ଜୀବନ-ମନ୍ତ୍ର: ମାସ ଶ୍ରାବଣ, ବାର ସୋମ

ସୋମବାର ହେଉଛି ଶିବଙ୍କର ବାର। ପୁଣି, ଶ୍ରାବଣ ମାସର ସୋମବାର ପରମ ପୁଣ୍ୟପ୍ରଦ। ଏହି ଦିନଗୁଡ଼ିକରେ କାବାଡ଼ିଆ (କାଉଡ଼ିଆ)ମାନେ ଭାରରେ ନଦୀ ଜଳ ଆଣି ଶିବଙ୍କୁ ଅଭିଷେକ କରିଥାନ୍ତି। ସେଥିପାଇଁ ଶିବମନ୍ଦିରଗୁଡ଼ିକରେ ବହୁତ ଭିଡ଼ ହୁଏ। ‘ସୋମବାର ବ୍ରତ କଥା ବିଧି’ରେ ସୋମବାରରେ ଶିବପୂଜାର ମହତ୍ତ୍ୱ ବର୍ଣ୍ଣିତ ହୋଇଛି। ପୁତ୍ର ସ୍କନ୍ଦ ବା କାର୍ତ୍ତିକେୟଙ୍କ ପ୍ରଶ୍ନରେ ମହାଦେବ ତାହା କହିଛନ୍ତି। ମହାଦେବ ଏହି ବ୍ରତର ବିଧି କହିବା ବେଳେ, ସେଠାରେ ଉପସ୍ଥିତ ପାର୍ବତୀ ବ୍ରତର ଫଳ ଓ ମାହାତ୍ମ୍ୟ କ’ଣ ବୋଲି ତାଙ୍କୁ ପଚାରିଛନ୍ତି ଏବଂ ଶିବ ତାହାର ଉତ୍ତର ଦେଇଛନ୍ତି। ‘ସୋମବାର ବ୍ରତ’ର ଫଳ ରୂପେ ପାର୍ବତୀଙ୍କୁ ଶିବ କହିଛନ୍ତି- ଯେଉଁମାନେ ସୋମବାରରେ ମହାଦେବଙ୍କୁ ପୂଜା କରନ୍ତି, ଇହଲୋକରେ ସେମାନଙ୍କର ସମସ୍ତ କାର୍ଯ୍ୟ ସିଦ୍ଧ ହୁଏ ଏବଂ ପରଲୋକରେ ସେମାନେ ଶିବଲୋକ ପ୍ରାପ୍ତ ହୁଅନ୍ତି।

ସୋମବାରରେ ଯେଉଁଲୋକେ ଗୁରୁଙ୍କଠାରୁ ଶିବମନ୍ତ୍ର ଗ୍ରହଣ କରି ଜପ କରନ୍ତି, ସେମାନେ ମହାଦେବଙ୍କର ସ୍ୱରୂପ ଲାଭ କରନ୍ତି। ଏହା ଅତ୍ୟନ୍ତ ଗୁପ୍ତ କଥା ଏବଂ ଏଥିରେ କୌଣସି ସଂଶୟ ନାହିଁ। କେବଳ ଏତିକି ନୁହେଁ; ଏ ସଂପର୍କରେ ଶିବ ଆହୁରି ମଧ୍ୟ ପାର୍ବତୀଙ୍କୁ କହିଛନ୍ତି- ଆଗୋ ଦେବି! ପ୍ରତି ମାସରେ କେହି ଯଦି ଏ ବ୍ରତ କରିନପାରନ୍ତି, ତେବେ ମାଘ, ବୈଶାଖ ଓ କାର୍ତ୍ତିକ- ଏହି ତିନି ମାସରେ ସୋମବାର ବ୍ରତ କଲେ ବାଞ୍ଛିତ ଫଳ ପାଆନ୍ତି ଏବଂ ପରକାଳରେ ଶିବଲୋକକୁ ଯାଆନ୍ତି। ପରିଶେଷରେ ଶିବ କହିଛନ୍ତି- ଆଗୋ ପାର୍ବତି! ହିମାଳୟରେ କୋଟି ସଂଖ୍ୟାରେ ବ୍ରତ ଓ ଦାନ କଲେ, ଏକାଦଶୀ ପାଳନ କଲେ, ସୂର୍ଯ୍ୟଗ୍ରହଣ ଅଦିରେ ଦାନ ଦେଲେ, ଶିବରାତ୍ରି ବ୍ରତ କଲେ ଏବଂ ସବୁ କାଳରେ କୃଷ୍ଣାଷ୍ଣମୀ ବ୍ରତ ପାଳନ କଲେ ଯେଉଁ ସବୁ ଫିଳ ମିଳେ, କେବଳ ସୋମବାର ବ୍ରତ କଲେ ତା’ଠାରୁ ଅଧିକ ଫଳ ମିଳିଥାଏ।

‘ଜୀବନମନ୍ତ୍ର’ ସଂପର୍କରେ ଆପଣଙ୍କ ମତାମତ ଏହି ଠିକଣାରେ ମେଲ୍ କରନ୍ତୁ :-
[email protected]

ସମ୍ବନ୍ଧିତ ଖବର