ଜଗଦ୍‌ଗୁରୁ ଶ୍ରୀଆଦିଶଙ୍କରାଚାର୍ଯ୍ୟଙ୍କର ପବିତ୍ର ଜନ୍ମସ୍ଥାନ ’କାଲାଡ଼ି’ କଥା

କାଲାଡ଼ି ହେଉଛି ଜଗଦ୍‌ଗୁରୁ ଶ୍ରୀଆଦିଶଙ୍କରାଚାର୍ଯ୍ୟଙ୍କର ପବିତ୍ର ଜନ୍ମସ୍ଥାନ। ଏହି ଗ୍ରାମର ଅବସ୍ଥିତି ଦାକ୍ଷିଣାତ୍ୟର କେରଳ ରାଜ୍ୟରେ, ପେରିୟାର ବା ପୂର୍ଣ୍ଣାନଦୀ କୂଳରେ। ଅଷ୍ଟମ ଶତାବ୍ଦୀର ଶେଷ ଭାଗରେ, ୭୮୮ ଖ୍ରୀଷ୍ଟାବ୍ଦରେ, ସେହି କ୍ଷୁଦ୍ର ପଲ୍ଲୀଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଶ୍ରୀଶଙ୍କରାଚାର୍ଯ୍ୟ। ତାଙ୍କର ଜନ୍ମ ତିଥି ଥିଲା ବୈଶାଖ ଶୁକ୍ଳ ପଞ୍ଚମୀ। ଗୋଟିଏ ସଂସ୍କୃତ ଉକ୍ତିରେ ତାଙ୍କ ସଂପର୍କରେ କୁହାଯାଇଛି- “ଶଙ୍କରଃ ଶଙ୍କରଃ ସାକ୍ଷାତ୍ ବ୍ୟାସୋ ନାରାୟଣଃ ସ୍ୱୟମ୍।” ଅର୍ଥାତ୍‌- ଶଙ୍କରାଚାର୍ଯ୍ୟ ହେଉଛନ୍ତି ଶଙ୍କର ବା ଶିବଙ୍କର ଅବତାର। ସେହିପରି, ବ୍ୟାସଦେବ ହେଉଛନ୍ତି ନାରାୟଣଙ୍କର ଅବତାର।

ଜଗଦ୍‌ଗୁରୁ ଶ୍ରୀଶଙ୍କରାଚାର୍ଯ୍ୟଙ୍କର ପିତାଙ୍କ ନାମ ଶିବଗୁରୁ ଓ ମାତାଙ୍କ ନାମ ଆର୍ଯ୍ୟାମ୍ବା। ଦୁହେଁ ଥିଲେ ପରୋପକାରୀ ଓ ଧର୍ମ ପରାୟଣ। କିନ୍ତୁ ତାଙ୍କର କୌଣସି ସନ୍ତାନ ସନ୍ତତି ନଥିଲେ। ସେଥିପାଇଁ ସେମାନେ ପ୍ରଥମେ ଫଳାହାର, ପରେ ଜଳାହାର ଏବଂ ଶେଷରେ ନିରାହାରରେ ରହି ଶିବଙ୍କୁ ପ୍ରାର୍ଥନା କଲେ। ଶିବ ସ୍ୱପ୍ନରେ ଶିବଗୁରୁଙ୍କୁ କହିଲେ- ତୁମେ କିପରି ପୁତ୍ର ଚାହୁଁଛ? ସର୍ବଗୁଣସଂପନ୍ନ ଏକ ସ୍ୱଳ୍ପାୟୁ ପୁତ୍ର ନା ଦୁର୍ଗୁଣସଂପନ୍ନ ଏକ ଦୀର୍ଘାୟୁ ପୁତ୍ର? ଶିବଗୁରୁ କହିଲେ- ସର୍ବଗୁଣ ସଂପନ୍ନ ଏକ ସର୍ବଜ୍ଞ ପୁତ୍ର ମୁଁ ଚାହେଁ। ସେହି ଅନୁସାରେ, ସର୍ବଗୁଣସଂପନ୍ନ, ସର୍ବଜ୍ଞ ପୁତ୍ର ରୂପେ ଶ୍ରୀଶଙ୍କରାଚାର୍ଯ୍ୟ ଜନ୍ମ ନେଲେ।

ମାତ୍ର ତିନିବର୍ଷର ହୋଇଥିବା ବେଳେ ଶ୍ରୀଶଙ୍କରାଚାର୍ଯ୍ୟ ତାଙ୍କ ପିତାଙ୍କୁ ହରାଇଥିଲେ। ମାତାଙ୍କର ସେ ଥିଲେ ନୟନପିତୁଳା। କିନ୍ତୁ ବାଳକ ବୟସରୁ ସନ୍ନ୍ୟାସ ପ୍ରତି ତାଙ୍କର ମନ ବଳିଲା। ସେଥିରେ ମାତା ଦୁଃଖୀ ହେଲେ। କିନ୍ତୁ ମାତାଙ୍କୁ ଦୁଃଖୀ କରିବାକୁ ସେ ଚାହୁଁ ନଥିଲେ। ସେ ଚାହୁଁଥିଲେ, ମାତା ତାଙ୍କୁ ସନ୍ନ୍ୟାସ ନେବାପାଇଁ ଅନୁମତି ଦିଅନ୍ତୁ।

ଗୋଟିଏ କିଂବଦନ୍ତି ଅଛି, ଯେ ଦିନେ ପୂର୍ଣ୍ଣାନଦୀରେ ସ୍ନାନ କରୁଥିବା ବେଳେ ଶ୍ରୀଶଙ୍କରାଚାର୍ଯ୍ୟଙ୍କୁ ଗୋଟିଏ କୁମ୍ଭୀର ଧରିଲା। ତାଙ୍କ ଗୋଡ଼କୁ ଧରି ମଝି ନଈକୁ ଟାଣିନେଲା। ସେତେବେଳେ ସେ ମାତାଙ୍କୁ କହିଲେ- ମୋତେ ସନ୍ନ୍ୟାସ ନେବାକୁ ଅନୁମତି ଦେଲେ ଯାଇ ମୁଁ କୁମ୍ଭୀର କବଳରୁ ରକ୍ଷା ପାଇପାରିବି। ତେଣୁ ବାଧ୍ୟ ହୋଇ ମାତା ତାଙ୍କୁ ସନ୍ନ୍ୟାସ ନେବାକୁ ଅନୁମତି ଦେଲେ। ଏହିପରି ଭାବରେ ସନ୍ନ୍ୟାସ ନେବାପାଇଁ ସେ ମାଆଙ୍କୁ ସମ୍ମତ କରାଇ ଥିଲେ।

ତେବେ ସନ୍ନ୍ୟାସ ନେଇ ଗୃହତ୍ୟାଗ କଲାବେଳେ ମାଆଙ୍କୁ ସେ କଥା ଦେଇଥିଲେ, ଯେ ତାଙ୍କର ଅନ୍ତିମ କାଳରେ ସେ ଆସି ତାଙ୍କ ନିକଟରେ ଉପସ୍ଥିତ ହେବେ। ସେହି କଥା ସେ ରଖିଥିଲେ।

ନିଜର କର୍ମ, ଜ୍ଞାନ ଓ ଅବଦାନ ଫଳରେ ଶ୍ରୀଶଙ୍କରାଚାର୍ଯ୍ୟ ଜଗଦ୍‌ଗୁରୁ ହୋଇଛନ୍ତି। ନିଜର ଜନ୍ମସ୍ଥାନ କାଲାଡ଼ିକୁ ମଧ୍ୟ ବିଶ୍ୱବିଖ୍ୟାତ କରିଛନ୍ତି।

ସମ୍ବନ୍ଧିତ ଖବର