ଭୁବନେଶ୍ବର: ବେଲ ଓ ବେଲପତ୍ର ଶିବଙ୍କ ପ୍ରିୟ । ସେହିପରି ତୁଳସୀପତ୍ର ଭଗବାନ୍ ବିଷ୍ଣୁ ଓ ଶ୍ରୀକୃଷ୍ଣଙ୍କ ପ୍ରିୟ। ସେ ଯୁଗ ପାଇଁ ଏହାର ଆବଶ୍ୟକତା ବୋଧହୁଏ ଅଧିକ ଥିଲା। ବେଲ ଓ ବେଲପତ୍ର ବିଭିନ୍ନ ପ୍ରକାର ପେଟରୋଗ ଓ ନାଳଝାଡ଼ା ଇତ୍ୟାଦି ପାଇଁ ରାମବାଣ ଔଷଧ। ବେଲପତ୍ର କେବଳ ଶିବଙ୍କ ଠାରେ ଲାଗେ ନାହିଁ, ଏହାକୁ ଶିବଭକ୍ତମାନେ ପ୍ରସାଦ ଓ ଧଣ୍ଡାରୂପେ ସବୁଦିନ ସେବନ କରନ୍ତି। ସେହିପରି ତୁଳସୀପତ୍ର ବିନା ବିଷ୍ଣୁ, ବାସୁଦେବ ଓ ଶାଳଗ୍ରାମଙ୍କ ପୂଜା ହୁଏ ନାହିଁ। ତାଙ୍କୁ ଯେଉଁ ନୈବେଦ୍ୟ ଅର୍ପଣ କରାଯାଏ, ସେଥିରେ ତୁଳସୀପତ୍ର ପଡ଼େ। ବାସୁଦେବଙ୍କୁ ଅର୍ପଣ କରାଯାଉଥିବା ଜଳରେ ମଧ୍ୟ ତୁଳସୀପତ୍ର ପଡ଼େ। ରାତିରେ ତୁଳସୀପତ୍ର ଛିଣ୍ଡାଇବା ନିଷେଧ ଥିବାରୁ ଦିନରୁ ତୁଳସୀପତ୍ର ତୋଳି ଶଙ୍ଖରେ ପାଣି ଭର୍ତ୍ତି କରି ସେଥିରେ ରଖାଯାଏ। ସେହି ତୁଳସୀରେ ରାତିରେ ପୂଜା ହୁଏ। ବୈଷ୍ଣବମାନେ ପ୍ରତିଦିନ ତୁଳସୀପତ୍ର ସେବନ କରିଥାନ୍ତି। 

