ଦେବରାଜ ଇନ୍ଦ୍ର ଓ ‘ଗୁରୁ ପଞ୍ଚମୀ’ ବ୍ରତ

ବଜାର ସଂସ୍କରଣ ‘ଲକ୍ଷ୍ମୀପୁରାଣ’ରେ କେବଳ ଯେ ‘ସମୁଦ୍ର ମନ୍ଥନ’ ଓ ‘ବରୁଣ’ଦେବଙ୍କ ପ୍ରସଙ୍ଗ ନାହିଁ, ତାହା ନୁହେଁ; ଦେବରାଜ ଇନ୍ଦ୍ର ଓ ‘ଗୁରୁ ପଞ୍ଚମୀ’ ବ୍ରତ ପ୍ରସଙ୍ଗ ମଧ୍ୟ ନାହିଁ। ଦେବର୍ଷି ନାରଦ ଦେବରାଜ ଇନ୍ଦ୍ରଙ୍କୁ ସେ ପ୍ରସଙ୍ଗ କହିଛନ୍ତି।

ପ୍ରସଙ୍ଗଟି ବୃତ୍ରାସୁରକୁ ନେଇ। ବୃତ୍ର ଥିଲା ଏକ ଧର୍ମଶୀଳ ଦାନବ। କଶ୍ୟପ ଓ ତ୍ୱଷ୍ଟା ତା’ର ପିତା ଓ ମାତା। ତ୍ୱଷ୍ଟାଙ୍କ ପୁତ୍ର ବିଶ୍ୱରୂପ ଇନ୍ଦ୍ରଙ୍କ ଦ୍ୱାରା ନିହତ ହୋଇଥିଲା। ତେଣୁ, ତାହାର ପ୍ରତିଶୋଧ ନେବାପାଇଁ ତ୍ୱଷ୍ଟା ବୃତ୍ରକୁ ଜନ୍ମ ଦେଇଥିଲେ। ‘ଦେବୀ ଭାଗବତ’ରେ ବୃତ୍ରାସୁର ବାବଦରେ ବିସ୍ତୃତ ବର୍ଣ୍ଣନା ଅଛି। ଏହି ବୃତ୍ରାସୁର, ଦଧୀଚି ଦାନ କରିଥିବା ଅସ୍ଥିରେ ତିଆରି ବଜ୍ରରେ, ଇନ୍ଦ୍ରଙ୍କ ଦ୍ୱାରା ନିହତ ହୋଇଥିଲା।

ବୃତ୍ର ମହାଶକ୍ତିଶାଳୀ ହୋଇ ଇନ୍ଦ୍ରଙ୍କୁ ଆକ୍ରମଣ କରିବାରୁ, ଇନ୍ଦ୍ର ଯାଇ ମେରୁ ପର୍ବତ କନ୍ଦରରେ ଲୁଚିଥିଲେ। ସେହି ସମୟର ଘଟଣା। ସେତେବେଳେ ଦେବର୍ଷି ନାରଦ ଅନେକ ବାଳଶିଷ୍ୟଙ୍କ ସହିତ ଆସି ତାଙ୍କୁ ଭେଟି ଥିଲେ।

ତାହାର ବର୍ଣ୍ଣନା କରି ବଳରାମ ଦାସ ‘ଲକ୍ଷ୍ମୀ ପୁରାଣ’ରେ ଲେଖିଛନ୍ତି-
“ବୃତ୍ରାସୁର ଭୟେ ଇନ୍ଦ୍ର ପଳାଇଣ ଗଲା
ମେରୁ ଯେ କନ୍ଦରେ ଯାଇ ଲୁଚିଣ ରହିଲା।
ଏମନ୍ତ ସମୟେ ଯେ ନାରଦ ମହଋଷି
ସଙ୍ଗତେ ଅଛନ୍ତି ଯେ ଅନେକ ବାଳଶିଷି।”

ନାରଦଙ୍କୁ ଦେଖି ଇନ୍ଦ୍ର ତାଙ୍କର ପାଦ ଧୋଇଦେଲେ ଓ ଆସନ ଦେଲେ। ତା’ପରେ ତାଙ୍କୁ ପଚାରିଲେ- ହେ ମହାମୁନି, କହନ୍ତୁ। ମୋର କାହିଁକି ଏପରି ସର୍ବତ୍ୟାଗ ହେଲା? ତାହାର ଉତ୍ତରରେ ନାରଦ ତାଙ୍କୁ ଯାହା କହିଲେ, ତାହା ବଳରାମ ଦାସଙ୍କ ବର୍ଣ୍ଣନାରେ ଏହିପରି-
“ଏହା ଶୁଣି ଇନ୍ଦ୍ର ଆଗେ ନାରଦ କହନ୍ତି
ସାବଧାନ ହୋଇ ଶୁଣ ଶଚୀଦେବୀ ପତି।
ଲକ୍ଷ୍ମୀ ଯାକୁ ବାମ ହୋଏ ଭଲ ନାହିଁ ତାର
ଅନ୍ନବସ୍ତ୍ର ନ ମିଳଇ ନ ବସେ ସଭାର।”

