କୌମୁଦୀ କଥା

ଆମ ଓଡ଼ିଆ ଭାଷାରେ ଏବେ ବିଶେଷ ପ୍ରଚଳିତ ନଥିବା ଗୋଟିଏ ଶବ୍ଦ ହେଉଛି ‘କୌମୁଦୀ’। ଏହାର ଅର୍ଥ- ଚନ୍ଦ୍ରକିରଣ ବା ଚନ୍ଦ୍ରିକା। ଏହାର ଆଉ ଗୋଟିଏ ପ୍ରତିଶବ୍ଦ- ଜ୍ୟୋତ୍ସ୍ନା। ଏହାର ସଂପର୍କ ‘କୁମୁଦ’ ସହିତ। ‘କୁମୁଦ’ର ଅର୍ଥ କଇଁଫୁଲ। କଇଁଫୁଲ ରାତିରେ ଫୁଟେ। ସେଇଥିପାଇଁ ଆମର କବିମାନେ କଇଁଫୁଲକୁ ଜହ୍ନସହିତ ଯୋଡ଼ିଛନ୍ତି। ଚନ୍ଦ୍ରର ନାଆଁ ଦେଇଛନ୍ତି ‘କୁମୁଦବନ୍ଧୁ’। କହିଛନ୍ତି- ଚନ୍ଦ୍ର ଦୂର ଆକାଶରେ ଥିଲେ ବି, ନଦୀ ବା ପୁଷ୍କରିଣୀର କଇଁ ସହ ତାହାର ପ୍ରେମ ସଂପର୍କ ଅତି ନିବିଡ଼।

କିନ୍ତୁ କେବଳ ଯେ କୁମୁଦ ବା କଇଁଫୁଲ ସହ ଚନ୍ଦ୍ରର ସଂପର୍କ ଅତି ନିବିଡ଼, ତାହା ନୁହେଁ। ସୂର୍ଯ୍ୟଙ୍କ ପରି ଚନ୍ଦ୍ରଙ୍କର ମଧ୍ୟ ଆମ ଉପରେ ପ୍ରଚୁର ପ୍ରଭାବ ରହିଛି। କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ‘ପ୍ରେମସୁଧାନିଧି’ କାବ୍ୟର ନାୟକ ସେଥିପାଇଁ ଶରତ ଋତୁର ନିର୍ମଳ ଜ୍ୟୋତ୍ସ୍ନାରାତିରେ କାତର ହୋଇ ନାୟିକାକୁ ଚିଠି ଲେଖିଛି। ସେହି ପ୍ରସଙ୍ଗରେ ଆସିଛି ଦୂର ଆକାଶର ଚନ୍ଦ୍ର ଓ ଧରିତ୍ରୀର କୁମୁଦିନୀ କଥା। ସେହି ଚିଠିରେ ନାୟକ କହିଛି- ଚନ୍ଦ୍ର ଓ କୁମୁଦ ପରସ୍ପରଠାରୁ ଦୂରରେ ଥିଲେ ବି ଦୁହିଁଙ୍କର ସଂପର୍କ ଯେପରି ନିବିଡ଼; ସେହିପରି ଯେ ଯାହାର, ଯେତେ ଦୂରରେ ଥିଲେ ବି ସେ ତାହାର।

ଚନ୍ଦ୍ର ଉଇଁଲେ ସମୁଦ୍ରରେ ଜୁଆର ଉଠେ। ପୋଖରୀରେ କଇଁ ଫୁଟେ। ଆମର ମନ ଓ ଶରୀର ଉପରେ ବି ସେମିତି ତାହାର ପ୍ରଭାବ ପଡ଼େ। ଚନ୍ଦ୍ରର ପ୍ରଭାବରେ ମନ ଆବେଗପ୍ରବଣ ବା ଉତ୍ତଳା ହୁଏ। ଶରୀରରେ ଶିହରଣ ଆସେ। ଦେହ ଓ ମନରେ ପୁଲକ ସଂଚରି ଯାଏ।

ଏଇଥିପାଇଁ ପ୍ରାଚୀନ କାଳରେ ଆମ ଭାରତବର୍ଷରେ ପୂର୍ଣ୍ଣିମାକୁ ନେଇ ଉତ୍ସବର ଆୟୋଜନ କରାଯାଉଥିଲା। ବିଶେଷକରି ଆଶ୍ୱିନ ଓ କାର୍ତ୍ତିକ ମାସର ପୂର୍ଣ୍ଣିମାରେ ଯେଉଁ ଉତ୍ସବର ଆୟୋଜନ ହେଉଥିଲା- ତାହାର ନାମ ଥିଲା ‘କୌମୁଦୀ ମହୋତ୍ସବ’। ଏ ପ୍ରସଙ୍ଗରେ ଭାଗବତରେ ବର୍ଣ୍ଣିତ ଶରତ ରାସ ଉଲ୍ଲେଖନୀୟ। ଜଗନ୍ନାଥ ଦାସଙ୍କ ନବାକ୍ଷରୀ ଓଡ଼ିଆ ଭାଗବତରେ ଏ ପ୍ରସଙ୍ଗରେ କୁହାଯାଇଛି-

“ପୁର ପାଟଣା ଗ୍ରାମ ଭୂଇଁ। / ଚନ୍ଦ୍ର ଉତ୍ସବ ବିରାଜଇ।।”

ଏ ପୂର୍ଣ୍ଣିମାରେ ସାରା ରାତି ଉଜାଗର ରହି ତାହାକୁ ଉପଭୋଗ କରିବାର ବିଧି ଥିଲା। ମାତ୍ର ଏବେ ଉଜ୍ଜ୍ୱଳ ବିଦ୍ୟୁତ୍ ଆଲୋକରେ, ଆମେ ଅନେକ ସମୟରେ, ପୂର୍ଣ୍ଣିମା ରାତିକୁ ଉପଭୋଗ କରିବା କଥା ଭୁଲିଯାଉଛୁ। ‘କୌମୁଦୀ କଥା’ ଆମକୁ ଅନ୍ତତଃ ସେଦିଗରେ ସଚେତନ କରୁ!

ସମ୍ବନ୍ଧିତ ଖବର