ଏସିଡିଟି ବଢ଼ି ଚାଲିଛି କି? କିଛି ସାଧାରଣ ନିୟମ ମାନନ୍ତୁ ଓ ଏଥିରୁ ମୁକ୍ତି ପାଆନ୍ତୁ…

ଆଜିକାଲି ଏସିଡିଟି ଏମିତି ଏକ ରୋଗ ଯାହା ପ୍ରାୟ ସମସ୍ତଙ୍କ ଠାରେ ଦେଖାଦେଉଛି। ଖାଦ୍ୟ ଖାଇବା ଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ- ଏମିତି ଅନେକ ଜିନିଷ ଆମେ ଠିକ୍‌ ଭାବେ କରି ନ ଥାଉ। ସେଥିପାଇଁ ଅଧିକାଂଶ ଲୋକଙ୍କର ଏସିଡିଟି ରୋଗ ବାହାରିଥାଏ। ଏସିଡିଟି ଥିବା ଅଧିକାଂଶ ଲୋକଙ୍କର ପ୍ରତି ରାତିରେ ପେଟ ବା ଛାତି କିମ୍ବା ଅନ୍ୟ ଅଙ୍ଗରେ ପୀଡ଼ା ହୋଇଥାଏ ଓ ନିଦ ମଧ୍ୟ ହୋଇ ନ ଥାଏ। ଏହା ବ୍ୟତୀତ ଆହୁରି ଅନେକ ସମସ୍ୟା ଦେଖାଦିଏ।

ଡାକ୍ତରଙ୍କ କହିବା ଅନୁସାରେ, ଆଜିକାଲିର ଲାଇଫ୍‌ଷ୍ଟାଇଲ୍‌ ଯୋଗୁଁ ଏସିଡିଟି ହୋଇଥାଏ। ଲେଟ୍‌ ନାଇଟ୍‌ ଡିନର୍‌ କରିବା, ଲେଟ୍‌ ନାଇଟ୍‌ରେ ଶୋଇବା, ଲେଟ୍‌ ନାଇଟ୍‌ ପାର୍ଟି କରି ମଦ, ସିଗାରେଟ୍‌ ପିଇବା ଓ ଅତ୍ୟଧିକ ମଶଲାଯୁକ୍ତ ଖାଦ୍ୟ, ଅଧିକ ତେଲିଆ ଓ ଜଙ୍କ୍‌ ଫୁଡ୍‌ ଆଦି ଖାଇବା ଯୋଗୁଁ ଏସିଡିଟି ବଢ଼ିଥାଏ। ଜାଣନ୍ତୁ ଏସିଡିଟିରୁ ବଞ୍ଚିବାକୁ ହେଲେ କ’ଣ କରିବା ଠିକ୍‌ ନୁହେଁ…

ରାତ୍ର ଭୋଜନ କରି ସାରିବାର ପରେତୁରନ୍ତ ଶୁଅନ୍ତୁ ନାହିଁ, ରାତି ଶୋଇଲା ବେଳେ ସିଧା ବା ଉପରକୁ ମୁହଁ କରି ଶୁଅନ୍ତୁ। ଡାହାଣ କଡ଼ ମାଡ଼ି ଶୁଅନ୍ତୁ ନାହିଁ। ଏହାଦ୍ୱାରା ଡାଇଜେଷ୍ଟିବ୍‌ ଏସିଡ୍‌ ଅଧିକ ମାତ୍ରାରେ ବାହାରିଥାଏ, ଫଳରେ ଏସିଡିଟି ବଢ଼ିଯାଏ।

ସେମିତି ତ ଲେଟ୍‌ ନାଇଟ୍‌ ପାର୍ଟି, ମଦ ବା ଆଲ୍‌କହଲ୍‌ ଡ୍ରିଙ୍କ୍‌ସ ଓ ସ୍ମୋକିଙ୍ଗ୍‌ ଶରୀର ପାଇଁ ଖରାପ, କିନ୍ତୁ ଯଦି ଆପଣ ଏସବୁରେ ଅଭ୍ୟସ୍ତ ତା’ହେଲେ ଯଥା ଶୀଘ୍ର ଯେତେ ଦୂର ସମ୍ଭବ ଏହାକୁ ବନ୍ଦ କରିବା ଆରମ୍ଭ କରନ୍ତୁ। ଏହା ଦ୍ୱାରା ଖୁବ୍‌ ଶୀଘ୍ର ଏସିଡିଟି ବଢ଼ିବାର ସମ୍ଭାବନା ଥାଏ।

ଖାଇ ସାରିଲା ପରେ ଅନେକ ଲୋକଙ୍କୁ କୋଲ୍‌ଡ୍‌ ଡ୍ରିଙ୍କ୍‌ସ୍‌, କଫି କିମ୍ବା ମିଠା ଜିନିଷ ଖାଇବାକୁ ସୁଖ ଲାଗେ। କିନ୍ତୁ ଶୋଇଲାବେଳେ ଏହିସବୁ ଜିନିଷକୁ ବନ୍ଦ କରିଦେବା ଉଚିତ; କାରଣ ଶୋଇବା ପୂର୍ବରୁ ଏହି ସବୁ ଜିନିଷର ସେବନ ଦ୍ୱାରା ଏସିଡିଟି ବଢ଼ିଥାଏ।

ଖଟା ଜିନିଷରେ ଏସିଡିଟି ଅଧିକ ହୋଇଥାଏ। ସେଥିପାଇଁ ଡିନର୍‌ରେ ଖଟା ସ୍ୱାଦ ଥିବା ଫଳ, ଟମାଟର୍‌ ଓ ଭିନେଗାର୍‌ ଭଳିଆ ଏସିଡିଟି ବଢ଼ାଉଥିବା ଖାଦ୍ୟ ଖାଇବା ବନ୍ଦ କରନ୍ତୁ।

ଡାକ୍ତରଙ୍କ କହିବା ଅନୁସାରେ, ରାତ୍ରଭୋଜନ କମ୍‌ ମାତ୍ରାରେ ଓ କମ୍‌ ତେଲ ମଶଲାରେ ଖାଇବା ଉଚିତ। ଏକଥା ମାନନ୍ତୁ ଓ ରାତ୍ର ଭୋଜନ ଲେଟ୍‌ ନାଇଟ୍‌ରେ କରନ୍ତୁ ନାହିଁ। ଯଥା ସମ୍ଭବ ଡିନର୍‌ରେ କମ୍‌ ମାତ୍ରାରେ ମଶଲା ଖାଆନ୍ତୁ। ନ ହେଲେ ଏହା ଯୋଗୁଁ ଏସିଡିଟି ବଢ଼ିପାରେ।

ସମ୍ବନ୍ଧିତ ଖବର