ଜୀବନକୁ ନେଇ ସନ୍ତୁଷ୍ଟ ରହିବା ଶିଖନ୍ତୁ

ଏକ ମନ୍ଦିର ବାହାରେ ଜଣେ ଦୃଷ୍ଟିହୀନ ବ୍ୟକ୍ତି ବସିଥିଲେ। ତାଙ୍କ ଆଖିରେ ଥିଲା କଳା ଚଷମା। ପାଖରେ ଥିଲା ଗୋଟିଏ ପାତ୍ର। ତା’ ଭିତରେ ପଡ଼ିଥିଲା କେତୋଟି ମୁଦ୍ରା। କାନ୍ଥରେ ଲେଖାଯାଇଥିଲା- ମୁଁ ଜଣେ ଅନ୍ଧ। ଦୟାକରି, କିଛି ଦାନ କରନ୍ତୁ। ସେହି ପଥ ଦେଇ ଯାଉଥିବା ଜଣେ ବ୍ୟକ୍ତି ଛିଡ଼ାହୋଇ ପଢ଼ିଲେ, କେତୋଟି ମୁଦ୍ରା ପାତ୍ର ଭିତରେ ପକାଇଦେଲେ। ତାହା ପରେ କାନ୍ଥର ଲେଖା ଲିଭାଇ, ଅନ୍ୟ କିଛି ଲେଖି, ଚାଲିଗଲେ।

ସେ ଯିବା ପରେ ଦେଖାଗଲା, ଅଧିକରୁ ଅଧିକ ସଂଖ୍ୟକ ଲୋକ ଧ୍ୟାନର ସହ ଲେଖାଟି ପଢ଼ିଲେ, ଏବଂ କିଛି ନା କିଛି ପାତ୍ରରେ ପକାଇଲେ। ଅପରାହ୍‌ଣରେ ଲେଖା ବଦଳାଇଥିବା ବ୍ୟକ୍ତି ସେଠାରେ ପହଞ୍ଚିଲେ। ଆସିବାର ଶବ୍ଦରୁ, ତାଙ୍କ ଉପସ୍ଥିତି ବାରିପାରିଲେ ଦୃଷ୍ଟିହୀନ। ସଙ୍ଗେ ସଙ୍ଗେ ପଚାରିଲେ- ଆପଣ, ଏ ଭଳି କ’ଣ ଲେଖିଦେଇଗଲେ ଯେ, ପଥଚାରୀମାନେ ହଠାତ୍‌ ମୋ ବାବଦରେ ଅଧିକ ଭାବିଲେ? ଭଦ୍ରବ୍ୟକ୍ତି କହିଲେ- ମୁଁ ଲେଖିଥିଲି, କି ସୁନ୍ଦର ଦିନଟିଏ। ହେଲେ, ଦେଖିବାର ଶକ୍ତି ମୋ’ଠାରେ ନାହିଁ। ଦୃଷ୍ଟିହୀନ ପଚାରିଲେ- ଦୁଇ ଲେଖା ଭିତରେ ପ୍ରଭେଦ କ’ଣ? ଉତ୍ତର ମିଳିଲା- ଉଭୟ ଲେଖା ସୂଚାଉଛି ଯେ, ଆପଣ ଦୃଷ୍ଟିହୀନ। ତେବେ, ମୋ ଲେଖା, ଅଧିକ କିଛି କହୁଛି। ମୋ ଲେଖାରୁ ଲୋକେ ଜାଣୁଛନ୍ତି, ସେମାନେ କେତେ ଭାଗ୍ୟବାନ। କାରଣ, ସେମାନଙ୍କର ଦୃଷ୍ଟି ଶକ୍ତି ଅଛି। ଆଉ ଆପଣଙ୍କର ଦୁର୍ଭାଗ୍ୟ, ସେମାନେ ଭଲ ଭାବେ ଅନୁଭବ କରିପାରୁଛନ୍ତି। ତେଣୁ, ମୋ ଲେଖା ଅଧିକ ପ୍ରଭାବଶାଳୀ।

ଅର୍ଥାତ୍‌, ନିଜ ପାଖରେ ଯାହା ଅଛି, ତାହାକୁ ନେଇ ସନ୍ତୁଷ୍ଟ ରହ। ରଚନାତ୍ମକ, ସକାରାତ୍ମକ ରହ। କାନ୍ଦିବାର ଗୋଟିଏ କାରଣ ଥିବା ବେଳେ ହସିବାର ଦଶଟି କାରଣ ଅଛି। ଏହା ଭୁଲନାହିଁ।

ସମ୍ବନ୍ଧିତ ଖବର