‘ଲକ୍ଷ୍ମୀ ପୁରାଣ’ର ସଂପାଦିତ ସଂସ୍କରଣ ଏବଂ ବଜାର ସଂସ୍କରଣ- ଉଭୟରେ ଗୁରୁବାର ଦିନ ପତି-ପତ୍ନୀଙ୍କର ମିଳନକୁ ବାରଣ କରାଯାଇଛି। ପୂର୍ବ ଅଧ୍ୟାୟ (ଲକ୍ଷ୍ମୀପୁରାଣ କଥା-୨୮)ରେ ଏହା ସବିସ୍ତାର ଆଲୋଚିତ ହୋଇଛି। ସୂଚିତ ହୋଇଛି, ଯେ ଶ୍ରୀୟା ଚଣ୍ଡାଳୁଣୀକୁ ନିୟମିତ ବ୍ରତ କରିବା ପାଇଁ କହି, ଲକ୍ଷ୍ମୀଠାକୁରାଣୀ ବଡ଼ଦେଉଳକୁ ବିଜେ କରି ଗଲେ। ଯିବା ପୂର୍ବରୁ ତାକୁ ତା ମାଗିବା ଅନୁସାରେ, ଅମର ବର ବ୍ୟତୀତ, ଅନ୍ୟ ସବୁ ବର ଦେଇଗଲେ।
ବ୍ରତ କରିବା ପାଇଁ ଲକ୍ଷ୍ମୀ ଉପଦେଶ ଦେବା ଏବଂ ବଡ଼ଦେଉଳକୁ ବିଜେ କରିଯିବା ମଝିରେ, ପରବର୍ତ୍ତୀ କାଳର ପୋଥି-ପ୍ରତିଲିପିକାରମାନେ କିପରି ବ୍ରତର ଅନେକ ବିଧି-ନିଷେଧ ଯୋଡ଼ି ଦେଇଛନ୍ତି, ତାହା ମଧ୍ୟ ପୂର୍ବ ଆଲୋଚନାରେ ସୂଚିତ ହୋଇଛି। ସେହି ପ୍ରସଙ୍ଗରେ ରହିଛି ଗୁରୁବାର ଦିନ ପତି-ପତ୍ନୀଙ୍କ ମିଳନ ପାଇଁ ବାରଣର କଥା।

Advertisment

‘ଲକ୍ଷ୍ମୀପୁରାଣ’ର ରଚୟିତା ଭାବରେ ବଳରାମ ଦାସ ଘରେ ଘରେ ପରିଚିତ ହେଲେ ମଧ୍ୟ, ‘ରାମାୟଣ’ ତାଙ୍କର ମୁଖ୍ୟ କୃତି। ଏଣୁ ମନକୁ ପ୍ରଶ୍ନ ଆସେ, ତାଙ୍କ ‘ରାମାୟଣ’ରେ ଏ ସଂପର୍କରେ କିଛି ଅଛି କି? ଥିଲେ, କ’ଣ ଅଛି?
ସେ ସଂପର୍କରେ ଅନୁଧ୍ୟାନ କଲେ, ଆମକୁ ମିଳେ ତାଙ୍କ ‘ରାମାୟଣ’ର ଗୋଟିଏ ପ୍ରସଙ୍ଗ। ସେ ପ୍ରସଙ୍ଗ ଅଛି ‘ଲଙ୍କାକାଣ୍ଡ’ରେ।