Advertisment

ବୈଷ୍ଣବ ଓ ବ୍ରାହ୍ମଣମାନେ ସଦାଚାର ପାଳନ କରିବାକୁ ଯାଇ ଜଳର ଅଧିକ ବ୍ୟବହାର କରିଥାନ୍ତି। ସେମାନେ ପରିସ୍ରା ଯିବା ପରେ ଶୌଚ ହୁଅନ୍ତି, ପାଇଖାନା ଯିବା ପରେ କାପିଳ ସ୍ନାନ (ଅଣ୍ଟାପାଣି) କରନ୍ତି ଏବଂ ବ୍ରତ ଆଦି ସମୟରେ ତ୍ରିସନ୍ଧ୍ୟା ସ୍ନାନ କରନ୍ତି। ପୁଣି କାର୍ତ୍ତିକ ମାସ ଓ ମାଘମାସ ପରି ଥଣ୍ଡା ଋତୁରେ ମଧ୍ୟ ସାରା ମାସ ସେମାନେ ସୂର୍ଯୋଦୟ ପୂର୍ବରୁ ଉଠି ନଦୀ ବା ପୁଷ୍କରିଣୀର ଶୀତଳ ଜଳରେ ସ୍ନାନ କରନ୍ତି। ସେଥିପାଇଁ ସେମାନଙ୍କୁ ଥଣ୍ଡା ହେବାର ଭୟ ଅଧିକ ଥାଏ। ତୁଳସୀର ବାତ-ପିତ୍ତ-କଫ ନାଶକ ଗୁଣ ଥିବାରୁ ଏହାକୁ ନିୟମିତ ସେବନ କରିବା ଦ୍ବାରା ସେମାନେ ନିରୋଗ ରହନ୍ତି। ଦୈନନ୍ଦିନ ପୂଜା ପାଇଁ ଓ ଔଷଧି ରୂପରେ ନିତ୍ୟ ସେବନ ପାଇଁ ତୁଳସୀର ସହଜ ଉପଲବ୍ଧତାକୁ ନିଶ୍ଚିତ କରିବା ପାଇଁ ନିଜ ଘର ଆଗରେ ଚଉରା ଉପରେ ତୁଳସୀ ଗଛ ଲଗାଯାଇଥାଏ। ଘରବାଡ଼ିରେ ଓ ଅଗଣାରେ ବି ତୁଳସୀ ଗଛ ଲଗାଯାଏ। ଖରାଦିନେ ପାଣି ଅଭାବରୁ ଓ ଖରା ତେଜରେ ତୁଳସୀ ଗଛ କାଳେ ମରିଯିବ, ସେଥିପାଇଁ ଠେକିବସା ସଂକ୍ରାନ୍ତି (ପଣା ସଂକ୍ରାନ୍ତି)ରେ ତୁଳସୀ ଚଉରା ଉପରେ ଛାମୁଡ଼ିଆ ବାନ୍ଧି ଗୋଟିଏ କଣାଯୁକ୍ତ ଠେକି ଟାଙ୍ଗି ଦିଆଯାଏ। ସେଇ ଠେକିର କଣାରେ ଦୁବ ବା କୁଶ ଦେଇ ଉପରେ ପାଣି ଢଳାଯାଏ। ଫଳରେ ତୁଳସୀଗଛକୁ ଛାଇ ମିଳିବା ସହ ଦିନସାରା ବୁନ୍ଦାଏ ବୁନ୍ଦାଏ ଜଳ ପଡ଼ି ଗଛର ମୂଳ ଓଦା ରହେ। ଏହା କୁସଂସ୍କାର ନୁହେଁ, ଆମ ପୂର୍ବଜଙ୍କ ବୈଜ୍ଞାନିକ ବୁଦ୍ଧିର ପରିଚାୟକ। ଆଜିକାର ବୁନ୍ଦା ଜଳସେଚନ ବା ଡ୍ରିଫ୍ଟ ଇରିଗେସନ ପଦ୍ଧତିର ଆବି‌ଷ୍କାର ହୁଏତ ଏହାର ଅନୁକରଣରେ ହୋଇଥାଇପାରେ। 

ଆଜି ମଧ୍ୟ ଉକ୍ତ ବେଲପତ୍ର ଓ ତୁଳସୀପତ୍ରର ଉପଯୋଗିତା ସମାନଭାବେ ରହିଛି। କିନ୍ତୁ ଆଜିର ଆହ୍ବାନ ଆହୁରି ସୁଦୂରପ୍ରସାରୀ। କେବଳ ବେଲପତ୍ର ଓ ତୁଳସୀପତ୍ର ଆଜିର ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ନୁହେଁ। କାରଣ ଇଏ ହେଲା କଳିଯୁଗ। ଲୋଭର ବଶବର୍ତ୍ତୀ ହୋଇ ବେପାରୀମାନେ ଖାଦ୍ୟଦ୍ରବ୍ୟରେ ଅପମିଶ୍ରଣ କରୁଛନ୍ତି। ଚାଷୀମାନେ ରାସାୟନିକ ସାର, ହର୍ମୋନ ଓ କୀଟନାଶକ ଦେଇ ଫସଲ ଅମଳ କରୁଛନ୍ତି। ଆମେ ନିଜେ ଚାଷ କରି ବାଡ଼ିରୁ ତୋଳି ଖାଉ ନାହୁଁ। ଫଳମୂଳ ଓ ପନିପରିବା ପାଇଁ ଆମେ ବଜାର ଉପରେ ନିର୍ଭର କରୁଛୁ। ବଜାରରେ ସୁଦୂର ରାଜ୍ୟରୁ ଆସିଥିବା କାର୍ବାଇଡ୍‌-ଦିଆ ବାସି ଫଳ ଓ ସଜ ରହିବା ବା ଦିଶିବା ପାଇଁ କେମିକାଲ-ଭିଜା ଓ ରଙ୍ଗଦିଆ ପନିପରିବା ମିଳୁଛି। ତାକୁ ଆଣି ଆମେ ପୁଣି ଫ୍ରିଜ୍‌ରେ ରଖି ଆହୁରି ବାସି କରି ଖାଉଛୁ। ତେଣୁ

