ଲକ୍ଷ୍ମୀପୁରାଣ କଥା-୮୨: ‘ୟେବେ ଆମ୍ଭ ପୁରକୁ ହିଂ କରିବା ଗମନ’

ଅସିତ ମହାନ୍ତି

ଲକ୍ଷ୍ମୀପୁରାଣ କଥା-୨୨: ଷାଠିଏ ସହସ୍ର ଘର ଦ୍ୱାରାବତୀ ପୁର!

ଲକ୍ଷ୍ମୀଙ୍କ ସତ୍ୟର ସର୍ତ୍ତ ଥିଲା- ଯେବେ ଚଣ୍ଡାଳ ହସ୍ତରୁ ବ୍ରାହ୍ମଣ ଅନ୍ନଭୋଜନ କରିବେ; ଯେବେ ଲକ୍ଷ୍ମୀଙ୍କ ପାକରେ ପ୍ରସ୍ତୁତ ଅନ୍ନ ଜଗନ୍ନାଥଙ୍କୁ ନିବେଦିତ ହୋଇ କୈବଲ୍ୟରେ ପରିଣତ ହେବା ପରେ ସେଥିରେ ଉଚ୍ଛିଷ୍ଟର ବିଚାର ରହିବ ନାହିଁ; ଅର୍ଥାତ୍ ଚଣ୍ଡାଳ ହସ୍ତରୁ ବ୍ରାହ୍ମଣ ତାହା ଖାଇ, ନିଜର ହାତକୁ ମୁଣ୍ଡରେ ପୋଛିବେ; ତା’ହେଲେ ଯାଇ ସେ ବଡ଼ଦେଉଳକୁ ଯିବେ।

ଜଗନ୍ନାଥ ମଧ୍ୟ ତାହାହିଁ ଚାହୁଁଥିଲେ। କେବଳ, ଲକ୍ଷ୍ମୀଙ୍କ ପକ୍ଷ ନେଇ ବଡ଼ଭାଇଙ୍କ ପାଖରେ ଯୁକ୍ତି କରି ବିଫଳ ହେବା ପରେ, ବାଧ୍ୟ ହୋଇ ତାଙ୍କ କଥାରେ ରାଜି ହୋଇଥିଲେ। ବଡ଼ଭାଇଙ୍କ ସହିତ ମିଶି କଷ୍ଟ ବି ସହିଥିଲେ। ଏବେ ବଡ଼ଭାଇ ଦୋଷସ୍ୱୀକାର କରି, ଯାଇ ଲକ୍ଷ୍ମୀଙ୍କୁ ମନାଅ ବୋଲି କହିବା ପରେ, ସେ ନେଇ ଆଉ କୌଣସି ବାଧା ନଥିଲା। ତେଣୁ ଲକ୍ଷ୍ମୀଙ୍କ ସର୍ତ୍ତରେ ସେ ଅରାଜି ହେବାର କୌଣସି କଥା ନଥିଲା। ତେଣୁ ସେ- ତାହା ହିଁ ହେଉ, ଯୁଗେ ଯୁଗେ ତୁମର ଏ କୀର୍ତ୍ତି ଥାଉ- ବୋଲି ଲକ୍ଷ୍ମୀଙ୍କୁ କହିଲେ। ତାହାର ଉତ୍ସାହପୂର୍ଣ୍ଣ ବର୍ଣ୍ଣନା ଅଛି ‘ଲକ୍ଷ୍ମୀପୁରାଣ’ରେ।
“ହେଉ ହେଉ ବୋଲି ଆଜ୍ଞା ଦେଲେ ମହାବାହୁ
ଯୁଗେ ଯୁଗେ ଲକ୍ଷ୍ମୀ ତୋହର କୀରତି ଥାଉ।”

ତାହା ସ୍ୱାଭାବିକ ଭାବରେ ଲକ୍ଷ୍ମୀଙ୍କୁ ଆଶ୍ୱସ୍ତ ଓ ଆନନ୍ଦିତ କଲା।

ଏହା ପରର ଘଟଣା ଆହୁରି ରୋଚକ। ଆହୁରି ଆଶ୍ୱସ୍ତି ଓ ଆନନ୍ଦଜନକ। ଲକ୍ଷ୍ମୀ ଏଥର ଆନନ୍ଦ ମନରେ ଜଗନ୍ନାଥଙ୍କୁ କହିଲେ-
“ୟେବେ ଆମ୍ଭପୁରକୁ ହିଂ କରିବା ଗମନ।”

ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ର ଏହି ଅର୍ଦ୍ଧପଦଟି ବା ଏହି ପାଦଟି ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ।

