କାର୍ତ୍ତିକବ୍ରତର ସଂକଳ୍ପ

କାର୍ତ୍ତିକ ଏକ ପବିତ୍ର ମାସ। ବର୍ଷର ବାରମାସ ମଧ୍ୟରୁ ଯେଉଁ ଚାରିଟି ପବିତ୍ର ମାସ ଭାବରେ ପ୍ରସିଦ୍ଧ, ସେଥି ମଧ୍ୟରୁ କାର୍ତ୍ତିକ ଅନ୍ୟତମ। ଏହି ଚାରିମାସ ହେଉଛି, ଆ-କା-ମା-ବୈ; ଅର୍ଥାତ୍‌, ଆଷାଢ଼, କାର୍ତ୍ତିକ, ମାଘ ଓ ବୈଶାଖ। ବର୍ଷର ଏହି ଚାରିମାସ ପୁଣ୍ୟ ଅର୍ଜନ ଓ ପୁଣ୍ୟ ସଂଚୟ ପାଇଁ ପ୍ରକୃଷ୍ଟ।

କାର୍ତ୍ତିକ ମାସର ତିନିଟି ବିଧି ପରମ ପୁଣ୍ୟପ୍ରଦ ବୋଲି ଶାସ୍ତ୍ର, ଗ୍ରନ୍ଥାଦିରେ କୁହାଯାଇଛି। ସେହି ତିନିଟି ହେଉଛି- ପ୍ରାତଃସ୍ନାନ, ଜପ ଓ ହବିଷ୍ୟଭୋଜନ। ଏହି ତିନିଟି ବିଧି ପାଳନ କରିବା ସହିତ, ଯେ ଜିତେନ୍ଦ୍ରିୟ ଓ ସାଂସାରିକ ଆସକ୍ତିଶୂନ୍ୟ ହୁଏ, ସେ ମୁକ୍ତିଲାଭ କରେ।

କିନ୍ତୁ ‘ପଣ୍ଡିତ ସର୍ବସ୍ୱ’ରେ ଏ ସଂପର୍କରେ ଗୋଟିଏ ମହତ୍ତ୍ୱପୂର୍ଣ୍ଣ କଥା କୁହାଯାଇଛି। ତାହା ହେଉଛି- ଏହି ମାସରେ ପ୍ରାତଃସ୍ନାନ, ଜପ ଓ ହବିଷ୍ୟଭୋଜନ ପରି ତିନିଟି ବିଧି ପାଳନର କଥା କୁହାଯାଇଥିଲେ ମଧ୍ୟ, ଏହା ତିନିଟି କର୍ମ ନୁହେଁ; ଏ ତିନି କର୍ମ ଗୋଟିଏ। ଏହି ତିନି କର୍ମର ସମଷ୍ଟି ହିଁ କାର୍ତ୍ତିକବ୍ରତ ପାଳନ।

ସେଥିପାଇଁ, କାର୍ତ୍ତିକବ୍ରତ ପାଳନ ନିମନ୍ତେ ଯେଉଁମାନେ ସଂକଳ୍ପ କରନ୍ତି, ସେମାନେ- “ମୁଁ ପ୍ରାତଃସ୍ନାନ କରିବି”, “ମୁଁ ଜପ କରିବି”, “ମୁଁ ହବିଷ୍ୟ ଭୋଜନ କରିବି” ବୋଲି ପୃଥକ୍ ତିନିଟି ସଂକଳ୍ପ କରନ୍ତି ନାହିଁ। ସେମାନେ ଗୋଟିଏ ମାତ୍ର ସଂକଳ୍ପ କରି କହନ୍ତି- “ମୁଁ କାର୍ତ୍ତିକ ବ୍ରତ ପାଳନ କରିବି।” ଏହାର ତାତ୍ପର୍ଯ୍ୟ ହେଉଛି- ଏହି ତିନି କର୍ମକୁ ପୃଥକ୍ ରୂପେ ସ୍ୱୀକାର କରାଯାଇ ନାହିଁ। ଏ ତିନି କର୍ମକୁ ସମନ୍ୱିତ ଭାବରେ କାର୍ତ୍ତିକବ୍ରତ ପାଳନର କର୍ମ ଭାବରେ ସ୍ୱୀକାର କରାଯାଇଛି।

ଏଣୁ, ଆମେ ଏହି କାର୍ତ୍ତିକ ମାସରେ ପ୍ରାତଃସ୍ନାନ, ଜପ ଓ ହବିଷ୍ୟ ଭୋଜନ କରିବା ସହିତ, ଜିତେନ୍ଦ୍ରିୟ ଓ ବିଷୟାସକ୍ତି ଶୂନ୍ୟ ହେଲେ ମୁକ୍ତିଲାଭ କରିପାରିବା।

କିନ୍ତୁ ଏ ବାବଦରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି- ଏହି କାର୍ତ୍ତିକବ୍ରତ କେବଳ ବିଧବାମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଗୋଟିଏ ଧାରଣା ରହିଛି। କିନ୍ତୁ ଏହା ଆମ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ।

ସମ୍ବନ୍ଧିତ ଖବର