ପ୍ରସଙ୍ଗକ୍ରମେ ଉଲ୍ଲେଖନୀୟ, ଯେ ଏହି ‘ରାମାୟଣ’ର ‘ଲଙ୍କାକାଣ୍ଡ’ରେ ଲକ୍ଷ୍ମୀ-ନାରାୟଣ ବନ୍ଦାପନାର ଗୋଟିଏ ସୁନ୍ଦର ବର୍ଣ୍ଣନା ଅଛି। ଧନୁ ମାସ ଅନ୍ତେ, ପୁଷ୍ୟାନକ୍ଷତ୍ରରେ ହେଉଥିବା ବନ୍ଦାପନାର ସୁନ୍ଦର ଅବତାରଣା ବଳରାମ ‘ଲଙ୍କାକାଣ୍ଡ’ରେ କରିଛନ୍ତି। ଅଯୋଧ୍ୟାର ‘ରାମାଭିଷେକ’ ନୀତି ସହିତ ନୀଳାଦ୍ରିର ‘ପୁଷ୍ୟାଭିଷେକ’ ନୀତିକୁ ସେ ସେଥିରେ ସମନ୍ୱିତ କରିଦେଇଛନ୍ତି। ସେହି ବର୍ଣ୍ଣନା ଏହିପରି-
“ଲକ୍ଷ୍ମୀ ନାରାୟେଣ ଯେ ହୁଅନ୍ତି ବନ୍ଦାପନା।
ଦେଖିଲେ ମହାପାତେକ ନରହଇ ସିନା।ା
ଅଯୋଧ୍ୟାରେ ଅବିଷେକ ଯେସନେକ ରୀତି।
ନୀଳଗିରିରେ ତେସନେକ ବନ୍ଦାପନା ହୁଅନ୍ତି।ା
ମୁହିଁ ବଳରାମ ଦାସ ତହିଁ ହାଦେ ଥିଲି।
ଲକ୍ଷ୍ମୀ ନାରାୟେଣଙ୍କର ଆନନ୍ଦ ଦେଖିଲି।ା”

ଏହା ସୂଚାଏ, ଲକ୍ଷ୍ମୀ-ନାରାୟଣ ଉଭୟ, ପରସ୍ପରର ପାଖରେ ଥିଲେ ଆନନ୍ଦିତ ହୁଅନ୍ତି। ଏଣୁ ସେହି ବଳରାମ ଦାସ ଗୁରୁବାର ଦିନ ସେ ଦୁହିଁଙ୍କୁ ଅଲଗା କରିବା କଥା କିପରି ବା ଚିନ୍ତାକରିବେ?
ଏ ପ୍ରସଙ୍ଗରେ ତାଙ୍କ ‘ରାମାୟଣ’ର ‘ଲଙ୍କାକାଣ୍ଡ’ରେ ଯେଉଁ ପ୍ରମାଣ ରହିଛି, ତାହା ଉଲ୍ଲେଖନୀୟ।
ତାହା ଅନୁସାରେ- ଦିନେ ଚାନ୍ଦମୁହିଁ ମହାଲକ୍ଷ୍ମୀ ଦିବ୍ୟ ବେଶ ହୋଇ ନାରାୟଣଙ୍କ ସମୀପକୁ ଗଲେ। ସେଠାରେ ଦ୍ୱାରପାଳ ଭାବରେ ଥିବା ଚଣ୍ଡ ତାଙ୍କୁ ବାଟ ଓଗାଳିଲା। ଚଣ୍ଡର ଭାଷାରେ-
“ଆଗେ ଉଗାଳିଣ ତାଙ୍କୁ ବୋଇଲି ମୁଁ ରାଗେ
ସୁର ମୁନିମାନେ ଛନ୍ତି ଶ୍ରୀହରିଙ୍କ ସଙ୍ଗେ।
ଏମନ୍ତ ସମୟେ ଯିବାର ନୁହଇ ଉଚିତ।
କୁଳବଧୂ ସିନ୍ଧୁ ରାଜାର ଦୁହିତ୍ର।
ଏକାନ୍ତ ସମୟେ ତୁ ସ୍ୱାମୀର ସଙ୍ଗେ ଥିବୁ।
ଉଦ୍ୟାନ ସ୍ଥାନକୁ ତୁ କିମ୍ପାଇ ଏବେ ଯିବୁ!”

ଅର୍ଥାତ୍‌, ଚଣ୍ଡ କହିଲା- ଏହା ଏକାନ୍ତ ସମୟ ନୁହେଁ। ସିନ୍ଧୁ ରାଜାର ଦୁହିତା, କୂଳବଧୂ ଲକ୍ଷ୍ମୀ ଏକାନ୍ତ ସମୟରେ ସିନା ସ୍ୱାମୀ ପାଖରେ ରହିବେ; ଉଦ୍ୟାନ ସ୍ଥଳରେ, ସୁର ମୁନିମାନଙ୍କ ସଙ୍ଗେ ସ୍ୱାମୀ ଥିବା ବେଳେ, ସେଠାକୁ ସେ କାହିଁକି ଯିବେ?