ଏହା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ଏଇଥିପାଇଁ, ଯେ ‘ଲକ୍ଷ୍ମୀପୁରାଣ’ ନାମକ ଏହି ଅଦ୍ଭୁତ ନାଟକର ଏସବୁ ଦୃଶ୍ୟର ଅଭିନୟ ସ୍ଥଳ ଥିଲା ଲକ୍ଷ୍ମୀଙ୍କର ପୁର। କାରଣ, ତାହା ତାଙ୍କ ପିତା ବରୁଣଙ୍କର ପୁର ନଥିଲା। ନଥିଲା ମଧ୍ୟ ପତି ଜଗନ୍ନାଥଙ୍କ ଘର ବଡ଼ଦେଉଳ। ତାଙ୍କର ସେ ପୁର ତାଙ୍କ ଅନୁରୋଧରେ ଏବଂ କୁବେରଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ନିର୍ମାଣ କରିଥିଲେ। ତାହା ସତ୍ତ୍ୱେ, ସେ ଜଗନ୍ନାଥଙ୍କୁ କହିଛନ୍ତି-
“ୟେବେ ଆମ୍ଭ ପୁରକୁ ହିଂ କରିବା ଗମନ।”
ଅର୍ଥାତ୍‌, “ଚାଲ, ଏବେ ଆମ ଘରକୁ ଯିବା!”

ଏହା ସ୍ପଷ୍ଟ ସୂଚାଏ, ଯେ ଲକ୍ଷ୍ମୀ ତଥାକଥିତ ବାମାବାଦୀ ନୁହନ୍ତି। କାରଣ, ଏତେ ସବୁ ଘଟଣା ପରେ ବି ସେ ‘ବଡ଼ଦେଉଳ’କୁ ‘ଆମ୍ଭ ପୁର’ ବୋଲି ହିଁ କହିଛନ୍ତି।
ଯାହା କେବଳ ତାଙ୍କ ପୁର, ତାକୁ ଛାଡ଼ି, ଯାହା ତାଙ୍କର ଓ ଜଗନ୍ନାଥଙ୍କରପୁର ବା ତାଙ୍କର ସାରା ପରିବାରର ପୁର, ସେଠାକୁ ଯିବାକୁ ଚାହିଁଛନ୍ତି।
ଏହା ପରର ଘଟଣା ସହଜ ଅନୁମେୟ। ତାହା ହେଉଛି ଲକ୍ଷ୍ମୀଙ୍କୁ ନେଇ ଜଗନ୍ନାଥ ବଡ଼ଦେଉଳକୁ ଫେରିବେ। ବଡ଼ଭାଇ ବଳରାମ ବି ବଡ଼ଦେଉଳକୁ ଫେରିବେ। ବଡ଼ଦେଉଳ ନାମକ ବଡ଼ ଘରର ପୂର୍ବାବସ୍ଥା ଫେରିବ।

ବଜାର ସଂସ୍କରଣ ‘ଲକ୍ଷ୍ମୀପୁରାଣ’ରେ ତାହାହିଁ ହୋଇଛି। ସେଥିରେ ବର୍ଣ୍ଣିତ ଅଛି-
“ଲକ୍ଷ୍ମୀଙ୍କ ହସ୍ତ ଧରିଣ ଜଗନ୍ନାଥ ନେଲେ।
ବଡ଼ ଦେଉଳକୁ ପ୍ରଭୁ ବିଜେ କରିଗଲେ।ା
ଲକ୍ଷେ ଚନ୍ଦ୍ରଉଦିଆ ଯେ ଛାମୁରେ ଜଳଇ।
ଦେଉଳକୁ ବିଜେ କଲେ ବ୍ରହ୍ମାଣ୍ଡ ଗୋସାଇଁ।ା”

କିନ୍ତୁ ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ରେ ଏହି ଦୃଶ୍ୟପଟ ସଂପୂର୍ଣ୍ଣ ଭିନ୍ନ। ଏବଂ ତାହା ହିଁ ବଳରାମ ଦାସଙ୍କର ବିଶେଷତ୍ୱ। ତାହା ହେଉଛି- “ୟେବେ ଆମ୍ଭପୁରକୁ ହିଂ କରିବା ଗମନ।” ବୋଲି ଲକ୍ଷ୍ମୀ କହିବା ପରେ, ଜଗନ୍ନାଥ ନିଜର ବାହନ ଗରୁଡ଼କୁ ହିଁ ସ୍ମରଣ କରିଛନ୍ତି। ବର୍ଣ୍ଣନା ଅଛି-
“ଗରୁଡ଼କୁ ସୁମରଣା କଲେ ତତକ୍ଷଣ।”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe