପୁରାଣରେ ବର୍ଣ୍ଣିତ ଅଛି। କିନ୍ତୁ କୌଣସି ନଦୀକୁ ନେଇ ସ୍ୱତନ୍ତ୍ର ପୁରାଣ ନାହିଁ। ଅଥଚ ଓଡ଼ିଶାରେ ପ୍ରବାହିତ ପ୍ରାଚୀନଦୀକୁ ଅବଲମ୍ବନ କରି ତ୍ରିଲୋଚନ ଦ୍ୱିଜଙ୍କ ଦ୍ୱାରା ଲିଖିତ ‘ପ୍ରାଚୀ ମାହାତ୍ମ୍ୟ’ ନାମକ ଏକ ଗ୍ରନ୍ଥ ଅଛି। ଏହି ଗ୍ରନ୍ଥ ଅନୁଯାୟୀ ପ୍ରାଚୀ ଭାରତର ଏକ ପ୍ରାଚୀନ, ପୁଣ୍ୟତୋୟା ନଦୀ।

Advertisment

ମହାଭାରତର ବର୍ଣ୍ଣନା ଅନୁଯାୟୀ, ଏକଦା ପଶ୍ଚିମ ସମୁଦ୍ରତଟରେ ବ୍ରହ୍ମା ଏକ ଯଜ୍ଞ କରିଥିଲେ। ଯଜ୍ଞସ୍ଥଳକୁ ବିଧୌତ କରିବା ନିମିତ୍ତ ସେ ସ୍ୱର୍ଗରୁ ସରସ୍ୱତୀଙ୍କୁ ଆଣିଥିଲେ। ସରସ୍ୱତୀ ଯଜ୍ଞସ୍ଥଳ ଧୌତ କରି କନକ ଗିରିଶୃଙ୍ଗରେ ବିଶ୍ରାମ କରିଥିଲେ। ‘ପ୍ରାଚୀ ମାହାତ୍ମ୍ୟ’ ଅନୁସାରେ, ଦେବତାମାନଙ୍କ ଅନୁରୋଧରେ ଏହି ପଶ୍ଚିମବାହୀ ସରସ୍ୱତୀ ପୂର୍ବମୁଖୀ ହୋଇ ପ୍ରାଚୀ ସରସ୍ୱତୀରେ ପରିଣତ ହୋଇଥିଲେ। ଦଧୀଚିଙ୍କ ପୁତ୍ର ପିପଳାଦଙ୍କ ଦ୍ୱାରା ସୃଷ୍ଟ ବାଡ଼ବାନଳ ଦେବତାମାନଙ୍କୁ ଅଶେଷ କଷ୍ଟ ପ୍ରଦାନ କରୁଥିଲା। ଏହାର ଜ୍ୱାଳା ନିର୍ବାପିତ କରିବାପାଇଁ କୌଣସି ନଦୀ ସମର୍ଥ ନହେବାରୁ ଦେବୀ ସରସ୍ୱତୀ ଏହି ବାଡ଼ବାନଳକୁ ନେଇ ପୂର୍ବମୁଖ ହୋଇ ଦକ୍ଷିଣ ସମୁଦ୍ରରେ ନିକ୍ଷେପ କରିଥିଲେ।

ପୁରାଣରେ ସରସ୍ୱତୀ ନଦୀର ବହୁଳ ବର୍ଣ୍ଣନା ଥିଲେ ମଧ୍ୟ ସମଗ୍ର ଭାରତରେ କେଉଁଠି ସରସ୍ୱତୀ ପ୍ରବାହିତ ହେବାର ଦେଖାଯାଏ ନାହିଁ। କିନ୍ତୁ ଓଡ଼ିଶାରେ ପ୍ରାଚୀ ସରସ୍ୱତୀ, ପ୍ରାଚୀ ନଦୀ ନାମରେ ପ୍ରବାହିତ। ତ୍ରିଲୋଚନ ଦ୍ୱିଜଙ୍କ ଭାଷାରେ,

“ପାତାଳ ପୁର ମାର୍ଗେ ଯାଇ ପୂର୍ବଦିଗକୁ ମୁଖ ହୋଇ
ଚଳିଲେ ପ୍ରାଚୀ ସରସ୍ୱତୀ କିନ୍ନର ବର କରେ ସ୍ତୁତି
ପାତାଳପୁର ମାର୍ଗେ ହୋଇ ପ୍ରବେଶ ସିଦ୍ଧ ବନେ ଯାଇ
ଯହିଁ କପିଳ ମୁନିବର ସିଦ୍ଧଙ୍କୁ ଦେଇ ସଂଗତିର।”

ପାତାଳ ମାର୍ଗ ଦେଇ ପୂର୍ବମୁଖୀ ହୋଇ ଯେଉଁଠାରେ ସରସ୍ୱତୀ ଆବିର୍ଭୂତ ହେଲେ, ସେଠାରେ କପିଳ ମୁନିଙ୍କର ସିଦ୍ଧବନ ଥିଲା। ସରସ୍ୱତୀଙ୍କର ଆବିର୍ଭାବ ଦେଖି କପିଳ ମୁନି ସେଠାରେ ଏକ ଶିବଲିଙ୍ଗ ପ୍ରତିଷ୍ଠା କଲେ, ଯାହାର ନାମ ହେଲା କପିଳେଶ୍ୱରଶିବ। ଏହା କଟକ ଜିଲାରେ ଅବସ୍ଥିତ।

ଭାରତର ପ୍ରତ୍ୟେକ ନଦୀର ଉତ୍ପତ୍ତିସ୍ଥଳ କୌଣସି ହ୍ରଦ, ଝରଣା ବା ପର୍ବତ। କିନ୍ତୁ ପ୍ରାଚୀ ନଦୀର ଉତ୍ପତ୍ତିସ୍ଥଳ ରହସ୍ୟାବୃତ। ଏହା ମହାନଦୀର ଏକ ଶାଖା ହେଲେ ମଧ୍ୟ, ମଣିକର୍ଣ୍ଣିକା, ଚନ୍ଦ୍ରମୌଳି, ଭରଡ଼ା, କାଦୁଆ, ଚିତ୍ରୋତ୍ପଳା ଆଦି ଅସଂଖ୍ୟ ଉପନଦୀରେ ପରିପୁଷ୍ଟ। ଅଥଚ ଏହି ନଦୀ ତୀରରେ ଦ୍ୱାଦଶ ହରପୀଠ, ଦ୍ୱାଦଶ ଅମ୍ବିକାପୀଠ, ଦ୍ୱାଦଶ ମାଧବ ମନ୍ଦିର ସହିତ ଶତାଧିକ ମଠ, ବୌଦ୍ଧପୀଠ, ଜୈନତୀର୍ଥ ସହିତ କାକଟପୁରର ମଙ୍ଗଳାପୀଠ ଓ ବାରାହୀଙ୍କର ପୂଜାସ୍ଥଳୀ ଅବସ୍ଥିତ। ସବୁଠାରୁ ବଡ଼କଥା ହେଲା, ଶ୍ରୀମନ୍ଦିର ସହିତ ସଂପୃକ୍ତ କାକଟପୁର ମଙ୍ଗଳା ଏହି ନଦୀଗର୍ଭରୁ ଆବିର୍ଭୂତ ହୋଇଥିଲେ। ଏହା ପ୍ରାଚୀନଦୀର ମହତ୍ତ୍ୱ ସୂଚିତ କରେ।
-ଡକ୍ଟର ତୁଳସୀ ଓଝା