ଲକ୍ଷ୍ମୀ କାହିଁକି ଇନ୍ଦ୍ରଙ୍କୁ ବାମ ହେଲେ, ତାହା ବି ନାରଦ ଇନ୍ଦ୍ରଙ୍କୁ କହିଛନ୍ତି। ତାହା ହେଉଛି-
“ଗୁରୁ ଯେ ପଞ୍ଚମୀ ବ୍ରତ ଗର୍ବରେ ନକଲା
ତେଣୁ ଲକ୍ଷ୍ମୀ ବାମ, ଶୂରସଭା ତ୍ୟାଗ କଲା।”
ଅର୍ଥାତ୍‌, ଇନ୍ଦ୍ର ଅହଂଭାବର ବଶବର୍ତ୍ତୀ ହୋଇ ଗୁରୁ ପଞ୍ଚମୀ ବ୍ରତ ନକରିବାରୁ, ଲକ୍ଷ୍ମୀ ତାଙ୍କୁ ବାମ ହେଲେ। ଲକ୍ଷ୍ମୀ ଯାହାକୁ ବାମ ହୁଅନ୍ତି, ତାକୁ ଅନ୍ନ, ବସ୍ତ୍ର ମିଳେ ନାହିଁ କି ସେ ସଭାରେ ବସିବାର ସୌଭାଗ୍ୟ ପାଏ ନାହିଁ।

‘ଲକ୍ଷ୍ମୀ ପୁରାଣ’ରେ ବଳରାମ ଦାସ ‘ଗୁରୁପଞ୍ଚମୀ ବ୍ରତ’ କ’ଣ ତାହା କହି ନାହାନ୍ତି। କିନ୍ତୁ ଓଡ଼ିଆ ‘ଗୁରୁପଞ୍ଚମୀ ବ୍ରତକଥା’ରେ ସେ ସଂପର୍କରେ ବିସ୍ତୃତ ବର୍ଣ୍ଣନା ଅଛି।
ନାରଦଙ୍କ କଥା ଶୁଣି ଇନ୍ଦ୍ର ତାଙ୍କୁ ଯୋଡ଼ହସ୍ତରେ ଅନୁରୋଧ କରିଛନ୍ତି- ହେ ମୁନିବର! ଏବେ ମୋ ଆଗରେ ସେହି ‘ପରମଲକ୍ଷ୍ମୀଙ୍କର ବେଭାର’ କୁହ। ତୁମ୍ଭ ମୁଖରୁ ତାହା ଶୁଣି, ମୋର ସମସ୍ତ ପାତକ ନାଶ ଯାଉ। ତାହାର ଉତ୍ତରରେ ନାରଦ, ମଘବାନ ଅର୍ଥାତ୍ ଇନ୍ଦ୍ରଙ୍କୁ, ଜଗମୋହନ ଜଗନ୍ନାଥ କିପରି ଲକ୍ଷ୍ମୀଛଡ଼ା ହେଲେ ସେହି କାହାଣୀ କହିଛନ୍ତି। ତାହା ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ର କଥାବସ୍ତୁ।

‘ଲକ୍ଷ୍ମୀପୁରାଣ’ର ଉପସଂହାରରେ ଥିବା ବର୍ଣ୍ଣନା ଅନୁସାରେ- ଇନ୍ଦ୍ରଙ୍କ ଆଗରେ ଜଗମୋହନ ଜଗନ୍ନାଥଙ୍କର ସେହି କାହାଣୀ କହିବା ପରେ, ଇନ୍ଦ୍ରଙ୍କୁ ‘ଗୁରୁପଞ୍ଚମୀ ବ୍ରତ’ କରିବାପାଇଁ ନାରଦ ଉପଦେଶ ଦେଇଛନ୍ତି।

ଏ ପ୍ରସଙ୍ଗରେ, ପରିଶେଷରେ ‘ଲକ୍ଷ୍ମୀପୁରାଣ’ରେ ବର୍ଣ୍ଣିତ ଅଛି- ଇନ୍ଦ୍ରଙ୍କଠାରୁ ସେହି ଦୀକ୍ଷା ପାଇବା ପରେ, ଇନ୍ଦ୍ର ଗୁରୁପଞ୍ଚମୀ ବ୍ରତ କଲେ ଏବଂ ତାହା ଫଳରେ ପୁଣି ଯାଇ ସୁଖରେ ଇନ୍ଦ୍ରାସନରେ ବସିଲେ। ଶଚୀଦେବୀଙ୍କର ସାନ୍ନିଧ୍ୟ ମଧ୍ୟ ଲାଭ କରି ଆନନ୍ଦିତ ହେଲେ।
-ଅସିତ ମହାନ୍ତି

ସମ୍ବନ୍ଧିତ ଖବର