ଆମିଷ-ଖାଦ୍ୟ ତ ଟକ୍ସିନ-କାରକ, ଏପରି ଫଳ ଓ ପନିପରିବା ମଧ୍ୟ ଆମ ଶରୀରରେ ଟକ୍ସିନ ସୃଷ୍ଟି କରେ। ଏହା ଆମଠାରେ ଆଳସ୍ୟ, ମାନ୍ଦାପଣ ଓ ଅବସାଦ ଜନ୍ମାଏ। ଏ ପ୍ରକାର ଟକ୍ସିନ ବା ବିଷରୁ ମୁକ୍ତି ପାଇବା ପାଇଁ ଆମକୁ ପ୍ରତିଦିନ ଅମୃତ ସେବନର ଆବଶ୍ୟକତା ଅଛି। 

ଆମେ ଜାଣିଛୁ, ଅମୃତ ସ୍ବର୍ଗର ଜିନିଷ, ଏହା ମର୍ତ୍ତ୍ୟରେ କେଉଁଠି ମିଳିବ ? ତେବେ ଠାକୁର ଅନୁକୂଳଚନ୍ଦ୍ରଙ୍କ ମତରେ ଅମୃତ ବୋଲି ଯଦି ସତରେ କିଛି ଥାଏ, ତେବେ ଥାଲକୁଡ଼ି ବା ବ୍ରାହ୍ମୀ ହେଉଛି ମର୍ତ୍ତ୍ୟର ଅମୃତ। ତା’ଛଡ଼ା ଦୁବ, ତୁଳସୀ, ଗୁଳୁଚି, ଅଁଳା, ହରିଡ଼ା ପ୍ରଭୃତିକୁ ବି ଅମୃତା ବୋଲି ନାଁ ଦିଆଯାଇଛି। ବ୍ରାହ୍ମୀ ଦୁଇ ପ୍ରକାର ଅଛି- ଗୋଟିଏ ହେଉଛି ମଣ୍ଡୁକବ୍ରାହ୍ମୀ ବା ଥାଲକୁଡ଼ି (ସେଣ୍ଟିଲା ଆସିଆଟିକା) ଓ ଅନ୍ୟଟି ହେଉଛି ନୀରବ୍ରାହ୍ମୀ (ବାକୋପା ମୋନିଏରୀ)। ନୀରବ୍ରାହ୍ମୀ ପିତା ଲାଗେ କିନ୍ତୁ ଥାଲକୁଡ଼ି ପିତା ଲାଗେ ନାହିଁ। ଉଭୟର ଗୁଣ ସମାନ। ବେଦରେ ଏହାର ବିସ୍ତୃତ ବର୍ଣ୍ଣନା ରହିଛି। ଉଭୟକୁ ଆୟୁର୍ବେଦରେ ମେଧ୍ୟବର୍ଗରେ ରଖାଯାଇଛି। ଏହା ମେଧା ଓ ସ୍ମୃତିଶକ୍ତିବର୍ଦ୍ଧକ ହୋଇଥିବାରୁ ଏହାର ଅନ୍ୟନାମ ମଧ୍ୟ ସରସ୍ବତୀ। ସ୍କୁଲ-କଲେଜରେ ପାଠ ପଢ଼ୁଥିବା ପିଲାମାନେ ଏହାକୁ ନିୟମିତ ସେବନ କରିବା ଉଚିତ। ଥାଲକୁଡ଼ିର ବାହ୍ୟ ପ୍ରୟୋଗରେ କୁଷ୍ଠ, ଉପଦଂଶ, ନଳୀ ଘାଆ ଓ ଚର୍ମରୋଗ ଭଲ ହୁଏ। ବୈଦ୍ୟଶାସ୍ତ୍ର ମତରେ ଏହା ମେହ, ରକ୍ତଦୋଷ, କାଶ, ବିଷଦୋଷ, ଶୋଥ ଓ ଜ୍ବରନାଶକ। ଏହା ମଧ୍ୟ ଆୟୁବର୍ଦ୍ଧକ। ତେବେ ଆମେ ଏଠାରେ ଏହାର ବିଷଦୋଷ ବା ଟକ୍ସିନ-ନାଶକ ଗୁଣ ବିଷୟରେ ଆଲୋଚନା କରିବାକୁ ଯାଉଛୁ। ପ୍ରତିଦିନ ସକାଳେ ଦୁଇ-ଚାରିଟା ଥାଲକୁଡ଼ି ପତ୍ର ଟିକେ ଆଖୁଗୁଡ଼ ସହ ଚୋବାଇ ଖାଇ ଏକ-ଦୁଇ ଗ୍ଲାସ ବା ଯଥେଷ୍ଟ ପାଣି ପିଇବା ଉଚିତ। ତା’ର ଅଧଘଣ୍ଟା ପରେ ଜଳଖିଆ ଖିଆଯାଇପାରେ। ଏହାଫଳରେ ଆମ ରକ୍ତରେ ସଞ୍ଚିତ ବିଷ ବା ଟକ୍ସିନ ପରିସ୍ରା ବାଟେ ବାହାରିଯାଏ ଓ ଆମକୁ ଫୂର୍ତ୍ତି ଲାଗେ। 

