ଗୋଟିଏ ଆଶ୍ରମକୁ ଅନେକ ପିଲା ଆସୁଥିଲେ। ସେମାନଙ୍କ ଦୁଷ୍ଟାମିରେ ବ୍ୟତିବ୍ୟସ୍ତ ପିତାମାତା ସେମାନଙ୍କୁ ଆଶ୍ରମରେ ଛାଡୁଥିଲେ, ଯେଉଁଠାରୁ ସେମାନେ ପରିବର୍ତ୍ତିତ ହୋଇ ଘରକୁ ଫେରୁଥିଲେ।
ପିଲାମାନଙ୍କୁ ଶିକ୍ଷା ଦେବାର ଦାୟିତ୍ବରେ ଥିବା ଶିକ୍ଷକ ଥରେ ଛୁଟିରେ ଗଲେ। ତାଙ୍କ ସ୍ଥାନରେ ନିଯୁକ୍ତ ନୂଆ ଶିକ୍ଷକ ପ୍ରଥମ ଦିନ ପିଲାମାନଙ୍କ ମତିଗତି ଦେଖିବା ପରେ ଦ୍ବିତୀୟ ଦିନ ଏକ ବଡ଼ ବାଡ଼ି ଧରି ଆସିଲେ। ପିଲାମାନେ ବାଡ଼ି ଦେଖି ଭୟ ପାଇଗଲେ। କିନ୍ତୁ କିଛି ଦିନ ପରେ ପୁଣି ସେମାନଙ୍କ ପ୍ରବଳ ଦୁଷ୍ଟାମି ବାହାରିଲା। ଶିକ୍ଷକ ଜଣକ ସେମାନଙ୍କୁ ପିଟାପିଟି ବି କଲେ। କିନ୍ତୁ ପିଲାମାନେ ସୁଧୁରିବା ତ ଦୂରର କଥା, ଦିନକୁ ଦିନ ନୂଆ ନୂଆ ଦୁଷ୍ଟାମି କରିବାକୁ ଲାଗିଲେ। ଶିକ୍ଷକ ଜଣକ ହତାଶ ହୋଇ ଉଠିଲେ। କିଛି ଦିନ ପରେ ପୁରୁଣା ଶିକ୍ଷକ ପୁନର୍ବାର କାମରେ ଯୋଗ ଦେଲେ। ଏବେ ନୂଆ ଶିକ୍ଷକ ତାଙ୍କୁ ପଚାରିଲେ ଯେ ସେ କିଭଳି ଏମିତି ଦୁଷ୍ଟ ପିଲାଙ୍କ ଭିତରେ ପରିବର୍ତ୍ତନ ଆଣି ପାରୁଛନ୍ତି?
ପୁରୁଣା ଶିକ୍ଷକ କହିଲେ- ଆପଣ ପିଲାମାନଙ୍କୁ ସାବାଡ଼ କରିବା ଲାଗି ବାଡ଼ି ଭଳି ଏକ ଅସ୍ତ୍ରର ସାହାଯ୍ୟ ନେଉଛନ୍ତି। କିନ୍ତୁ ମୋ ପାଖରେ ସେମିତି ଅସ୍ତ୍ର ନାହିଁ। ତେଣୁ ମୁଁ କ’ଣ କରେ ନା ପିଲାମାନଙ୍କ ସହିତ କଥାବାର୍ତ୍ତା କରି, ତାଙ୍କ ସମସ୍ୟା ଶୁଣି, ସେମାନଙ୍କୁ ବୁଝାଇ, ସେମାନଙ୍କୁ ଭଲ ପାଇ, ଦରକାର ପଡ଼ିଲେ ସେମାନଙ୍କ ସହିତ ସନ୍ଧି କରି ସେମାନଙ୍କୁ ବଶ କରିବାର ଚେଷ୍ଟା କରେ। ଏବଂ ମୋ ଅନୁଭୂତି ହେଉଛି ଭୟ ଦେଖାଇ ନୁହେଁ, ଶ୍ରଦ୍ଧା କରି ସେମାନଙ୍କୁ ବଶ କରାଯାଇ ପାରିବ। ତେଣୁ ଆପଣଙ୍କୁ ପ୍ରଥମେ ନିରସ୍ତ୍ର ହେବାକୁ ପଡ଼ିବ ଏବଂ ତାହା ହିଁ ହେବ ପ୍ରକୃତ ଅସ୍ତ୍ର।
‘ନିରସ୍ତ୍ର’ ହେବା ହିଁ ଅସ୍ତ୍ର
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)