ନୂଆଦିଲ୍ଲୀ: ଫେସବୁକରୁ ଗଢ଼ିଉଠିଲା ପ୍ରେମ ସମ୍ପର୍କ। ବିହାରରେ ଏକ କସମେଟିକ୍ ଦୋକାନ ଚଳାଉଥିବା ଜଣେ ଯୁବକ ଫେସବୁକରେ ଫିନଲ୍ୟାଣ୍ଡର ଜଣେ ଯୁବତୀଙ୍କ ସହିତ ବନ୍ଧୁତା କରିଥିଲେ। ବନ୍ଧୁତା ପରେ ପ୍ରେମରେ ପରିଣତ ହୋଇଥିଲା। ଶେଷରେ ଭାଲେଣ୍ଟାଇନ୍ ସପ୍ତାହରେ ଫିନଲାଣ୍ଡ ଯୁବତୀ ଜୁଲିୟା ପରିବାର ସଦସ୍ୟଙ୍କ ସହ ଭାରତକୁ ଆସି ବିହାରର ପ୍ରଣବଙ୍କୁ ବିବାହ କରିଛନ୍ତି।
ସୂଚନାନୁଯାୟୀ, ଫିନଲାଣ୍ଡର ଯୁବତୀ ଜୁଲିୟା ହେଲସିଙ୍କିର ବାସିନ୍ଦା। ସେହିପରି ଯୁବଜ ଜଣକ ବିହାରର କଟିହାର ଜିଲ୍ଲାର ଲାଲିୟାହି ଅଞ୍ଚଳର ପ୍ରଣବ କୁମାର ଆନନ୍ଦ। ଫେସବୁକରେ ଫିନଲାଣ୍ଡର ୨୨ ବର୍ଷୀୟା ଜୁଲିୟାଙ୍କ ସହ ବନ୍ଧୁତା କରିଥିଲେ ପ୍ରଣବ। ବନ୍ଧୁତା ପ୍ରେମରେ ପରିଣତ ହେବା ପରେ କଟିହାରରେ ପୁର୍ନିୟାର ଏକ ମନ୍ଦିରରେ ହିନ୍ଦୁ ରୀତିନୀତି ଅନୁଯାୟୀ ଉଭୟ ବିବାହ କରିଛନ୍ତି ।
ଜୁଲିୟାଙ୍କ ସହିତ ତାଙ୍କ ତିନି ଭଉଣୀ, ଭାଉଜ ଏବଂ ସାଙ୍ଗମାନେ ମିଶି ୮ ଜଣ ଫିନଲାଣ୍ଡରୁ ଭାରତ ଆସିଥିଲେ। ଜୁଲିୟାଙ୍କ ସହ ଆସିଥିବା ସମସ୍ତେ ବହୁତ ଖୁସି ଥିଲେ ଏବଂ ବିବାହରେ ବଲିଉଡ ଗୀତରେ ନାଚୁଥିଲେ। ଏହି ବିବାହରେ ପ୍ରଣବଙ୍କ ପରିବାରର କୌଣସି ଆପତ୍ତି ନଥିଲା। ବିବାହ ପରେ ବର ଓ କନ୍ୟା ଦୁହେଁ ଫିନଲାଣ୍ଡ ଯାଇଛନ୍ତି।
ବର ପ୍ରଣବ କହିଛନ୍ତି ଯେ, ଦୁହେଁ ସୋସିଆଲ ମିଡିଆରେ ଭେଟିଥିଲେ। ପରେ ବିବାହ କରିବାକୁ ସ୍ଥିର କରିବାରୁ ଜୁଲିୟା ଭାରତ ଆସି ବିବାହ କଲେ। ଅନେକ ବର୍ଷ ଧରି ସମ୍ପର୍କରେ ଦୁହେଁ ଅଛନ୍ତି।