ଅନ୍ତଃପୁରରେ ଜଗନ୍ନାଥଙ୍କ ପାଖାପାଖି ବସିଥିଲେ ଲକ୍ଷ୍ମୀ। ଆଖି ଥନ ଥନ। ଅର୍ଥାତ୍ ଆଖିରେ ଟଳମଳ ଲୁହ। ହୃଦୟରେ ତୀବ୍ର ଅଭିମାନ। ମୁହଁର ଭାଷାରେ ତାହା କ୍ରୋଧପରି ପ୍ରତୀୟମାନ ହେଉଥିଲା। ‘ଯେବେ ମୋ’ଠାରେ ତୁମର ପ୍ରୟୋଜନ ନାହିଁ, ତେବେ ଭାଇଙ୍କୁ ଘେନି ଯୁଆଡ଼େ ଯିବ ଯାଅ’ ବୋଲି ବି ସେ ସଫା ସଫା ଶୁଣାଇ ଦେଇଥିଲେ।
ସେହି ତୀବ୍ର ଅଭିମାନର ଭାଷା ଜଗନ୍ନାଥଙ୍କ ପାଇଁ ଅବୁଝା ନଥିଲା। ପୁଣି ଦୁଇଭାଇଙ୍କ ପାଇଁ ଏବେ ଆଉ ବୁଝିବା ବାକି ନଥିଲା, ଯେ ଲକ୍ଷ୍ମୀଙ୍କ ଅବର୍ତ୍ତମାନ ହିଁ ତାଙ୍କର ସବୁ ଦୁରବସ୍ଥାର ହେତୁ। ତେଣୁ ଜଗନ୍ନାଥ ତାଙ୍କ ଉତ୍ତରରେ ତାହା ସ୍ପଷ୍ଟ ସ୍ୱୀକାର କଲେ।
“ଜଗନ୍ନାଥ ବୋଇଲେ ଲକ୍ଷ୍ମୀ ଆନନ୍ଦରେ ଥିଲୁ
ତୁମ୍ଭେ ଅଇଲାରୁ ଆମ୍ଭେ ଦରିଦ୍ର ହୋଇଲୁ।”
କେବଳ ଏତିକି ନୁହେଁ; ଲକ୍ଷ୍ମୀଙ୍କ ମାୟାରୁ ସେମାନେ ଯେ ଭିକ୍ଷା କରି ମଧ୍ୟ, ଅନ୍ନ ଜଳ ପାଇଲେ ନାହିଁ; ଏବଂ ସେ କଥା ଜଗତ ଜାଣିଲା; ଏହା ମଧ୍ୟ ସେ ସ୍ପଷ୍ଟ ସ୍ୱୀକାର କଲେ। ଖୁବ୍ ସୁନ୍ଦର ଭାବରେ ବଳରାମ ଦାସ ତାହାର ବର୍ଣ୍ଣନା କରିଛନ୍ତି।
“ତୁମ୍ଭେ ଏଡ଼େ ମାୟା କଲ ବୋଲିଣ ବୋଇଲେ
ଆମ୍ଭେ ଭିକ୍ଷା ମାଗିବାର ଜଗତେ ଜାଣିଲେ।
ତୁମ୍ଭର କୀରତି ଯେ ପୃଥ୍ୱୀରେ ରହିଲା
ତୁମ୍ଭ ଅର୍ଣ୍ଣ ଦେବାର ଯେ ଜଗତେ ଶୁଭିଲା।”
ଏହା ପରର ଘଟଣା ଅତ୍ୟନ୍ତ ରୋଚକ। ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମଧ୍ୟ।
ଏ ଯାଏ, ଲକ୍ଷ୍ମୀ ଅବଶ୍ୟ ଜଗନ୍ନାଥଙ୍କ ପାଖରେ ବସିଥିଲେ; ମାତ୍ର ଦୁହିଁଙ୍କର ବସିବା ଭିତରେ ଟିକିଏ ଦୂରତା ଥିଲା। ବଡ଼ ଭାଇ କହିଥିବା ଗୋଟିଏ କଥା କିନ୍ତୁ ସେ ଯାଏ କରି ନଥିଲେ ଜଗନ୍ନାଥ। ବଳରାମ କହିଥିଲେ- “ତୁମ୍ଭେ ଯାଇ ହସ୍ତ ଧର ପରମଲକ୍ଷ୍ମୀଙ୍କର।” ଏବେ ସେ କଥାଟି ଜଗନ୍ନାଥ କଲେ। ବଳରାମ ଦାସ ଗୋଟିଏ ପାଦରେ ସେହି ରୋଚକ ଦୃଶ୍ୟର ଚିତ୍ର ଖୁବ୍ ସୁନ୍ଦର ଭାବରେ ଆଙ୍କିଛନ୍ତି-
