କୋଜାଗରି କଥା : ଜାଣନ୍ତୁ କୁମାର ପୂର୍ଣ୍ଣିମା ରାତିରେ ଚେଇଁ ରହି ଜହ୍ନ ଦେଖିଲେ କି ଲାଭ ମିଳେ

ଆଶ୍ୱିନ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମା ସହିତ ଶେଷ ହୁଏ ଶରତ ଋତୁ। ଆସେ ହେମନ୍ତ ଓ ତା’ ପଛକୁ ଶୀତ। ସେଥିପାଇଁ ଗୋଟିଏ କଥା ଅଛି ଯେ ଇନ୍ଦୁ ପୂନେଇଁ (ଭାଦ୍ରବ ପୂର୍ଣ୍ଣିମା)ଠାରୁ ଶୀତ ଆସି ଘରର ଓଳିତଳେ ଥାଏ। କୁଆଁର ପୂନେଇଁ ପୂଜା ଡାଲା ସହିତ ଘରେ ପଶେ।

କୁମାର ପୂର୍ଣ୍ଣିମା ରାତିର ଗୋଟିଏ ନାଆଁ ‘କୋଜାଗରି’। ଏହି ନାଆଁର ବିଶେଷ ତାତ୍ପର୍ଯ୍ୟ ରହିଛି। କାରଣ, କଥିତ ଅଛି ଯେ ଏହି ଦିନ ରାତିରେ ଲକ୍ଷ୍ମୀଠାକୁରାଣୀ ଘର ଘର ବୁଲି ଦେଖନ୍ତି ଓ ପଚାରନ୍ତି ‘କୋଜାଗର୍ତ୍ତି’, ଅର୍ଥାତ୍ କିଏ ଜାଗ୍ରତ ଅଛ? ଯେ ନଶୋଇ, ଚେଇଁ ରହି, ଜହ୍ନ ରାତିକୁ ଉପଭୋଗ କରୁଥାଏ, ତାହା ପ୍ରତି ସେ ପ୍ରସନ୍ନ ହୁଅନ୍ତି। ଯିଏ ଶୋଇଥାଏ, ତାହାକୁ ସେ ଛାଡ଼ିଯାଆନ୍ତି। ସେ ବ୍ୟକ୍ତି ଲକ୍ଷ୍ମୀଛଡ଼ା ହୋଇଯାଏ।

ଗୋଟିଏ କୁମାରପୂର୍ଣ୍ଣମୀ ଲୋକଗୀତରେ ଏହାର ସୁନ୍ଦର ବର୍ଣ୍ଣନା ଅଛି। ଡକ୍ଟର ଅରବିନ୍ଦ ପଟ୍ଟନାୟକ ‘ଓଡ଼ିଶାରେ ଲୋକଧର୍ମର ପରମ୍ପରା’ ପୁସ୍ତକରେ ଏହାର ବିଶଦ ଉଲ୍ଲେଖ କରିଛନ୍ତି। ତାହା ହେଉଛି- ଦିନେ ଲକ୍ଷ୍ମୀ ଓ ସରସ୍ୱତୀ ପୃଥିବୀ ଦେଖିବାକୁ ମନ କରି, ନିଜ ନିଜର ବାହନରେ ଆସି ପୃଥିବୀରେ ପହଞ୍ଚିଲେ। ତାହା ଥିଲା ଭାଦ୍ରବ ପୂର୍ଣ୍ଣିମାର ରାତି। କିନ୍ତୁ ସେମାନେ ଦେଖିଲେ- ସମସ୍ତେ ଗଭୀର ନିଦରେ ଶୋଇରହିଛନ୍ତି। କେହି ଶରତ ଋତୁର ସେହି ସୁନ୍ଦର ଜହ୍ନରାତିକୁ ଉପଭୋଗ କରୁନାହାନ୍ତି। ତାହା ଦେଖି ଲକ୍ଷ୍ମୀଙ୍କର ମନ ଖରାପ ହୋଇଗଲା। ସେ ଭାବିଲେ, ଆମ ପତି ଏତେ ସୁନ୍ଦର ଜହ୍ନରାତି ସୃଷ୍ଟି କଲେ; ଅଥଚ ତାକୁ ଉତ୍ସବମୁଖର କରିବାର ବ୍ୟବସ୍ଥା କଲେ ନାହିଁ? ଏଣୁ ଆମେ ତାହା କରିବା!

ସରସ୍ୱତୀ ଉତ୍ସାହିତ ହୋଇ ସେଥିରେ ସମ୍ମତ ହେଲେ। କହିଲେ- ଏ ରାତିରେ ଝିଅମାନେ ନିଦରେ ନଶୋଇ, ନାନା ପ୍ରକାରର ଖେଳ ଖେଳିବେ। ସେଥିରେ ସେମାନଙ୍କୁ କେହି ବାଧା ଦେବେ ନାହିଁ। ଯିଏ ନ ଖେଳିବ ସିଏ ସାତ ଜନ୍ମ ଯାଏ କାଠବେଙ୍ଗୁଲି ହେବ।

ସରସ୍ୱତୀଙ୍କ କଥା ଶୁଣି ଲକ୍ଷ୍ମୀ କହିଲେ- ଯେଉଁ ଚନ୍ଦ୍ରଙ୍କର ଜ୍ୟୋତ୍ସ୍ନା ଦେଖି ଆମେ ଏହି ଯୋଜନା କଲେ- ସେହି ଚନ୍ଦ୍ରଙ୍କର ପୂଜାବିଧି ମଧ୍ୟ ଏହି ଖେଳ ସହିତ ଖଞ୍ଜିଦେବା। ଯଦି କୌଣସି ଝିଅ ବିଧି ଅନୁସାରେ ସେହି ପୂଜା ନ କରିବ, ତାକୁ ମୁଁ ମୋ କୃପାରୁ ବଞ୍ଚିତ କରିବି।

କୁମାର ପୂର୍ଣ୍ଣମୀ ଲୋକଗୀତରେ ଏ ସଂପର୍କରେ ବର୍ଣ୍ଣିତ ଅଛି-
“ମୁଁ ଯଦି ଶ୍ରୀହରି ବାମା ଆମ୍ଭ କଥା ରହୁ
ନିଦ୍ରା ଅଶକତେ ମିଛେ ନ ଖେଳିବ ଯେହୁ।
ସାତ ଜନ୍ମ ପରିଯନ୍ତେ ହୋଇବ ବେଙ୍ଗୁଲି
ଦିନରାତି ବୁଲୁଥିବ ସେହି ବୁଲିବୁଲି।”

ଏଣୁ ଆମ ସମସ୍ତଙ୍କ ପାଇଁ ଏହାର ବାର୍ତ୍ତା ହେଉଛି- ଆମେ ସବୁବେଳେ ଈଶ୍ୱରଙ୍କଦ୍ୱାରା ସୃଷ୍ଟ ଏହି ସୁନ୍ଦର ଜହ୍ନରାତିକୁ ଉପଭୋଗ କରିବା।

ସମ୍ବନ୍ଧିତ ଖବର