ଗଜ-ଉଦ୍ଧାରଣ ଭଗବାନ ବିଷ୍ଣୁ ବା ଶ୍ରୀଜଗନ୍ନାଥଙ୍କର ଏକ ପ୍ରସିଦ୍ଧ ଲୀଳା। ଚକ୍ର ଆୟୁଧରେ ଗ୍ରାହ (କୁମ୍ଭୀର)ର ଶିରଚ୍ଛେଦ କରି ଭଗବାନ ଗଜେନ୍ଦ୍ରକୁ ଉଦ୍ଧାର କରିଥିଲେ। ତାହା ଫଳରେ କୁମ୍ଭୀର ତା’ର ପୂର୍ବଜନ୍ମର ଗନ୍ଧର୍ବରୂପ ଫେରିପାଇଥିଲା। ଗଜେନ୍ଦ୍ର ମଧ୍ୟ ସାରୂପ୍ୟ ମୁକ୍ତି ପାଇ, ବିଷ୍ଣୁଙ୍କ ପରି ଚତୁର୍ଭୁଜ ହୋଇ ବିଷ୍ଣୁଲୋକ ଗମନ କରିଥିଲା।
କିନ୍ତୁ ଏହି ଅବସରରେ ଭଗବାନ ବିଷ୍ଣୁ ଗଜେନ୍ଦ୍ରକୁ ଯାହା କହିଥିଲେ, ତାହା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ।
ସଂସ୍କୃତ ‘ଶ୍ରୀମଦ୍ଭାଗବତ’ ଅନୁସାରେ, ଭଗବାନ ବିଷ୍ଣୁ ଗଜେନ୍ଦ୍ର ଉପରେ ପ୍ରସନ୍ନ ହୋଇ କହିଥିଲେ- ହେ ଗଜେନ୍ଦ୍ର! ଯେଉଁମାନେ ମୋର ଶ୍ରୀବତ୍ସ ଚିହ୍ନ, କୌସ୍ତୂଭ ମଣି, ମାଳା, କୌମୋଦକୀ ଗଦା, ସୁଦର୍ଶନ ଚକ୍ର, ପାଞ୍ଚଜନ୍ୟ ଶଙ୍ଖ, ପକ୍ଷୀରାଜ ଗରୁଡ଼, ମୋର ସୂକ୍ଷ୍ମ ଅଂଶରୂପୀ ଅନନ୍ତ, ମୋର ଆଶ୍ରିତା ଲକ୍ଷ୍ମୀଦେବୀ, ବ୍ରହ୍ମା, ଶିବ, ନାରଦମୁନି, ପ୍ରହ୍ଲାଦ, ମତ୍ସ୍ୟ, କୂର୍ମ ଓ ବରାହ ପ୍ରଭୃତି ମୋର ଅନନ୍ତ ପୁଣ୍ୟମୟ ଅବତାରମାନଙ୍କର ଲୀଳା ଏବଂ ସୂର୍ଯ୍ୟ, ଚନ୍ଦ୍ର ଓ ଅଗ୍ନିଙ୍କୁ ମୋର ରୁପଭାବେ ସ୍ମରଣ କରନ୍ତି; ଓଁକାର, ସତ୍ୟ, ମୂଳପ୍ରକୃତି, ଗୋ, ବ୍ରାହ୍ମଣ, ଅକ୍ଷୟ ସନାତନଧର୍ମ, ସୋମ, କଶ୍ୟପ ଓ ଧର୍ମଙ୍କର ପତ୍ନୀ ଦକ୍ଷ କନ୍ୟାଗଣଙ୍କୁ ଏବଂ ଭକ୍ତରାଜ ଧ୍ରୁବ, ମରୀଚି ଆଦି ସପ୍ତଋଷିଙ୍କୁ, ପୁଣ୍ୟଶ୍ଳୋକ ମନୁଷ୍ୟ (ଯଥା ଯୁଧିଷ୍ଠିର, ଜନକ, ନଳରାଜା ଆଦି)ଙ୍କୁ ମଧ୍ୟ ମୋର ରୂପ ଭାବରେ ସ୍ମରଣ କରନ୍ତି, ସେମାନେ ସମସ୍ତ ପାପରୁ ମୁକ୍ତ ହୋଇଯାଆନ୍ତି!
କେବଳ ଏତିକି ନୁହେଁ; ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ସେ ଗଜେନ୍ଦ୍ରକୁ ଆହୁରି ମଧ୍ୟ କହିଥିଲେ- ହେ ଗଜେନ୍ଦ୍ର! ଯେଉଁମାନେ ତୁମକୁ ଓ ମୋତେ, ଏବଂ ଏହି ଗିରିକନ୍ଦର, ବନ, ସରୋବର, ବେତବାଉଁଶ ଆଦିର ବୁଦା ଏବଂ ଦେବଦାରୁ ଆଦି ବୃକ୍ଷଙ୍କୁ ଏବଂ ସମସ୍ତ ଗିରିଶୃଙ୍ଗଙ୍କୁ, ମୋର ପ୍ରିୟ କ୍ଷୀରସାଗର ଓ ଶ୍ୱେତଦୀପକୁ ଏବଂ ଗଙ୍ଗା, ସରସ୍ୱତୀ, ଅଳକାନନ୍ଦା ଓ ଯମୁନା ଆଦି ନଦୀଙ୍କୁ ମୋର ରୂପ ଭାବରେ ସ୍ମରଣ କରନ୍ତି, ସେମାନେ ମଧ୍ୟ ସମସ୍ତ ପାପରୁ ମୁକ୍ତ ହୋଇଯାଆନ୍ତି।
‘ଶ୍ରୀମଦ୍ଭାଗବତ’ର ଏହି ଉକ୍ତି ଆମକୁ ସ୍ପଷ୍ଟ ରୂପେ ସୂଚାଏ, ଯେ ଏ ସମସ୍ତ ହେଉଛନ୍ତି ଭଗବାନଙ୍କର ସ୍ୱରୂପ। ଏଣୁ ଆମେ ସେମାନଙ୍କୁ ସ୍ୱୟଂ ଭଗବାନ ବିଷ୍ଣୁଙ୍କ ପରି ଉପାସନା କରିବା ଉଚିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/gaja.jpg)