ଥାଲକୁଡ଼ି ଖାଇଲେ ଦୁର୍ବଳତା କମି ଆସେ। ଦୁଇଟାରୁ ଚାରିଟା ପତ୍ର ଖାଇବା ଭଲ। ଥାଲକୁଡ଼ି ବଟିକା ଖାଇଲେ ବି ହୁଏ। ଥାଲକୁଡ଼ିର ଗୁଣ ପରିବର୍ତ୍ତକ, ବଳକାରକ ଓ ଶ୍ୱେଦଜନକ। ଏଥିରେ ନାଡ଼ି ପୁଷ୍ଟ ହୁଏ। ନାଦକର୍ଣ୍ଣୀଙ୍କ ବହିରେ ଅଛି- ଥାଲକୁଡ଼ି Alternative (ପରିବର୍ତ୍ତକ), Tonic (ବଳକାରକ), Anti-diabetic (ବହୁମୂତ୍ରରୋଗ-ନିବାରକ), Stimulant (ଉତ୍ତେଜକ)। ଭାରତୀୟ ବନୌଷଧି ବହିରେ ଅଛି- ଥାଲକୁଡ଼ି ସ୍ମୃତିଶକ୍ତି ବର୍ଦ୍ଧକ, ପରିପାକ ଯନ୍ତ୍ରର କ୍ରିୟା ବି ବୃଦ୍ଧି କରେ, ଅତିରିକ୍ତ ରଜଃସ୍ରାବକୁ ଥାଲକୁଡ଼ି ପ୍ରଶମିତ କରେ ଓ ନିୟନ୍ତ୍ରଣରେ ରଖେ। ଆଜିକାଲି ପ୍ରଦୂଷିତ ଓ ବାସି ଖାଦ୍ୟ ଖାଇବା ଯୋଗୁ ଅଧିକାଂଶ ଲୋକଙ୍କଠାରେ ନାନା ପ୍ରକାର ପେଟରୋଗ ଓ ଅନ୍ୟାନ୍ୟ ବେମାରି ହେଉଛି। ତେଣୁ ସମସ୍ତେ ନିୟମିତ ଥାଲକୁଡ଼ି ସେବନ କରିବା ଉଚିତ। ତା’ଛଡ଼ା ଯେଉଁମାନେ ଆବଶ୍ୟକ ମନେ କରନ୍ତି ସେମାନେ ବେଲପତ୍ର ଓ ତୁଳସୀପତ୍ର ବି ଖାଇପାରିବେ। ଥାଲକୁଡ଼ିର ଅଭାବରେ ବଟିକା କିମ୍ବା ତା’ର ଅଭାବରେ ତୁଳସୀ ପତ୍ର ଖାଇବା ଆବଶ୍ୟକ। କିନ୍ତୁ ପ୍ରତିଦିନ ଏହା ଖାଇବା ଉଚିତ। ଥାଲକୁଡ଼ି ପତ୍ରକୁ ଗୁଡ଼, ମହୁ ବା କ୍ଷୀର ସହ ବିଭିନ୍ନ ଅନୁପାନରେ ବିଭିନ୍ନ ରୋଗ ପାଇଁ ଖାଇବାର ବିଧାନ ଅଛି। ଥାଲକୁଡ଼ି ପାଖରେ ଶତାଧିକ ପ୍ରକାର ରୋଗ ତଥା ୩୪ରୁ ଅଧିକ ପ୍ରକାର ମାରାତ୍ମକ ରୋଗ ଭଲ କରିବାର କ୍ଷମତା ଅଛି। ଆମେ କେବଳ ଏହାର ପ୍ରୟୋଗ ବିଧି ଜାଣିବା ଦରକାର। 

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା, ମୋ-୭୦୦୮୯୬୦୫୦୨