କୌଣସି ମାସର ଶୁକ୍ଳ ଦଶମୀ ତିଥି ଗୁରୁବାରରେ ପଡ଼ିଲେ ଯେପରି ସୁଦଶାବ୍ରତ ହୁଏ, ସେହିପରି କୌଣସି ମାସର ଏକାଦଶୀ ତିଥି ଗୁରୁବାରରେ ପଡ଼ିଲେ ଲକ୍ଷ୍ମୀନାରାୟଣ ବ୍ରତ ହୁଏ। ଏ ବ୍ରତର କାହାଣୀ ଏହିପରି।
ଦିନେ ଯୁଧିଷ୍ଠିରଙ୍କ ପାଖରେ ଆସି ପହଞ୍ଚିଲେ ଦେବର୍ଷି ନାରଦ। ଯୁଧିଷ୍ଠିର ତାଙ୍କୁ ଆଦର ସତ୍କାର କରି ଆସନ ଦେବା ପରେ ପଚାରିଲେ- ହେ ଦେବର୍ଷି, କୁହ, କେଉଁ ବ୍ରତ କଲେ ଲୋକ ଧନଧାନ୍ୟ, ପୁତ୍ର, ସୁଖ, ଐଶ୍ୱର୍ଯ୍ୟ, ରାଜବିଭବ ଓ ଗୋ-ମହିଷାଦି ପଶୁ ସଂପଦ ପ୍ରାପ୍ତ ହୁଏ ଏବଂ ଅନ୍ତ କାଳରେ ପୁଣ୍ୟବନ୍ତ ରୂପେ ବୈକୁଣ୍ଠ ଲାଭ କରେ?
ତାହାର ଉତ୍ତରରେ ଦେବର୍ଷି ନାରଦ କହିଲେ- ହେ ମହାରାଜା! ଲକ୍ଷ୍ମୀନାରାୟଣ ବ୍ରତ କଲେ ଏ ସମସ୍ତ ପ୍ରାପ୍ତ ହୁଏ। ପୂର୍ବକାଳରେ ଦେବତା ଓ ଅସୁରଙ୍କ ଦ୍ୱାରା ପୀଡ଼ିତ ହୋଇ ଇନ୍ଦ୍ର ଏହି ପ୍ରଶ୍ନ ଦେବଗୁରୁ ବୃହସ୍ପତିଙ୍କୁ ପଚାରିଥିଲେ। ବୃହସ୍ପତି ଉତ୍ତର ଦେଇଥିଲେ- ମଧୁସୂଦନ ଅର୍ଥାତ୍ ସ୍ୱୟଂ ନାରାୟଣ କହିଛନ୍ତି, ଲକ୍ଷ୍ମୀନାରୟଣ ବ୍ରତ ହିଁ ବ୍ରତମାନଙ୍କ ମଧ୍ୟରେ ଉତ୍ତମ।
ଇନ୍ଦ୍ରଙ୍କ ପ୍ରଶ୍ନରେ ବୃହସ୍ପତି ତାଙ୍କୁ ଆହୁରି ମଧ୍ୟ କହିଥିଲେ- ଏହି ବ୍ରତରେ ଲକ୍ଷ୍ମୀ-ନାରାୟଣଙ୍କର ସ୍ୱର୍ଣ୍ଣ ବା ରୌପ୍ୟ ପ୍ରତିମାଙ୍କୁ ପ୍ରତି ଗୁରୁବାରରେ ପୂଜା କରାଯାଏ। ଯେଉଁ ଗୁରୁବାରରେ ଏକାଦଶୀ ତିଥି ପଡ଼େ, ସେଥିରେ ସ୍ୱତନ୍ତ୍ର ଭାବେ ବ୍ରତ ପାଳନ କରାଯାଏ। ଲକ୍ଷ୍ମୀନାରାୟଣଙ୍କ ପ୍ରତିମାଙ୍କୁ ପଞ୍ଚାମୃତରେ ସ୍ନାନ କରାଇ, “ଲକ୍ଷ୍ମୀନାରାୟଣାଭ୍ୟାଂ ନମଃ” ମନ୍ତ୍ରରେ ଭକ୍ତିର ସହିତ ପଞ୍ଚୋପଚାର ବିଧିରେ ପୂଜା କରାଯାଏ। ଦଶଖିଅ ସୂତାରେ ଦଶଗଣ୍ଠି ପକାଇ, ସେଥିରେ ହଳଦି ବୋଳି, ଏହି ମୂଳମନ୍ତ୍ରରେ ବ୍ରତକୁ ମନ୍ତ୍ରିତ କରି, ଦକ୍ଷିଣବାହୁରେ ପିନ୍ଧାଯାଏ। ଏହି ବ୍ରତ କଲେ ଧନସଂପଦ, ପୁତ୍ର-ପ୍ରପୌତ୍ର ଓ ପୁଣ୍ୟ ପ୍ରାପ୍ତି ହୁଏ।