ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳି ପାଇଁ ତ ଆପଣ ପ୍ରସ୍ତୁତ ହେବେଣି | ବାଣ ସହିତ ଦୀପାବଳି ଉତ୍ସବକୁ ପାଳନ କରିବା ପାଇଁ ଆମମାନଙ୍କ ମଧ୍ୟରୁ ଅନେକ ଅତି ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। କିନ୍ତୁ ଦୀପାବଳି ଉତ୍ସବ ପାଳନ ବେଳେ ଆମକୁ ନିଜର ଓ ନିଜ ପରିବାରର ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ରଖିବାକୁ ପଡ଼ିବ | ଆମକୁ ସତର୍କତାର ସହ ଏହି ବହୁପ୍ରତୀକ୍ଷିତ ଆଲୋକର ପର୍ବକୁ ପାଳନ କରିବାକୁ ହେବ।ମୁଖ୍ୟତଃ ବାଣ ଫୁଟାଇବାବେଳେ ଯେମିତି ଆମର ଆଖି କିମ୍ବା ଶରୀରର ଅନ୍ୟଅଂଶରେ କୌଣସି ପ୍ରକାରର ଆଘାତ ନ ଲାଗେ ସେଥିପାଇଁ ଦୃଷ୍ଟି ଦେବାକୁ ପଡିବ | ତେବେ ଜାଣନ୍ତୁ ଡାକ୍ତର କଣ ପରାମର୍ଶ ଦେଇଛନ୍ତି | ଏଲ୍ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ଚକ୍ଷୁ ବିଶେଷଜ୍ଞ ଡ଼.ଶ୍ରୀକାନ୍ତ ସାହୁ କହିଛନ୍ତି ଯେ ଉପଯୁକ୍ତ ସତର୍କତା ବିନା ଦୀପାବଳିର ଆନନ୍ଦ ହୁଏତ ଦୁର୍ଘଟଣାରେ ବଦଳିଯାଇପାରେ। ବାଣ ଫୁଟାଇବାବେଳେ ଆମକୁ ଅନେକ ସାବଧାନତା ଅବଲମ୍ବନ କରିବାକୁ ହେବ। ଆଖି ଯେହେତୁ ଏକ ଅତି ସମ୍ବେଦଶୀଳ ଅଙ୍ଗ ବାଣ ଫୁଟାଇବାବେଳେ ଆମକୁ ସତର୍କ ରହିବାକୁ ହେବ।ବାଣରୁ ନିର୍ଗତ ହେଉଥିବା ଧୂଆଁ ଓ ବିଷାକ୍ତ ଗ୍ୟାସ ଆମ ଆଖିକୁ ପ୍ରଭାବିତ କରିପାରେ।
ଆଖିରେ ଆଘାତ ଲାଗିଲେ କଣ କରିବେ?
ଆଖିରେ ଆଘାତ ଲାଗିଲେ ବିଳମ୍ୱ କରନ୍ତୁ ନାହିଁ ଓ ଆହତ ବ୍ୟକ୍ତିଙ୍କୁ ଯଥା ଶୀଘ୍ର ଚକ୍ଷୁ ଚିକିତ୍ସକ କିମ୍ବା ନିକଟବର୍ତ୍ତୀ ଡାକ୍ତରଖାନାକୁ ନେଇଯାଆନ୍ତୁ |
ଯଦି ଆଖିରେ କିଛି ପଡିଯାଇଥାଏ ତେବେ ତାହାକୁ ସଫା ପାଣି କିମ୍ବା ସାଲାଇନ ଦ୍ରବଣରେ ଧୀରେଧୀରେ ଧୋଇଦିଅନ୍ତୁ |
ଆଖିକୁ ସୁରକ୍ଷା ଦିଅନ୍ତୁ ଓ ଯଦି ସମ୍ଭବ, ଆଖି ଉପରେ ଏକ ପରିଷ୍କାର ଶୁଖିଲା କପଡା କିମ୍ବା ଆଇସିଲଡ଼ ରଖନ୍ତୁ | ଏହା ଅତିରିକ୍ତ ଆଘାତକୁ ରୋକିବା ସହ ଆଖିକୁ ସୁରକ୍ଷିତ ରଖିବ |
ଅଧିକ କ୍ଷତି ନ ହେବା ପାଇଁ ଆହତ ଆଖିକୁ ବନ୍ଦ ରଖନ୍ତୁ |
କଣ କରିବେ ନାହିଁ?
ଆହତ ଆଖି ଉପରେ କୌଣସି ଚାପ ପକାଇବାଠାରୁ ଦୂରେଇ ରୁହନ୍ତୁ, କାରଣ ଏହା ଆଘାତକୁ ଆହୁରି ଖରାପ କରିପାରେ |
ଆଘାତପ୍ରାପ୍ତ ଆଖିକୁ ଛୁଇଁବା କିମ୍ବା ଘଷିବାଠାରୁ ଦୂରେଇରୁହନ୍ତୁ, କାରଣ ଏହା ଆଘାତକୁ ବଢାଇପାରେ |
ଡାକ୍ତରଙ୍କ ପରାମର୍ଶ ବିନା ଆଖିରେ ମଲମ, କ୍ରିମ କିମ୍ବା କୌଣସି ଘରୋଇ ଉପଚାର ବ୍ୟବହାର କରନ୍ତୁ ନାହିଁ |
ଯଦି ଆଖିରେ କିଛି ପଡିଯାଇଛି, ତେବେ ଏହାକୁ ନିଜେ ହଟାଇବାକୁ ଚେଷ୍ଟାକରନ୍ତୁ ନାହିଁ |
ଆଘାତ ସାମାନ୍ୟ ଦେଖାଯାଉଥିଲେ ମଧ୍ୟ ଚିକିତ୍ସା ସେବା ପାଇବାରେ ବିଳମ୍ବ କରନ୍ତୁ ନାହିଁ | ତୁରନ୍ତଚିକିତ୍ସାଅତ୍ୟନ୍ତଗୁରୁତ୍ୱପୂର୍ଣ୍ଣ |
ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ | ଭୟଙ୍କର ଯନ୍ତ୍ରଣା, ଦୃଷ୍ଟିଶକ୍ତି ପରିବର୍ତ୍ତନ କିମ୍ବା ରକ୍ତସ୍ରାବ ଭଳି ଲକ୍ଷଣଗୁଡିକ ଉପରେ ନଜର ରଖନ୍ତୁ ଏବଂ ଯଦି ଏହା ଘଟେ ତେବେ ତୁରନ୍ତ ସାହାଯ୍ୟ ନିଅନ୍ତୁ |