କିନ୍ତୁ ତାହା ଶୁଣି ଲକ୍ଷ୍ମୀ ତାକୁ ସୁନ୍ଦର ଉତ୍ତର ଦେଲେ। ବଳରାମ ଦାସଙ୍କ ବର୍ଣ୍ଣନା ଅନୁସାରେ-
“ଚଞ୍ଚଳା ବୋଇଲେ ଯେ ସୁର ମୁନିମାନ।
ସମସ୍ତେ ମୋହର ପୁଣି ଅଟନ୍ତି ନନ୍ଦନ।ା
ତହିଁକି ବିକାର କିରେ ଉପୁଜଇ ମୋତେ।
ବାଟ ଛାଡ଼ିଦିଅରେ ଦୋଷ ନାହିଁ ତୋତେ।ା”
ଲକ୍ଷ୍ମୀ ଏହା ମଧ୍ୟ କହିଲେ-
ଆଜ ଗୁରୁବାର ମୋର ସମୁଦ୍ର ସ୍ନାନ କଲି।
ଦର୍ଶନ କରିବି ବୋଲି ବେଗେ ମୁଁ ଅଇଲି।ା
ଆଜ ଦିନ ସୁଫଳ ସ୍ୱାମୀଙ୍କ ମୁଖ ଚାହିଁ।
ନମସ୍କାର କରି ମୁଁ ଆସିବି ବେଗ ହୋଇ।ା
ଆହେ ଚଣ୍ଡବୀର ମୋତେ କଟାଳ ନକର
ଦିଅଛାଡ଼ି ଦ୍ୱାର ମୋତେ ଦେଖିବି ସ୍ୱାମୀ ମୋର।”

ବଳରାମ ଦାସଙ୍କ ‘ରାମାୟଣ’ର ଏହି ଉପାଖ୍ୟାନ ଅନୁଯାୟୀ, ତଥାପି ସେ ଲକ୍ଷ୍ମୀଙ୍କୁ ଦ୍ୱାର ନଛାଡ଼ିବାରୁ, ସ୍ୱାମୀ ସେବାରୁ ବଞ୍ଚିତା ଲକ୍ଷ୍ମୀ ତାକୁ ଅଭିଶାପ ଦେଲେ ଏବଂ ସେ ମର୍ତ୍ତ୍ୟଲୋକରେ ବିଶ୍ରବା ଋଷିଙ୍କ ପୁତ୍ର ରାବଣ ଭାବେ ଜନ୍ମ ନେଲା। ତା’ ସହିତ ଅନ୍ୟ ଦ୍ୱାରପାଳ ମୁଣ୍ଡ ମଧ୍ୟ କୁମ୍ଭକର୍ଣ୍ଣ ହୋଇ ଜନ୍ମ ନେଲା। ଗୁରୁବାର ଦିନ ଦେବୀ ଲକ୍ଷ୍ମୀଙ୍କ ସ୍ୱାମୀ ସେବାରେ ବିଘ୍ନ ଘଟାଇବାରୁ ଦୁହେଁ ଏହି ଅଭିଶାପ ପାଇଲେ।
ଏଣୁ, ଯେଉଁ ବଳରାମ ଦାସ ତାଙ୍କ ‘ରାମାୟଣ’ରେ ଗୁରୁବାର ଦିନ ସ୍ୱାମୀଙ୍କ ଦର୍ଶନ ଓ ସେବାକୁ ସୁଫଳଦାୟକ ବୋଲି କହିଛନ୍ତି, ସେ ତାଙ୍କ ‘ଲକ୍ଷ୍ମୀ ପୁରାଣ’ରେ ତାହାର ସଂପୂର୍ଣ୍ଣ ଓଲଟା କଥା କିପରି ବା କହିବେ?
-ଅସିତ ମହାନ୍ତି