“ଉଠ ବୋଲି ଗୋବିନ୍ଦ ଯେ ଧଇଲେ ଯାଇଂ ହସ୍ତ।”
ତେବେ ଲକ୍ଷ୍ମୀ ସେତିକିରେ ଭଳି ଗଲେ ନାହିଁ। ବଡ଼ଭାଇ ବଳରାମ କହିଥିଲେ; ତେଣୁ ତାଙ୍କ କଥା ମାନି ଜଗନ୍ନାଥ ଆସି ଦୋଷ ସ୍ୱୀକାର କଲେ। ଲକ୍ଷ୍ମୀ ବଡ଼ଲୋକ ବୋଲି ଜଗତ ଜାଣିଲା। ଏହା ମଧ୍ୟ ଜଗତ ଜାଣିଲା, ଯେ ଲକ୍ଷ୍ମୀଙ୍କ ମାୟା ଯୋଗୁଁ ଦୁଇଭାଇ ଭିକ୍ଷା ମାଗିଲେ ମଧ୍ୟ କେଉଁଠୁ ହେଲେ ଅନ୍ନ ଜଳ ପାଇଲେ ନାହିଁ। ଶେଷରେ ଯେଉଁ ‘ଚଣ୍ଡାଳୁଣୀ’ ଅପବାଦରେ ତାଙ୍କୁ ଘରୁ ଘଉଡ଼େଇ ଦେଇଥିଲେ; ସେହି ‘ଚଣ୍ଡାଳୁଣୀ’ ଘରେ ତା’ରି ହାତରନ୍ଧା ଖାଇଲେ। କିନ୍ତୁ ଏତିକି କ’ଣ ସବୁକିଛି? ଏଇ ବ୍ୟକ୍ତିଗତ ଅହଂର ପୁଷ୍ଟି ବା ତଜ୍ଜନିତ ତୁଷ୍ଟି କ’ଣ ତାଙ୍କ ପାଇଁ ଯଥେଷ୍ଟ?
ନା। ତେଣୁ, ଉଠ ବୋଲି କହି ଗୋବିନ୍ଦ ଯେତେବେଳେ ଯାଇ ତାଙ୍କ ହସ୍ତ ଧରିଲେ, ସେତେବେଳେ ଲକ୍ଷ୍ମୀ ତାଙ୍କୁ ସତ୍ୟ କରାଇଲେ। ବଳରାମ ଦାସଙ୍କ ରଚନାରେ ସେହି ପୂରା ପଦଟି ଏହିପରି-
“ଉଠ ବୋଲି ଗୋବିନ୍ଦ ଯେ ଧଇଲେ ଯାଇଂ ହସ୍ତ
ଲକ୍ଷ୍ମୀ ଯେ ବୋଇଲେ ଦୀନବନ୍ଧୁ କର ସତ୍ୟ।”
ଏଠାରେ ‘ଦୀନବନ୍ଧୁ’ ଶବ୍ଦଟି ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। କାରଣ, ଲକ୍ଷ୍ମୀଙ୍କର ବ୍ୟକ୍ତିଗତ ଅହଂ ବା ସ୍ୱାଭିମାନର ପୁଷ୍ଟି ବା ତୁଷ୍ଟିରେ ଅଗଣିତ ‘ଦୀନ’ମାନଙ୍କର ସାମାଜିକ ସ୍ଥିତିର କୌଣସି ପରିବର୍ତ୍ତନ ହେଉନାହିଁ। ପୂର୍ବରୁ ବାରମ୍ବାର ସୂଚିତ, ଯେ ସମାଜରେ ଥିବା ତୀବ୍ର ଜାତିଭେଦ ଉପରେ କଠୋର ପ୍ରହାର ହିଁ ବଳରାମ ଦାସ ‘ଲକ୍ଷ୍ମୀ ପୁରାଣ’ ରଚନା କରିବାର ମୁଖ୍ୟ ଉଦ୍ଦେଶ୍ୟ। ସେଥିପାଇଁ, ସେହି ରୋଚକ, ସମ୍ବେଦନଶୀଳ ଓ ଆବେଗପୂର୍ଣ୍ଣ ସ୍ଥିତିରେ ହିଁ, ଲକ୍ଷ୍ମୀ ଜଗନ୍ନାଥଙ୍କୁ ସତ୍ୟ କରାଇନେଲେ। କହିଲେ-
“ଚଣ୍ଡାଳ ହସ୍ତରୁ ଅର୍ଣ୍ଣ ବ୍ରାହ୍ମଣ ଖାଇବେ
କୈବଲ୍ୟ ଖାଇଣ ହସ୍ତ ଶିରରେ ପୋଛିବେ।
ସେହି କଥାମାନ ଯେବେ କର ସ୍ଥିତ
ତେବେ ବଡ଼ ଦେଉଳକୁ ଯିବି ଜଗନ୍ନାଥ।”